ଭୀଷ୍ମଗିରି ଶଶ୍ମାନ ନିକଟରେ ଡାଲା ଅଟୋ ଓଲଟି ୧୪ ମହିଳା ଶ୍ରମିକ ଆହତ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ଶଶ୍ମାନ ନିକଟରେ ବୁଧବାର ସକାଳେ ଏକ ଡାଲା ଅଟୋ ଓଲଟି ଧାନ ରୋଇବା ପାଇଁ ଯାଉଥିବା ୧୪ ମହିଳା ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କ ଘର ଦିଗପହଣ୍ଡି ଥାନା ଫାସିଗୁଡା ବଡ଼ସାହି ବୋଲି ଜଣାପଡିଛି । ଖବରନୁଯାୟୀ , ପେଟପୋଷଣ ପାଇଁ ଆଜି ଗ୍ରାମର ୧୪ ଜଣ ମହିଳା ଧାନ ରୋଇବା ପାଇଁ ଏକ ଡାଲା ଅଟୋ ଯୋଗେ ନିକଟସ୍ଥ ଗ୍ରାମକୁ ଯାଉଥିଲେ । ତେବେ ଗ୍ରାମଠରୁ ଅଳ୍ପ ଦୂରରେ ରହିଥିବା ଭୀଷ୍ମଗିରି ନିକଟରେ ଚାଳକର ଅସାବଧାନତା କାରଣରୁ ଭାରସାମ୍ୟ ହରାଇ ଏକ ବିଲରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରା ଅଧିକାରୀ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ଆଗ୍ନିକ ଜିତେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ନିୟୋଜିତ ରହି ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ବଙ୍ଗାଳୀ ଦାସ , ଆରତୀ ଦାସ ଓ ଫୁଲ ଦାସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାସିଗୁଡା ସରପଞ୍ଚ ଦିଲିପ କୁମାର ସେଠୀ ଓ ସମିତି ସଭ୍ୟ ଶିବରାମ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।