ଓଡିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇଵେ ହିଞ୍ଜିଳିର ରାଧାଶ୍ୟାମ ସାହୁ ଶର୍ମା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକଖଣ୍ଡରା ଗ୍ରାମର ସାହୁ ପରିବାରର ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ପ୍ରସିଦ୍ଧି ଅନନ୍ୟ।ସ୍ଵର୍ଗତ ଗୁରୁ କୃଷ୍ଟଚନ୍ଦ୍ର ସାହୁ ପଞ୍ଚମା ମନ୍ଦିରରୁ ପ୍ରଭୁକୃପା ଲାଭକରି ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ଆରମ୍ଭ କରିଥିଲେଲେ । ସେହି ପରିବାରର ସୁଯୋଗ୍ୟ ବଂଶଧର, ବର୍ଷୀୟାନ କଳାକାର ରାଧାଶ୍ୟାମ ସାହୁଶର୍ମାଙ୍କୁ ଲୋକ ସଙ୍ଗୀତ-୨୦୧୯ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଛି। ଓଡ଼ିଶାର ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ମହାନ୍ ଗୁରୁ ତଥା ଗାୟକରତ୍ନ କୃଷ୍ଣ ଚନ୍ଦ୍ର ସାହୁଙ୍କ ସେ ପୁତ୍ର ଅଟନ୍ତି। ୧୯୪୨ ମସିହା ଜାନୁଆରୀ ୧୮ ତାରିଖରେ ମାତା ସୁଆ ସାହୁଙ୍କ ଗର୍ଭରୂ ଖଣ୍ଢରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୨ ବର୍ଷ ବୟସରୁ ବାପାଙ୍କ ଠାରୁ ସେ ଦାସକାଠିଆ ଲୋକ ସଙ୍ଗୀତ ଓ ନୃତ୍ୟ ଶିକ୍ଷା କରିଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସେ ଜଣେ ଜଣାଶୁଣା କଳାକାର ଅଟନ୍ତି। ତାଙ୍କୁ ପୁରସ୍କାର ସ୍ବରୂପ ଓଡ଼ିଶା ସରକାର ପକ୍ଷରୁ ୨ଲକ୍ଷ ଟଙ୍କା ସହ ମାନପତ୍ର ଓ ନାମଫଳକ ପ୍ରଦାନ କରାଯିବ। ସଂପ୍ରତି ସେ ହିଞ୍ଜିଳିକାଟୁ ପୌରାଞ୍ଚଳର ବାସିନ୍ଦା ଅଟନ୍ତି। ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବା ପରେ ଓଡ଼ିଶା ନାଟକ ଏକାଡେମୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଶାଳୁଆପଲୀର ସଖୀ ନାଟକ ଗୁରୁ କାଳୁଚରଣ ସାହୁ (୨୦୧୯ବର୍ଷ ପାଇଁ), ଭଞ୍ଜନଗର ଭେଜିପୁଟ ଅଞ୍ଚଳର ପଶୁମୁଖା ନୃତ୍ୟ ଓ ଚିତ୍ରକଳାରେ ଖ୍ୟାତି ଅର୍ଜନ କରିଥିବା କଳାକାର ନାରାୟଣ ମହାରଣା(୨୦୨୦ ବର୍ଷ ପାଇଁ) ଓ ଛତ୍ରପୁର ନିକଟସ୍ଥ ଲୋକନାଥ ପୁର ଶାସନର ବର୍ଷୀୟାନ ସଖୀନାଚ କଳାକାର ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କୁ (୨୦୨୦ ବର୍ଷ ପାଇଁ) ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଛି।