୧୧ ଦିନ ପରେ ବି ମିଳୁନି ବଡ଼ ନଦୀରେ ଭାସି ଯାଇଥିବା ପ୍ରଶାନ୍ତର ଠିକଣା
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଏଗାର ଦିନ ହେଲା ନଦୀରେ ଭାସି ଯାଇଥିବା ପୁଅକୁ ଖୋଜି ପାଉନାହାନ୍ତି ପରିବାର ଲୋକ I ଯେଉଁ ପୁଅକୁ ଦେଖି ମାଆ ନିଜର କଷ୍ଟ ଭୁଲି ଯାଉଥିଲା ସେ ପୁଅ ଠାରୁ ସେ ଦଶ ଦିନ ହେବ ଶୁଣିନି ମାଆ ଡ଼ାକ I ଏଗାର ଦିନ ହେବ ଘରେ ଚୁଲି ଜଳୁନି I ଗତ ୧୫ ତାରିଖ ଅପରାହ୍ନ ଚାରିଟାରେ ବଡ଼ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିବା ବେଲଗୁଣ୍ଠା ବ୍ଳକ୍ ଇଙ୍ଗିନାଠି ପଂଚାୟତ ବଲାଡ଼ି ଗ୍ରାମର ପ୍ରଶାନ୍ତ ଗୌଡ଼(୧୨)ଙ୍କ କୌଣସି ଠିକଣା ଆଜି ସୁଦ୍ଧା ମିଳିପାରିନାହିଁ I ବୁଧବାର ରାତିରେ ଅଗ୍ନିଶମ ବାହିନୀ ଏବଂ ଗୁରୁବାର ଦିନ ଓଡ୍ରାଫ୍ ଟିମ୍ ବଲାଡ଼ି ଠାରୁ ମାଧବରୀଡା ଆନିକଟ ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଶାନ୍ତର କୌଣସି ପତ୍ତା ପାଇପାରିନଥିଲେ I ସେହିପରି ପ୍ରଶାନ୍ତର ପରିବାର ଏବଂ ଗ୍ରାମବାସୀ ବଡ଼ନଦୀର କୂଳେ କୂଳେ ଆସ୍କା ପର୍ଯ୍ୟନ୍ତ ଏବଂ ସେଠାରୁ ବଡ଼ନଦୀ ମିଶିଥିବା ଋଷିକୂଲ୍ୟା ନଦୀର କୂଳେ କୂଳେ ଗଞ୍ଜା ମୁହାଁଣ ପର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ ପ୍ରଶାନ୍ତ କୁ ନପାଇ ଆଶା ଆଶଙ୍କା ଭିତରେ ଅଛନ୍ତି I ଏପଟେ ପ୍ରଶାନ୍ତ ଭାସି ଯିବାର ୧୧ ଦିନ ପରେ ମଧ୍ୟ ପୁଅର କୌଣସି ଠିକଣା ନପାଇ ବାପା ସୁଶାନ୍ତ ଭାଙ୍ଗି ପଡ଼ିଥିବା ବେଳେ ନାନା ଓଷା ବ୍ରତ କରି ପୁଅକୁ ଜନ୍ମ ଦେବା ସହ ତାକୁ ନେଇ ବିଭିନ୍ନ ସ୍ଵପ୍ନ ଦେଖିଥିବା ମାଆ ସଞ୍ଜୁଙ୍କ ଅବସ୍ଥା କହିଲେ ନ ସରେ I ସେ ପୁଅକୁ ଝୁରି ଝୁରି ବାରମ୍ବାର ବେହୋସ ହୋଇପଡ଼ୁଥିବା ବେଳେ ନିଜ ପୁଅକୁ ଖୋଜି ଆଣିଦେବା ପାଇଁ ସମସ୍ତଙ୍କୁ ବିକଳରେ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି I ଗ୍ରାମବାସୀ ମଧ୍ୟ ପ୍ରଶାନ୍ତ ପାଇଁ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି I ପ୍ରଶାନ୍ତକୁ ଖୋଜି ଆଣିଦେବାକୁ ମା ସଞ୍ଜୁଙ୍କ କୋହଭରା ନିବେଦନ ଯେ କେହି ଶୁଣିବ ଆଖିରୁ ଲୁହ ଝରିପଡିବ । ପ୍ରଶାସନ ତରଫରୁ ପ୍ରଶାନ୍ତକୁ ଖୋଜିବା ସହ ଗରିବ ଅସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।


