ଗଜପତିରୁ ଆନ୍ଧ୍ରକୁ ଚାଲାଣ ବେଳେ ୩୦୦ଲିଟର ଚୋରା ଦେଶୀ ମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନା ପକ୍ଷରୁ ୩୦୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଥିବାର ଜଣାଯାଇଛି । ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ମନୋଜ କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ଗ୍ରାମ ନିକଟରେ ଏକ ଅଟୋରିକ୍ସାରେ ଚାଲାଣ ହେଉଥିବା ଏହି ଦେଶୀ ମଦକୁ ଜବତ କରାଯାଇଛି । ଘଟଣାରେ ବ୍ୟବହୃତ ଅଟୋ ନମ୍ବର ଏପି ୩୦ ୱାଇ ୩୪୬୯କୁ ଜବତ କରାଯାଇଛି । ଥାନା ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଅଟୋ ଯୋଗେ ୪୦ଲିଟର କ୍ଷମତା ବିଶିଷ୍ଟ ୬ଗୋଟି ପ୍ଲାଷ୍ଟିକ ଡବା, ଏବଂ ୨୦ ଲିଟର କ୍ଷମତା ବିଶିଷ୍ଟ ୩ଟି ପ୍ଲାଷ୍ଟିକ ଡବାରେ ୩୦୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଖବର ଆସିଥିଲା । ଏହାକୁ ଭିତ୍ତିକରି ତୁରନ୍ତ ଏଏସ୍ଆଇ ଶ୍ରୀପାଢୀ ଏବଂ ତାଙ୍କ ଦଳୀୟ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଅଟୋକୁ ଅଟକାଇ ଗାଡି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏଥିରେ ଦେଶୀ ମଦ ଦେଖିବାକୁ ପାଇଥିଲେ । ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରଥ ରଇତ, ରାଜେଶ ନାୟକ, ଶୁକ୍ରୁ ମଣ୍ଡଳ, ମାନସୀ ନାୟକ । ଏହି ମଦକୁ ଚମ୍ପାସାହି ଠାରୁ ଆନ୍ଧ୍ରପ୍ରଦେଶର କାଶୀବୁଗାକୁ ଚାଲାଣ ହେଉଥିବାର ଅଭିଯୁକ୍ତ ମାନେ ସ୍ୱୀକାର କରିଥିବାର ଥାନା ସୂତ୍ରରୁ ପ୍ରକାଶ । ଏନେଇ ରାୟଗଡ ଥାନାରେ ୮୪/୨୧ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।