ଉପାସ୍ୟଙ୍କ ପୂଣ୍ୟବ୍ରତ ବନାମ ଶାନ୍ତିର ପୁରୋହିତ

ଗାନ୍ଧିଜୀ : ଉପାସ୍ୟଙ୍କ ପୂଣ୍ୟବ୍ରତ

ବିପିନ ବିହାରୀ ମହାନ୍ତି

ଗାନ୍ଧିଜୀ, ଜାତିର ପିତା, ସବୁରି ତୁଣ୍ଡରେ ‘ବାପୁ’ ଯାହାଙ୍କର ଭାରତର ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେବାରେ ତଥା ବିନା ରକ୍ତପାତରେ ସ୍ୱାଧୀନତା ଆଣିବାରେ ପଟ୍ଟାନ୍ତର ନାହିଁ, ଯିଏ ନିଜ ପାଇଁ ରଚି ଯାଇଛନ୍ତି ଇତିହାସ ଏବଂ ନିଜେ ଜଣେ ଦେଶ ଓ ବିଶ୍ୱ ପାଇଁ କିମ୍ବଦନ୍ତୀ ପୁରୁଷ, ସିଏ ୨ ଅକ୍ଟୋବର ୧୮୬୯ ମସିହାରେ ଗୁଜୁରାଟର ପୋର ବନ୍ଦର ଠାରେ ଜନ୍ମ ହୋଇଥିଲେ । ତାଙ୍କର ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଲୀ ବାଇ ଏବଂ ତାଙ୍କ ନିଜର ପୂରାନାମ ମୋହନ ଦାସ କମରଚାନ୍ଦ ଗାନ୍ଧୀ; କିନ୍ତୁ ତାଙ୍କର ବିଶ୍ୱବ୍ୟାପି କାର୍ଯ୍ୟ କୁଶଳତା ତଥା ବ୍ୟକ୍ତିତ୍ୱ ପାଇଁ ସାର୍ବଜନୀନ ଏବଂ ସାଧାରଣ ଭାବରେ “ମହାମାôଗାନ୍ଧି” ଭାବେ ବିଶ୍ୱରେ ସମ୍ବୋଦ୍ଧିତ ଓ ପରିଚିତ ହୋଇଛନ୍ତି ।
‘ଗାନ୍ଧିଜୀଙ୍କର ଅହିଁସା’ ଏବଂ ‘ସତ୍ୟ’ର ଦର୍ଶନତତ୍ୱ ଉପରେ ଗଭୀର ବିଶ୍ୱାସଥିଲା । ସେହି ଦୁଇଟିକୁ ଆଧାର କରିି ଯେଉଁ ଆନ୍ଦୋଳନ ସେ ଭାରତର ସ୍ୱାଧୀନତା କ୍ଷେତ୍ରରେ ଚଳାଇଥିଲେ, ତାକୁ ସତ୍ୟାଗ୍ରହ କୁହାଯାଏ । ତାଙ୍କ ବିଶ୍ୱାସରେ ସତ୍ୟ ଏବଂ ଅହିଂସା ଏକମାତ୍ର ବିଶ୍ୱଶାନ୍ତିର ଆଧାର । ସତ୍ୟ ଓ ଅହିଁସା ତାଙ୍କ ମତରେ କହିବା ସହଜ ହୋଇପାରେ ; କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ବହୁତ କଠିନ । ଏଥି ପାଇଁ ଅସୀମ ଧୈର୍ଯ୍ୟ ଦରକାର ଏବଂ ଶେଷରେ ସତ୍ୟ ଓ ଅହିଂସାର ହିଁ ଜୟ ହୋଇଥାଏ । ଏହା ସମସ୍ତ ଶକ୍ତିଶାଳୀ ଅସ୍ତ୍ରମାନଙ୍କ ମଧ୍ୟରେ ମହାଶକ୍ତି ଶାଳୀ । ବିଶ୍ୱର ମଙ୍ଗଳାର୍ଥେ ଏହା ହିଁ ଏକ ନୂତନ ଆବିଷ୍କାରର ପବିତ୍ର ଶାନ୍ତିର ଅସ୍ତ୍ର । ଏଣୁ ଯିଶୁଙ୍କ ପରି ଶାନ୍ତିର ବାର୍ତ୍ତା ଧରି ସେ ପଦାର୍ପଣ କରିଥିଲେ ଏହି ଭାରତ ଭୂଖଣ୍ଡରେ ଏବଂ ବିଶ୍ୱ ଶାନ୍ତି ପାଇଁ ଯୀଶୁ କ୍ରୁଶବିଦ୍ଧ ହୋଇ ପ୍ରାଣବଳି ଦେଲାପରି ସେ ମଧ୍ୟ ଆତତାୟୀର ଗୁଳିଚୋଟରେ ଚିରଶାନ୍ତି ଲଭିଲେ । ଏକଦା ସେ କହିଥିଲେ : ଏମିତି ଜଣେ ପବିତ୍ର ବ୍ୟକ୍ତିତ୍ୱ କେହି ନାହିଁ ଯିଏ ନିଜ ଜୀବନର ମୂଲ୍ୟବାନ ସଂପଦ – ଜୀବନକୁ ଦେବାରେ କୁଣ୍ଠାବୋଧ କରେ ନାହିଁ । ମୋର ବିଶ୍ୱାସ ଏବଂ ପ୍ରାର୍ଥନା ଯେ ମୋ ପାଖରେ ସେ ପବିତ୍ରତାକୁ ପ୍ରମାଣ କରିବାରେ ଅବସାଦ ବି ନାହିଁ । (No man if he is pure has anything and precious to give than his life. I hope and pray that I have the purity in me to justify the step). ସେ ଏକଥା ମଧ୍ୟ ଜୀବନରେ ପ୍ରମାଣ କରାଇଦେଲେ ।
ମହତ୍ମା ଗାନ୍ଧିଜୀଙ୍କର ବ୍ୟକ୍ତିତ୍ୱ ସଂପର୍କରେ ଆଲୋକପାତ କରିବା ଏକ ବଡ କଠିନ ବ୍ୟାପାର । ଏଇଟା ଯେମିତି ଗୋଟାଏ ପୃଥିବୀକୁ ହାତ ପାପୁଲିରେ ଧରିବା ସଦୃଶ ହେବ । ତେବେ ସଂକ୍ଷେପରେ ଏତିକିରେ କୁହାଯାଇପାରେ ସେ ଜଣେ ସଂପୂର୍ଣ୍ଣ ପବିତ୍ର ବ୍ୟକ୍ତିତ୍ୱ ଯାହାର ଜୀବନ ଭବିଷ୍ୟତ ବିଶ୍ୱ ପାଇଁ ଏକ ବାର୍ତ୍ତା, ଯାହାର ଚିନ୍ତାଧାରା ଆମ ପାଇଁ ମହାନଶିକ୍ଷା, ଯାହାର ଆଦର୍ଶ ଅପ୍ରତିଦ୍ୱନ୍ଦୀ ଓ ଅଦ୍ୱିତୀୟ ନାୟକତ୍ୱର ଉର୍ଦ୍ଧ୍ୱରେ, ଯାହାର କାର୍ଯ୍ୟାବଳୀ ସର୍ବଦା ଅବିସ୍ମରଣୀୟ, ଯାହାର ସାହସିକତା ଓ ଦେଶପ୍ରେମ ସର୍ବୋପରି ସର୍ବୋପମ । ପୃଥିବୀରେ ଶୃଙ୍ଖଳ, ଦୁର୍ବଳ, ଚିର ଦଳିତ ଏବଂ ଅବହେଳିତ ବ୍ୟକ୍ତିଙ୍କର ମୁକ୍ତି ଓ ଶାନ୍ତି ପାଇଁ, ସେ ନିଜେ ଜୀବନରେ କାର୍ଯ୍ୟତଃ ପ୍ରମାଣିତ କରି ଯାଇଛନ୍ତି । ସେ ଜଣେ ମୁକ୍ତିମଶାଲଧାରୀ ଶାନ୍ତିର ପୁରୋହିତ ।
ଏହି ମହାନ୍ ବ୍ୟକ୍ତିତ୍ୱଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରତି ବର୍ଷ ୨ ଅକ୍ଟୋବରକୁ ଭାରତରେ ଛୁଟିଦିବସ ରୂପେ ପାଳିତହୁଏ । ଏହି ଦିନ ନାନା ଭାଷଣ, ପ୍ରତିଯୋଗିତା, ଦୂରଦର୍ଶନ, ଆକାଶବାଣୀ ତଥା କଳାକାର ଏବଂ ବାଲୁକାଶିଳ୍ପୀମାନଙ୍କ ଦ୍ୱାରା ସେମାନଙ୍କର ସୌନ୍ଦର୍ଯ୍ୟ ବୋଧ ସୃଷ୍ଟିମାନଙ୍କ ମାଧ୍ୟମରେ ଗାନ୍ଧି ବାର୍ତ୍ତା ଓ କାର୍ଯ୍ୟା ପ୍ରତିଫଳନ କରାଯାଏ ।
ଗାନ୍ଧି ଜୟନ୍ତୀ ୨ ଅକ୍ଟୋବରକୁ ଆନ୍ତର୍ଜାତିକ ସ୍ତରରେ “ଅହିଁସା” (Non-Violence) ଦିବସ ରୂପେ ପାଳିତ ହୁଏ । ଗାନ୍ଧିଙ୍କ ପ୍ରତି ବିଶ୍ୱବାସୀଙ୍କର ଏହା ହିଁ ଭକ୍ତି ଓ ଶ୍ରଦ୍ଧାର ଉପହାର ।
ଆମ ଶାସ୍ତ୍ରୀଜୀ : ଶାନ୍ତିର କପୋତ
୨ ଅକ୍ଟୋବରକୁ ଗାନ୍ଧିଜୟନ୍ତୀ ହିସାବରେ ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପାଳନ କରାଯାଏ । କିନ୍ତୁ ଏଇ ଭାରତରେ ଆଉ ଜଣେ ମହାନ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ଜନ୍ମ ତିଥି ମଧ୍ୟ ଏହି ଦିନ ପାଳିତ ହୁଏ । ସେ ହେଉଛନ୍ତି ଶ୍ରୀ ଲାଲବାହାଦୂର ଶାସ୍ତ୍ରୀ, ସଂକ୍ଷେପରେ ଶାସ୍ତ୍ରୀଜୀ ଯିଏକି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ । ସେ ଜଣେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଯିଏ କି ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇ ନିଜ ପାରିବାରିକ ଜୀବନ ପ୍ରତି ଆଖି ବୁଝି ଦେଇଥିଲେ । ସେ ଭାରତର ଉନ୍ନତି କଳ୍ପେ ବହୁ ପ୍ରକାର କାର୍ଯ୍ୟମାନ କରିଯାଇଛନ୍ତି । ସେ ଜଣେ ସଂପୂର୍ଣ୍ଣମାନବବାଦୀ ବ୍ୟକ୍ତିତ୍ୱ ଯିଏକି ମଣିଷକୁ କେବଳ ଗୋଟିଏ ମଣିଷ ଜାତି ହିସାବରେ ଦେଖୁଥିଲେ । ସେ ଥିଲେ ସକଳ ଜାତି-ଧର୍ମ ଏବଂ ସଂପ୍ରଦାୟର ଉର୍ଦ୍ଧ୍ୱରେ । ଏଇଥି ପାଇଁ ସେ ତାଙ୍କର ସାଙ୍ଗିଆ ବା ସରନେମ ‘ଶ୍ରୀବାସ୍ତବ’କୁ କାଟିଦେଇଥିଲେ କାରଣ ଏହା ଏକ ଜାତିର ପ୍ରତୀକ ଥିଲା ଏବଂ ସେ ଏହାକୁ ଘୃଣା କରୁଥିଲେ । ଲାଲ ବାହାଦୂରଙ୍କର ଜନ୍ମ ୨ ଅକ୍ଟୋବର ୧୯୦୪ ମସିହାରେ ହୋଇଥିଲା । ତାଙ୍କ ପିତା ଓ ମାତାଙ୍କ ନାମ ଯଥାକ୍ରମେ ଶାରଦା ପ୍ରସାଦ ଏବଂ ରାମୁଦୁଲାଲୀ ଦେବୀ । ତାଙ୍କ ପିତା ଜଣେ ଶିକ୍ଷକ ଥିଲେ । ଦୁଃଖ ଯେ ତାଙ୍କୁ ଦେଢବର୍ଷ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏଣୁ ତାଙ୍କ ମା’ଲାଲବାହାଦୁରଙ୍କୁ ଧରି ନିଜ ପିତାଘରକୁ ଚାଲିଗଲେ । ସେଠାରେ ତାଙ୍କର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାପରେ, ସେ ବାରଣାସୀ ଯାଇ କାଶୀ ବିଦ୍ୟାପୀଠରେ ପଢି ଶାସ୍ତ୍ରୀ ଉପାଧି ପାଇଥିଲେ । ଏହା ଏକ ଉଚ୍ଚ ଶିକ୍ଷାଗତ ଉପାଧି ଥିଲେ ହେଁ, ତାଙ୍କର ଜ୍ଞାନ ଓ ବୁଦ୍ଧିର ବିଚକ୍ଷଣତା କାରଣରୁ ଏହି ଉପାଧି ନାମରେ ସେ ସବୁଦିନ ପାଇଁ ପରିଚିତ ହୋଇଗଲେ । ଶାସ୍ତ୍ରୀଜୀ ଅର୍ଥ ଜ୍ଞାନୀ ।
୧୯୧୫ ମସିହାରେ ଗାନ୍ଧିଙ୍କର ଏକ ଭାଷଣ ଶୁଣିବାରେ ତାଙ୍କୁ ସୁଯୋଗ ମିଳିଲା ଯାହା ତାଙ୍କୁ ସ୍ୱାଧୀନତା ସଂଗ୍ରାମକୁ ଲମ୍ଫ ପ୍ରଦାନ ନିମନ୍ତେ ଅନୁପ୍ରାଣୀତ କଲା । ୧୯୨୧ ମସିହାରେ ସେ ଡେଫିୟାନସ୍ ଅଫ୍ ପ୍ରୋହିବିଟାରୀ ଅର୍ଡର ଶୋଭାଯାତ୍ରାରେ ଯୋଗଦେଇ ବନ୍ଦୀ ହେଲେ ; କିନ୍ତୁ ନାବାଳକ ହେତୁ ତାଙ୍କୁ ମୁକ୍ତି କରାଗଲା । ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇ ସେ ଅଢେଇବର୍ଷ କାଳ ଜେଲ ଯାଇଥିଲେ । ୧୯୪୦ରେ ସେ ବ୍ୟକ୍ତିଗତ ଭାବେ ସତ୍ୟାଗ୍ରହକୁ ପୂର୍ଣ୍ଣ ସମର୍ଥନ ସାବ୍ୟସ୍ତ କଲେ ଏବଂ ପୁଣି ଜେଲ ଗଲେ । ପରେ ବ୍ରିଟିଶ ଭାରତ ଭାରତ ଛାଡ ଆନ୍ଦୋଳନ ପାଇଁ ଲୋକଙ୍କୁ ପ୍ରେତ୍ସାହନ ଯୋଗାଇ ୧୯୪୬ ଯାଏଁ ପୁନଶ୍ଚ ଜେଲ ଭୋଗ କଲେ ।
ଜବାହାର ନେହୁରୁ ଆମର ପ୍ରଥମ ପ୍ରଧାନ ମନ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଭାରତର ପ୍ରଧାନ ମନ୍ତ୍ରୀପଦ ୯ ଜୁଲାଇ ୧୯୬୪ରେ ଗ୍ରହଣ କଲେ । ତାଙ୍କର ପ୍ରଧାନ ମନ୍ତ୍ରୀତ୍ୱ ବେଳେ ଭାରତର ପ୍ରଗତି ଓ ଉନ୍ନତି କାମନାକରି ସେ ସବୁଜ ବିପ୍ଳବ ଏବଂ ଶ୍ୱେତ ବିପ୍ଳବର ସେ ଆହ୍ୱାନ ଦେଇଥିଲେ । କୃଷି ଓ କୃଷକଙ୍କର ଉନ୍ନତି କାରଣାର୍ଥେ ତାଙ୍କର ସ୍ଳୋଗାନ ଥିଲା “ଜୟ କିଶାନ” ଏବଂ ସୈନିକ ମାନଙ୍କ ପାଇଁ ଥିଲା “ଜୟ ଜୱାନ” । ତାଙ୍କ ମତରେ ଦେଶର ନିରାପତ୍ତା ସୈନିକ ମାନଙ୍କ ହସ୍ତରେ ଏବଂ ଦେଶର ଅର୍ଥନୈତିକ ମେରୁଦଣ୍ଡ କୃଷକମାନଙ୍କ ହସ୍ତରେ ନ୍ୟସ୍ତ ଥିବାରୁ ସେମାନେ ପ୍ରଥମେ ବନ୍ଦନୀୟ । ଏହା ବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାମରେ ତାଙ୍କର ଭୂମିକା ସ୍ୱୀକାର୍ଯ୍ୟ ।
ଶାସ୍ତ୍ରିଜୀଙ୍କର ମୃତ୍ୟୁର କାରଣ ଏବେ ବି ଅନ୍ଧକାରାଛନ୍ନରେ ଅଛି । ଭାରତ ଓ ପାକିସ୍ଥାନ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧର ଅବସାନ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ସୋଭିଏତ ଦେଶର ପ୍ରଧାନମନ୍ତ୍ରୀ ଆଲେକ୍‌ସି କୋସିଜୀନଙ୍କ ମଧ୍ୟସ୍ଥତାରେ ଏକ ମୀମାଂସାଜନିତ ସୂତ୍ରପାତ ହେଲା ସୋଭିଏତର ତାସଖେଣ୍ଡରେ । ଶାନ୍ତିକାମୀ ଶାସ୍ତ୍ରୀଜୀ ଏଥିରେ ଆନନ୍ଦର ସହିତ ଯୋଗଦେଲେ । ପାକିସ୍ଥାନ ତରଫରୁ ଜେନେରାଲ ଆୟୁବୁ ଖାଁ ସେଥିରେ ଉପସ୍ଥିତ ଥିଲେ । ଅଳିଆ ତୁଟିଲା । ୧୦ ଜାନୁୟାରୀ ୧୯୬୬ ମସିହା ଦିନ ପାକିସ୍ଥାନର ଆୟୁବୁ ଖାଁ ଏବଂ ଆମ ଶାସ୍ତ୍ରୀଜୀ ଶାନ୍ତିପ୍ରସ୍ଥାବ ଉପରେ ଦସ୍ତଖତ କଲେ । ଏହି ସର୍ତ୍ତ ଅନୁଶାରେ ଉଭୟ ଦେଶର ସୈନ୍ୟ ୨୫ ଜାନୁୟାରୀ ୧୯୬୬ ସୁଦ୍ଧା ନିଜ ନିଜର ପୂର୍ବସ୍ଥାନକୁ ଫେରିଯିବା କଥା । ଏ ସମ୍ବାଦରେ ଭାରତୀୟମାନେ ଅତି ବା ଆନନ୍ଦିତ ହେଲେ ।
୧୦ ଜାନୁୟାରୀ ୧୯୬୬ ରାତିକୁ ତାଙ୍କର ଛାତିରେ ଯନ୍ତ୍ରଣାହେଲା । ୧୧ ଜାନୁୟାରୀ ସକାଳୁ ସକାଳୁ ତାଙ୍କର ଦେହାନ୍ତ ହେଲା । ଅନେକଙ୍କ ମତରେ ତାଙ୍କର ହୃଦକ୍ରିୟା ଜନିତ ମୃତ୍ୟୁ ହୋଇଛି ଅଥଚ ଅନେକଙ୍କର ମତ ଯେ ତାଙ୍କୁ ବିଷ ପ୍ରୟୋଗ କରାଇ ମାରି ଦିଆଯାଇଛି କାରଣ ତାଙ୍କର ମୃତ ଦେହଟି ସଂପୂର୍ଣ୍ଣ ନୀଳ ପାଲଟିଯାଇଥିଲା ଯାହାକି ବିଷ ପ୍ରୟୋଗର ଲକ୍ଷଣ । ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଏକ ରହସ୍ୟାବୃତ୍ତ ହୋଇ ରହିଯାଇଛି ।
ଶାସ୍ତ୍ରୀଜୀ ତାଙ୍କ ମୃତ୍ୟୁ ପୂର୍ବରୁ ଯେତିକି ପ୍ରସାରିତ ଓ ପ୍ରଚାରିତ ହୋଇନଥିଲେ, ତାଙ୍କ ମୃତ୍ୟୁ ସେ କ’ଣ ବୋଲି ପ୍ରମାଣିତ କରିଦେଲା । ଭାରତର ଶୋକାକୂଳ ଜନତା ତାଙ୍କୁ ଦିଲ୍ଲୀର ଯେଉଁଠାରେ ଦାହ କଲେ, ତାହାର ନାମ ରଖିଲେ ବିଜୟ ଘାଟ । ଦେଶ ପାଇଁ ତାଙ୍କ ମୃତ୍ୟୁ ତାଙ୍କୁ ବିଜୟର ଠିକା ପିନ୍ଧାଇ ଦେଇଛି, ଖାସ୍ ଏଇ ତାସଖେଣ୍ଡ ଚୁକ୍ତିରେ ।
ନିଜ ସଂପର୍କରେ ସେ କହିଯାଇଛନ୍ତି : ମୁଁ ଶାସକ ନୁହେଁ, ମାତ୍ର ଜଣେ ସେବକ ; ମୁଁ ଜଣେ ସାଧାରଣମାନଙ୍କ ମଧ୍ୟରେ ସାଧାରଣ ।
ସତରେ ଶେଷଯାଏଁ – ସେହିଁ ସାଧାରଣ ଥିଲେ । ତାଙ୍କ କର୍ମ, ସେବା ତଥା ମହତ ପଣିଆ ପାଇଁ ସେ ସଦାକାଳେ ଆମ ପାଖେ ଥିବେ ।
ଆଜିର ଜୟନ୍ତୀ ଅବସରେ ଆସନ୍ତୁ, ଏହି ଦୁଇ ଭାରତୀୟ ମହାନ ବ୍ୟକ୍ତିଙ୍କ ପ୍ରତି ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା । ଏହା ହିଁ ସେମାନଙ୍କ ପ୍ରତି ଆମ୍ଭମାନଙ୍କର ଶ୍ରେଷ୍ଠ ସମ୍ମାନ ହେଉ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ଜଟଣୀ
ଶୂନ୍ୟଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ