ଗଜପତିର ସଫଳ ଚାଷୀ ଦିନବନ୍ଧୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦିନବନ୍ଧୁ କାର୍ଜୀ ଗଜପତି ଜିଲ୍ଲାର ଆର୍‌.ଉଦୟଗିରି ବ୍ଲକ ଅଧିନସ୍ଥ ସୁବଲଡା ଗ୍ରାମ ପଞ୍ଚାୟତରେ ଥିବା ଏସ୍‌.ଗୁଡିସାହି ଗ୍ରାମର ଜଣେ ଗରିବ ଆଦିବାସୀ କୃଷକ, ଯାହାର ୬ ଏକର ଶୁଖିଲା ଜମି ଅଛି । ବହୁ ଦିନରୁ ସେ କେବଳ ବିରି, ତିଳା, ମାଣ୍ଡିଆ ଇତ୍ୟାଦି ଚାଷ କରୁଥିଲେ ଏବଂ ତାଙ୍କର ବାର୍ଷିକ ଆୟ ମାତ୍ର ୫୦୦୦ ରୁ ୨୦୦୦୦ ଟଙ୍କା ମଧ୍ୟରେ ପାଉଥିଲେ । ୨୦୦୯ ମସିହାରେ ପ୍ରଥମ ଥର ପାଇଁ ୫୦୦ ଆଦିବାସୀ କୃଷକଙ୍କ ବିକାଶ ପାଇଁ ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଭାଗିତାରେ ନାବାର୍ଡଙ୍କ ସହଯୋଗରେ ଗଜପତି ଜିଲ୍ଲାରେ ୱାଡି (ବିସ୍ତୃତ ଆଦିବାସୀ ବିକାଶ କାର୍ଯ୍ୟକ୍ରମ) ପ୍ରକଳ୍ପ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ସଚେତନତା ଶିବିର ମାଧ୍ୟମରେ ୨୦୧୦ ମସିହାରେ ଦିନବନ୍ଧୁ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରୋଗ୍ରାମ ଉପାଦାନ ଅନୁଯାୟୀ ଆମ୍ବ, ଲେମ୍ଭୁ ଏବଂ ଲିଚି ଚାରା (୪୦:୨୦:୧୦) ସହିତ ୩ ବର୍ଷର ରକ୍ଷଣାବେକ୍ଷଣ ଏବଂ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟକ୍ରମ, ଜଳ ଉତ୍ସ ବିକାଶ (ପମ୍ପ ସେଟ୍ ସହିତ ନଳକୁପ), ଅନ୍ତଫସ୍ଲ, ବୋର୍ଡର କ୍ରପ୍ ପାଇଁ ମଧ୍ୟ ସହାୟତା ପାଇଥିଲେ । କୃଷିବିଜ୍ଞାନ କେନ୍ଦ୍ର, ଉଦ୍ୟାନ କୃଷି ଏବଂ ପ୍ରାଣୀ ଚିକିତ୍ସା ଇତ୍ୟାଦିରୁ ବୈଷୟିକ ପ୍ରଶିକ୍ଷଣରେ ଦକ୍ଷତା ଅର୍ଜନ କରି ଅଧିକା ରୋଜଗାର କରିବାର ଆତ୍ମବିଶ୍ୱାସ ପାଇଲେ । ଦିନକୁ ଦିନ ଚାଷର ଉନ୍ନତି ପାଇଁ ସେ ଘର ପଛରେ ବଳଦ, ଗାଈ ଓ କୁକୁଡା ପାଳନ କରି ଜୀବିକା ସହାୟତା ପାଇଁ ଆଗ୍ରହୀ ହେଲେ । ବର୍ତ୍ତମାନ ସେ ୨୦ଟି ଛେଳି, ୨୫ କୁକୁଡା, ୩ଗାଇ ଏବଂ ୨ଗୋଟି ବଳଦ ରଖିଛନ୍ତି । ସେହିଭଳି ତାଙ୍କ ଜମି ସୀମାରେ ଥିବା ଜଙ୍ଗଲ ମଧ୍ୟରେ ବନବିଭାଗର ଗଛ, କନ୍ଦାଜାତୀୟ ଫସଲ (ୟାମ) ଇତ୍ୟାଦି ରୋପଣ କରିଛନ୍ତି । ହଳଦୀ, ଅଦା ଓ ପନିପରିବା ଚାଷ କରୁଛନ୍ତି । ନିଜ ବାଡି ମଧ୍ୟରେ ତାଙ୍କୁ ସୀତାଫଳ, ଅମୃତଭଣ୍ଡା, ସର୍ଜନା ଏବଂ କଦଳୀ ଇତ୍ୟାଦି ଇଣ୍ଟର-ଫିଲର୍ ଫସଲକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା । ବାଡିରେ ଇଣ୍ଟରକ୍ରପ୍ ଭାବରେ ତାଙ୍କୁ ରନ୍‌ର ବିନ୍ସ, ମିଠା ମକା, ବାଇଗଣ, ଟମାଟୋ, ମରିଚ, କଖାରୁ, ହଳଦୀ ଓ ଅଦା ମସଲା ଜାତୀୟ ଚାଷର ମଧ୍ୟ ପ୍ରତ୍ସାହନ ଦିଆଯାଇଥିଲା । ଦୀନବନ୍ଧୁ କିନ୍ତୁ ଜୈବିକ କୃଷି ମଡେଲ ଛାଡି ନଥିଲେ । ତେଣୁ ସେ ତାଙ୍କ ଫାର୍ମରେ ଜିଆଖତ, ବାୟୋ ଡିକମ୍ପୋଜର, ଜୀବମୃତ ଏବଂ ହାଣ୍ଡି ଖାତକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ଆଗରୁ ମକା ଚାସ କରୁଥିଲେ କିନ୍ତୁ ସେଥିରେ ରାସାୟନିକ ସାର ସହ ଅଧିକ ଅର୍ଥ ଆବଶ୍ୟକ ହେଉଛି ଓ ଜମି ଦିନକୁ ଦିନ କ୍ଷତି ହେଉଛି ଭାବି ୨୦୧୯ରେ ମକାଚାଷ ଛାଡିଦେଲେ । ଓଡିଶା ମିଲେଟ ମିଶନ ସହାୟତାରେ ମାଣ୍ଡିଆ ଚାଷ ଆରମ୍ଭକରି ତାଙ୍କ ପରିବାର ପାଇଁ ପୃଷ୍ଟିକର ଖାଦ୍ୟ ପାଇବା ସହିତ ସରକାରୀ ଦରରେ ମଣ୍ଡିରେ ମାଣ୍ଡିଆ ବିକ୍ରୟ କରି ଅଧିକ ପଇସା ପାଇଛନ୍ତି । କିଛିଦିନ ତଳେ ଦିନବନ୍ଧୁଙ୍କ ବାଡିକୁ ଗଜପତି ଜିଲ୍ଲାର ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀ ଯଥା ଜିଲ୍ଲା କୃଷିଅଧିକାରୀ ଆର୍‌.ଉଦୟଗିରି, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ପଶୁସମ୍ପଦ ଅଧିକାରୀ, ଜିଲ୍ଲା ମାଛ ଚାଷ ଅଧିକାରୀ ଓ ୱାସନ ସଂଗଠନର ଜିଲ୍ଲା ସଂଯୋଗିକା ପରିଦର୍ଶନ କରିଥିଲେ ସେମାନଙ୍କୁ ଦିନବନ୍ଧୁ କହିଥିଲେ ଯେ ପ୍ରଥମ ନିବେଶ ହିସାବରେ ୧ ଏକର ୱାଡିର ବିକାଶ ପାଇଁ ନାବାର୍ଡ ସହାୟତା ୪୦ହଜାର ଟଙ୍କା ଥିଲା ୬ ବର୍ଷ ପରେ ବାର୍ଷିକ ଉଦ୍ୟାନ କୃଷି ଫଳ (ଆମ୍ବ, ଲିଚି, ଲେମ୍ବୁ, ଧନିଆପତ୍ର, ବନ୍ଧାକୋବି, ଅଦା, କଦଳୀ) ବିକ୍ରି କରି ୫୦ହଜାର ଟଙ୍କା କନ୍ଦା ଜାତୀୟ ଫସଲ ବିକ୍ରିକରି ୨୦ହଜାର ଟଙ୍କା, ପନିପରିବା, ମକା ଓ ମାଣ୍ଡିଆ ବିକ୍ରି କରି ୨୫ହଜାର ଟଙ୍କା, ଛେଳି ବିକ୍ରୟ କରି ୨୫ହଜାର ଟଙ୍କା, କୁକୁଡା ବିକ୍ରୟ କରି ୫ହଜାର ଟଙ୍କା ଏହିଭଳି ଭାବେ ବାର୍ଷିକ ୧ଲକ୍ଷ ୩୦ହଜାର ଟଙ୍କା ଆଦାୟ ହେଉଛି । ବିନିଯୋଗ ମୂଲ୍ୟ, ଶ୍ରମ ବିହନ ଇତ୍ୟାଦିକୁ ମିଶାଇ ୩୦ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ବଳକା ୧ ଲକ୍ଷ ଲାଭ ପାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ