ବଗଳାମୁଖୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) : ପବିତ୍ର ମହାଳୟା ଅବସରରେ ବୁଧବାରଠାରୁ ବିଭିନ୍ନ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଛି ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କ ନବରାତ୍ର ପୂଜା । ଏହି କ୍ରମରେ ବାଲେଶ୍ୱର ସହର ଉପକଣ୍ଠ ତାମୁଳିଆସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରୀ ସିଦ୍ଧ ମହା ଶକ୍ତିପୀଠରେ ଜଗତଜନନୀ ମା’ଙ୍କର ନବଦିନାତ୍ମକ ପୂଜା ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାତଃରୁ ପଞ୍ଚଦେବଙ୍କୁ ଅର୍ଘ୍ୟ ପ୍ରଦାନ ପୂର୍ବ ଘଟ ଉତ୍ତୋଳନ ଓ ମଣ୍ଡଳ ସ୍ଥାପନ ସହ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ସଂଧ୍ୟାରେ ସପ୍ତସତୀ ଚଣ୍ଡିପାଠ ଓ ରାତିରେ ୧୦୮ ଆହୁତି ଆଦି କର୍ମକାଣ୍ଡ ମାଧ୍ୟମରେ ପୀଠର ଅଧିଷ୍ଠାତ୍ରୀ ମା’ ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା । କୋଭିଡ କଟକଣା ପାଇଁ ପୀଠର କର୍ମକର୍ତ୍ତା, ସୀମିତ ସଂଖ୍ୟକ ମାନସିକଧାରୀ ଓ ସେବକଙ୍କ ଉପସ୍ଥିତିରେ ବ୍ରାହ୍ମଣ ମାଆଙ୍କ ପୂଜା ସମ୍ପନ୍ନ କରିଛନ୍ତି । ପ୍ରଥମ ଦିନରେ ନବଶକ୍ତିକୁ ଶ୍ରଦ୍ଧା ଓ ଭକ୍ତିର ସହ ଏଠାରେ ଆହ୍ୱାନ କରାଯାଇଛି ଏଠି । ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କୁ ପ୍ରଥମ ଦିନରେ ପାର୍ବତ୍ୟ ରାଜା ହିମାଳୟଙ୍କ ପୁତ୍ରୀ ଭାବେ ଶୈଳପୁତ୍ରୀ ସ୍ୱରୂପରେ ଅର୍ଚ୍ଚନ କରାଯାଇଛି । ସେହିପରି ଦ୍ୱିତୀୟ ଦିବସରେ ଦକ୍ଷ ପ୍ରଜାପତିଙ୍କ କୁମାରୀ କନ୍ୟା ବ୍ରହ୍ମଚାରିଣୀ ସ୍ୱରୂପ, ତୃତୀୟ ଦିବସରେ ମା’ଙ୍କର ବିବାହିତ ସ୍ୱରୂପ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିବସରେ ସୂର୍ଯ୍ୟଙ୍କ ଠାରୁ ଅଧିକ ଶକ୍ତିଶାଳୀ କୁଷ୍ମାଣ୍ଡା, ପଞ୍ଚମ ଦିବସରେ ଦେବକୁମାର କାର୍ତ୍ତିକଙ୍କ ମାତା ଭାବେ ସ୍କନ୍ଦମାତା, ଷଷ୍ଠ ଦିବସରେ କାତ୍ୟାୟନ ମୁନୀଙ୍କ କନ୍ୟା ତଥା ବିଜୟର ପ୍ରତୀକ ମା’ କାତ୍ୟାୟନୀଙ୍କ ଅର୍ଚ୍ଚନ କରାଯିବ । ଅନ୍ୟପକ୍ଷରେ ମହାସପ୍ତମୀ ତିଥିରେ ଶୁମ୍ଭ ଓ ନିଶୁମ୍ଭ ଭଳି ରାକ୍ଷାସଙ୍କ ବିନାଶକାରୀ ତଥା କାଳଠାରୁ ଅଧିକ ଶକ୍ତିଶାଳୀ ମା’ କାଳରାତ୍ରୀ, ମହାଅଷ୍ଟମୀ ତିଥିରେ ନିର୍ମଳ ଓ ପବିତ୍ରତାର ପ୍ରତୀକ ମା’ ମହାଗୌରୀ ଏବଂ ମହାନବମୀ ତିଥିରେ ଆଦି ପରାଶକ୍ତି ତଥା ସୃଷ୍ଟି ରଚନାକାରୀ ସିଦ୍ଧିଦାତ୍ରୀ ସ୍ୱରୂପରେ ମା’ଙ୍କୁ ପୂଜା କରାଯିବ ବୋଲି ପୀଠାଧୀଶ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ