ବହୁ ଯୁଦ୍ଧର ମୁକ-ସାକ୍ଷୀ “ଫୋର୍ଟ ଜିଜସ୍’
କେନିୟାର ମୋମ୍ବାସା ପୋତାଶ୍ରୟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିବା ଲାଗି ୧୫୯୩-୯୬ ମଧ୍ୟରେ ପର୍ତ୍ତୁଗିଜ୍ମାନେ “ଫୋର୍ଟ ଜିଜସ୍’ ନିର୍ମାଣ କରିଥିଲେ । ମୁଖ୍ୟ ସ୍ଥପତି ଓ ନକ୍ସାକାର ଥିଲେ, ଜିଓଭାନି ବାତିସ୍ତା କେରାତି । ଏକ ପ୍ରବାଳ ପାହାଡ଼ ଉପରେ ନିର୍ମିତ ଦୁର୍ଗଟି ଏବେ ବି ସୁରକ୍ଷିତ ରହିଛି । ୨.୩୬ ହେକ୍ଟର୍ ଭୂମି ଉପରେ ନିର୍ମିତ “ଫୋର୍ଟ ଜିଜସ୍’କୁ ୨୦୧୧ରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା । ଏହି ଦୁର୍ଗର ନିର୍ମାଣ ପରେ ଭାରତ ମହାସାଗରରେ ଚାଲିଥିବା ତକ୍ରାଳୀନ ନେ-ବାଣିଜ୍ୟ ଇଉରୋପୀୟଙ୍କ ନିୟନ୍ତ୍ରଣାଧୀନ ହୋଇପାରିଥିଲା । ଏହା ଇଉରୋପ୍ ବାହାରେ ଇଉରୋପୀୟ ଶେଳୀରେ ଗଢ଼ାଯାଇଥିବା ପ୍ରଥମ କମାଣ ଗୋଳା ପ୍ରତିରୋଧୀ ଦୁର୍ଗ । ଏହି ଦୁର୍ଗ ବହୁ ଯୁଦ୍ଧର ମୁକ-ସାକ୍ଷୀ । ୧୬୩୧-୧୮୭୫ ମଧ୍ୟରେ କେନିୟାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିବା ବିଭିନ୍ନ ଶକ୍ତି(ପର୍ତ୍ତୁଗିଜ୍, ବ୍ରିଟିସ୍, ଓମାନୀ ଅରବ, ତୁର୍କ୍) ମଧ୍ୟରେ ଏଠାରେ ଅନ୍ୟୁନ ନଅଟି ଯୁଦ୍ଧ ହୋଇଥିଲା । ୧୬୯୮ରେ ଏହା ଓମାନୀ ଅରବମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ୧୮୯୮ରେ ଏହା ସମ୍ପୂର୍ଣ୍ଣ ଭାବେ ବ୍ରିଟିସ୍ ଅଧିକାରକୁ ଆସିଥିଲା । ବ୍ରିଟିସ୍ ସରକାର ଏହାକୁ ଏକ ବନ୍ଦିଶାଳରେ ପରିଣତ କରିଥିଲେ । ୧୯୫୮ ପର୍ଯ୍ୟନ୍ତ ଏହା ବନ୍ଦିଶାଳ ଥିଲା ଏବଂ ସେହି ବର୍ଷ ଐତିହାହିକ ସ୍ମାରକ ଘୋଷିତ ହୋଇଥିଲା ।


