ଶ୍ରମ ପୋର୍ଟାଲରେ ପଞ୍ଜୀକରଣ : ଓଡ଼ିଶା ଦ୍ୱିତୀୟ
ନୂଆଦିଲ୍ଲୀ, ୧୯ ସେପ୍ଟେମ୍ବର – ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଖୁବ କମ୍ ଦିନରେ ଉତ୍ସାହପ୍ରଦ ସମର୍ଥନ ମିଳିଛି । ଅଗଷ୍ଟ ୨୬ ତାରିଖରେ ଏହି ପୋର୍ଟାଲର ଉନ୍ମୋଚନ କରାଯାଇଥିଲା । ବର୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଶ୍ରମିକ ଏଥିରେ ପଞ୍ଜୀକରଣ କରିସାରିଲେଣି । ସାରା ଦେଶର ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ଆଜିସୁଦ୍ଧା ପଞ୍ଜୀକରଣ କରିସାରିଛନ୍ତି । ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଇ-ଶ୍ରମ ପୋର୍ଟାଲରେ ସର୍ବାଧିକ ସଂଖ୍ୟକ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ କରିଥିବା ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ।ସାରା ଦେଶରେ ବର୍ତମାନ ସୁଦ୍ଧା ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରେ ୪୩ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୫୭ ପ୍ରତିଶତ ଶ୍ରମିକ ପୁରୁଷ ରହିଛନ୍ତି । ସଦ୍ୟତମ ତଥ୍ୟ ଅନୁଯାୟୀ, ବିହାର ଶ୍ରମିକମାନଙ୍କ ପଞ୍ଜୀକରଣ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଛି । ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହା ପଛକୁ ରହିଛନ୍ତି । ତେବେ କମ ଶ୍ରମିକଙ୍କ ସଂଖ୍ୟା ଥିବା ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି ।ଅସଂଗଠିତ ଶ୍ରମିକମାନଙ୍କର ଏକ ବିସ୍ତୃତ ଡାଟାବେସ ପ୍ରସ୍ତୁତ କରିବା ଦିଗରେ ଦେଶରେ ପ୍ରଥମ ଥର ପାଇଁ ପ୍ରୟାସ କରାଯାଇଛି । ନିର୍ମାଣ, ପୋଷାକ ଉତ୍ପାଦନ, ମତ୍ସ୍ୟଚାଷ, ଜିଗ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କାମ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ପରିବହନ କ୍ଷେତ୍ର ଆଦିରେ ନିୟୋଜିତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି ଅଗଷ୍ଟ ୨୬ ତାରିଖରେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହାକୁ ଉନ୍ମୋଚନ କରିଥିଲେ ।ଅସଂଗଠିତ କ୍ଷେତ୍ରରେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ କାର୍ଯ୍ୟ କରିଥାନ୍ତି । ୨୦୧୯-୨୦ ଆର୍ôଥକ ସମୀକ୍ଷାର ତଥ୍ୟ ଅନୁଯାୟୀ ଦେଶରେ ଆନୁମାନିକ ୩୮ କୋଟି ଅସଂଗଠିତ ଶ୍ରମିକ ରହିଛନ୍ତି, ଯେଉଁମାନଙ୍କୁ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଫଳରେ ଏହି ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଭିତ୍ତିକ ଯୋଜନାର ଲାଭ ପାଇପାରିବେ ।ଶ୍ରୀ ଭୂପେନ୍ଦର ଯାଦବ, ଶ୍ରୀ ରାମେଶ୍ୱର ତେଲି, ଶ୍ରମ ଓ ନିୟୋଜନ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ର) ଏବଂ ଅନ୍ୟ କ୍ଷେତ୍ରୀୟ ଅଧିକାରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ଅସଂଗଠିତ କ୍ଷେତ୍ରର ଶ୍ରମିକ, ଶ୍ରମିକ ସଂଗଠନ ଏବଂ ଗଣମାଧ୍ୟମ ସହ ଆଲୋଚନା କରୁଛନ୍ତି । ସେମାନଙ୍କୁ ଇ-ଶ୍ରମ ପୋର୍ଟାଲର ବୈଶିଷ୍ଟ୍ୟ ଏବଂ ଲାଭ ସମ୍ପର୍କରେ ସଚେତନ କରିଛନ୍ତି । କ୍ଷେତ୍ରୀୟ ଶ୍ରମ ଆୟୁକ୍ତମାନେ ମଧ୍ୟ ଏପରି ୫ଟି ବୈଠକ ଆୟୋଜନ କରି ପଞ୍ଜୀକରଣ ପ୍ରକ୍ରିୟାକୁ ଗତିଶୀଳ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାଫଳରେ ଏହା ଖୁବ କମ ଦିନ ମଧ୍ୟରେ ଏପରି ସଫଳତା ହାସଲ କରିପାରିଛି । ତେବେ କେତେକ ରାଜ୍ୟରେ ପଞ୍ଜୀକରଣ ପ୍ରତି ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । କୃଷି ଏବଂ ନିର୍ମାଣ କ୍ଷେତ୍ରରେ ଅଧିକ ସଂଖ୍ୟକ ଅସଂଗଠିତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଏହାଛଡ଼ା ଘରୋଇ ଏବଂ ଘରକରଣା ଶ୍ରମିକ, ବୟନଶିଳ୍ପ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଓ ପରିବହନ କ୍ଷେତ୍ରର ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଓ ହାର୍ଡ ୱେୟାର ଶ୍ରମିକ, ଉତ୍ପାଦ ସାମଗ୍ରୀ ଶ୍ରମିକ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖୁଚୁରା, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଆହୁରି ଅନ୍ୟ କ୍ଷେତ୍ରର ଶ୍ରମିକମାନେ ଏଥିରେ ପଞ୍ଜୀକରଣ କରିଛନ୍ତି । ପଞ୍ଜିକୃତ ଶ୍ରମିକମାନଙ୍କ ମଧ୍ୟରେ ୪୮ ପ୍ରତିଶତ ଶ୍ରମିକଙ୍କ ବୟସ ୨୫-୪୦ ବର୍ଷ ମଧ୍ୟରେ, ୨୧ ପ୍ରତିଶତ ଶ୍ରମିକଙ୍କ ବୟସ ୪୦-୫୦ ବର୍ଷ ମଧ୍ୟରେ, ୧୯ ପ୍ରତିଶତ ଶ୍ରମିକଙ୍କ ବୟସ ୧୬-୨୫ ବର୍ଷ ମଧ୍ୟରେ ଏବଂ ୧୨ ପ୍ରତିଶତ ଶ୍ରମିକଙ୍କ ବୟସ ୫୦ ବର୍ଷରୁ ଅଧିକ ।ଜନସେବା କେନ୍ଦ୍ରଗୁଡ଼ିକ ମାଧ୍ୟମରେ ୬୮ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଯାହାଫଳରେ ଜନ ସେବା କେନ୍ଦ୍ରଗୁଡ଼ିକର ପ୍ରସାର ସୀମିତ ସୁବିଧା ଥିବା କ୍ଷେତ୍ର ପାଇଁ ବିଶେଷ ସହାୟକ ହୋଇଛି । ଶ୍ରମିକମାନଙ୍କୁ ଜନ ସେବା କେନ୍ଦ୍ର ଜରିଆରେ ପଞ୍ଜୀକରଣ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି । ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ । ଅନଲାଇନ ପଞ୍ଜୀକରଣ ଲାଗି ବ୍ୟକ୍ତିଗତ ଶ୍ରମିକମାନେ ଇ-ଶ୍ରମ ମୋବାଇଲ ଆପ୍ କିମ୍ବା ୱେବସାଇଟର ଉପଯୋଗ କରିପାରିବେ । ସେମାନେ ମଧ୍ୟ ଜନସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମିକ ସୁବିଧା କେନ୍ଦ୍ର, ବଛା ବଛା ଡାକ ଘରେ ଡାକ ବିଭାଗ ପକ୍ଷରୁ ଖୋଯାଇଥିବା ଡିଜିଟାଲ ସେବା କେନ୍ଦ୍ରରେ ପଞ୍ଜୀକରଣ କରାଇପାରିବେ । ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଡିଜିଟାଲ ଇ-ଶ୍ରମ କାର୍ଡ ମିଳିବ । ଏହା ସାରା ଦେଶରେ ଗ୍ରହଣୀୟ ହେବ । ଯାହାଫଳରେ ସେମାନେ ଦେଶର ଯେକୌଣସି ସ୍ଥାନରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ । ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା ପାଇପାରିବେ ।


