ଦୁର୍ଘଟଣା ପରେ ରପାଦଫା ଉଦ୍ୟମ
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) : ସାଧାରଣତଃ ଦୁର୍ଘଟଣା ଘଟିଲେ ଥାନାରେ ମାମଲାର ରଫାଦଫା ପାଇଁ ଗାଡ଼ି ମାଲିକ ,କ୍ଷତିଗ୍ରସ୍ତଙ୍କ ମଧ୍ୟରେ ରଫାଦଫା ପାଇଁ ଉଦ୍ୟମ ହୁଏ । ପୋଲିସରେ ମାମଲା ନ କରି କେଶ ନ କରିବା ପାଇଁ ମଧ୍ୟସ୍ଥି ଜରିଆରେ ବୁଝାମଣା ହୁଏ । ତେବେ ଘଟଣା ସାଂଘାତିକ ଘଟିଲେ ସବୁ ସତ୍ୟ ପଦାରେ ପଡ଼େ । ଏପରି ଏକ ଘଟଣା କ୍ରମରେ ହିଂଜିଳ ଥାନା ଅଂଚଳରେ ୨୦୧୮ ଏପ୍ରିଲ ମାସ ୨୪ରେ ଘଟିଥିବା ଦୁର୍ଘଟଣାକୁ ରଫାଦଫା ନିମନ୍ତେ ମାଲିକ ଓ ଦୁର୍ଘଟଣା ପରିବାରଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ଦୁର୍ଘଟଣାରେ ଆହତଙ୍କ ପ୍ରାୟ ଦେଢ଼ ମାସ ପରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ପରେ ଘଟଣାର ମୋଡ଼ ବଦଳିଛି । ଅଭିଯୋଗ ପରେ ପୋଲିସ ଥାନାରେ ମାମଲା ରୁଜୁ କରି ନ ଥିବା ଓ ଗାଡ଼ି ମାଲିକ ପୂର୍ବ ପ୍ରତିଶୃତି ପାଳନ କରି ନ ଥିବା ଅଭିଯୋଗ କରି ରବିବାର ରାତିରେ ହିଂଜିଳି ଥାନାରେ ମାମଲା ହୋଇଛି । ତେବେ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଗଂଜାମ ଜିଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଓ ମାମଲା ଦାଏର ପାଇଁ ଉପରୁ ନିର୍ଦ୍ଦେଶ ପରେ ହିଂଜିଳି ପୋଲିସ ମାମଲା ରୁଜୁ କରିଛି । ପ୍ରକାଶ ଯେ, ୨୦୧୮ ଏପ୍ରିଲ ମାସ ୨୪ରେ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଟିଭିଏସ ଶୋ ରୁମ ଠାରେ ଏକ ଟ୍ରାକ୍ଟର ଧକ୍କାରେ ହିଂଜିଳି ଥାନା ବୁରୁପଡ଼ା ଗ୍ରାମର ବବୁଲୁ ନାହାକ ଗୁରୁତର ଅ୍ରାହତ ହୋଇଥିଲେ । ବବୁଲୁ ହିଂଜିଳିକାଟୁରୁ ବୁରୁପଡ଼ା ଯିବା ବେଳେ ଦୃତ ଓ ବେପରୁଆ ଭାବେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ଗୁରୁତର ବବୁଲୁଙ୍କୁ ହିଂଜିଳିକାଟୁ ଡ଼ାକ୍ତରଖାନା ଓ ଗୁରୁତର ଅବସ୍ଥାରେ , ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଯାଇଥିଲା । ସେଠାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ସ୍ପର୍ଶ ହସପିଟାଲ ନିଆଯାଇଥିଲା । ପୁଣି ସେଠାରୁ ଏମ୍ସ ହସପିଟାଲ ଭୁବନେଶ୍ୱରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତେବେ, ବବୁଲୁଙ୍କ ଚିକିତ୍ସିତ ଅବସ୍ଥାରେ ଏମ୍ସ ହସପିଟାଲ ଭୁବନେଶ୍ୱରରେ ୨୦୧୮ ଜୁନ ମାସ ୬ତାରିଖରେ ମୃତ୍ୟୁ ହୋଇଥିଲା । ଟ୍ରାକ୍ଟର ମାଲିକ କ୍ଷତି ପୂରଣ ନ ଦେଇ ଏ କାଗଜରେ କ୍ଷତିଗ୍ରସ୍ତ ପରିବାରଙ୍କ ଦସ୍ତଖତ ନେଇଥିବା ଓ ପୋଲିସ ଥାନାରେ କୌଣସି ମାମଲା ରୁଜୁ କରି ନଥିବା ନେଇ ମୃତ ବବୁଲୁଙ୍କ ମାଆ କାମିନି ନାହାକ ଅଭିଯୋଗ କରିଥିଲେ । ଏଥି ନେଇ ଏସପି ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ପ୍ରାୟ ୧୮ ମାସ ପରେ ଏସପି, ଜିଲାପାଳଙ୍କ ନିର୍ଦ୍ଦେଶ ପରେ ରବିବାର କାମିନି ହିଂଜିଳି ଥାନାରେ ଦୁର୍ଘଟଣା ନେଇ ପୁଣିଥରେ ଏତଲା ଦେଇଛନ୍ତି । ଥାନାରେ ଥାନାରେ ନଂ-୩୧୦/୧୯ରେ ମାମଲା ରୁଜୁ ଘଟଣାର ତଦନ୍ତ କରାଯାଉଥିବା ଥାନା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି ।


