ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ
ନୂଆଦିଲ୍ଲୀ: ଆଜି ଗୁଜରାଟ ମୁଖମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ତେବେ ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବାର କିଛି ଘଣ୍ଟା ପରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ। ମୁଖ୍ୟମନ୍ତ୍ରୀ ରେସ୍ରେ ସବୁଠାରୁ ଆଗରେ ଥିଲେ ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ। ସେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। ସେ କହିଛନ୍ତି, ‘ମୋ ଭଳି ଅନେକ ଅଛନ୍ତି ଯେଉଁମାନେ କି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଆହୁରି ଅନେକ ଅଛନ୍ତି ଯାହାର ବସ୍ ମୋ ଭଳି ମିସ୍ ହୋଇଛି । ମୁଁ ଏକା ନୁହେଁ ତେଣୁ ସେହି ଦୃଷ୍ଟିକୋଣରୁ ଏହାକୁ ଦେଖ ନାହିଁ । ଲୋକମାନେ ଭୁଲ ଅନୁମାନ କରନ୍ତି । ମୁଁ ୧୮ ବର୍ଷ ବୟସରୁ ବିଜେପି ପାଇଁ କାମ କରୁଛି। ଆଗକୁ ମଧ୍ୟ ଏହା ଜାରି ରଖିବି। ମୋତେ କୌଣସି ପଦବୀ ମିଳୁ ଅବା ନମିଳୁ ମୁଁ ଯେଉଁ ପର୍ଯ୍ୟନ୍ତ ଦଳରେ ଅଛି ସେ ପର୍ଯ୍ୟନ୍ତ ଦଳର ସେବା କରିବି।’ ଏହା କହିବା ସମୟରେ ନୀତିନଙ୍କ ଆଖିରେ ଲୁହ ଆସିଯାଇଥିଲା। ଏପରିକି ସେ କାନ୍ଦି ମଧ୍ୟ ପକାଇଥିଲେ।


