ଗଂଗାଧର : ଗଂଗାଧାର

ମାୟାଧର ନାୟକ
ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ – ଏଇ ଓଡିଶାରେ ଦିନେ ମୁକୁନ୍ଦଦେବ ଗଂଗାନଦୀକୁ ଓଡିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଂଗ କରିବ, ତାକୁ ଦି’ଖଣ୍ଡ କରିଦେବି ।
ରାଜାଙ୍କ ତପସ୍ୟା ଦିନପରେ ଦିନ ବଢିଚାଲିଲା । ଗଂଗା କିନ୍ତୁ ଓଡିଶା ଆସିଲା ନାହିଁ । ସେନାପତି କହିଲେ, ମୋ ଗଣ୍ଡି ବରଂ ଦି’ଗଡ ହେଉ, ରାଜା ତପସ୍ୟା ଭାଙ୍ଗନ୍ତୁ । ମନ୍ତ୍ରୀ କହିଲେ, ନା-ନା ବରଂ ବଂଶୀବାଦନ କରାଯାଇ ରାଜାଙ୍କ ତପସ୍ୟା ଭଂଗ କରାଯାଉ । ସେଇୟା ହେଲା ।
ରାଜାଙ୍କ ତପସ୍ୟା ଭଂଗ ହେଲା । ଯିଏ ତାଙ୍କ ତପସ୍ୟା ଭଂଗ କଲା, ରାଜା ତାକୁ ଦି’ଖଣ୍ଡ କରିବାକୁ ଆଦେଶ ଦେଲେ । ମନ୍ତ୍ରୀ କହିଲେ, ହଜୁରଙ୍କ ତପସ୍ୟା ଏଇ ବଂଶୀଖଣ୍ଡକ ଭଂଗ କରିଛି, ବରଂ ବଂଶୀଟିକୁ ଦି’ଖଣ୍ଡ କରାଯାଉ । ସେଇୟା ମ୍ମ ହେଲା । ଏଠାରେ ଏ ପ୍ରବାଦ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା – ଓଡିଶାକୁ ରାଜା ସିନା ଗଂଗାନଦୀକୁ ଆଣିପାରିଲେ ନାହିଁ; କିନ୍ତୁ ଗଂଗାଧର ମେହେର ସାରା ଭାରତରେ ଗଂଗାଜଳ ଛିଂଚିଦେଲେ; ଗଂଗାଧରଙ୍କ ପବିତ୍ର ଗଂଗାଜଳରେ ଓଡିଶା ସିକ୍ତ ହେଲା । ଗଂଗାଧରଙ୍କ ହୃଦୟରୁ ଯେଉଁ ଜଳ ଉତ୍ସରିତ ହେଲା, ତାହା ପ୍ରକୃତରେ ‘ଗଂଗାଧାର’ ।
ଗଂଗାଧର ମେହେରଙ୍କ ପ୍ରାଂଜଳ ପଦାବଳୀ ଅଧିକାଂଶ ସ୍କୁଲରେ ହଷ୍ଟେଲରେ ପ୍ରାର୍ଥନାବେଳେ ସମସ୍ୱରରେ ସ୍ପଂଦିତ ହୁଏ । ‘ମଙ୍ଗଳେ ଅଇଲା ଉଷା’ ଏବେବି ଗୁଂଜରଣ ସୃଷ୍ଟି କରେ । ତାଙ୍କ ତପସ୍ୱିନୀ, ପ୍ରଣୟ ବଇରୀ, ଇନ୍ଦୁମତୀ, ରସରତ୍ନାକର ଓ କୀଚକବଧ ଭଳି କାବ୍ୟ ଭାରତୀୟ ଭାଷାସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଏହି କାବ୍ୟପୁସ୍ତକର ଅଧିକାଂଶ ହିନ୍ଦୀ ଓ ଇଂରାଜୀ ଭାଷାରେ ମ୍ମ ଅନୁବାଦ ହୋଇସାରିଛି ।
ଗଙ୍ଗାଧର ମେହେରଙ୍କୁ ଆମେ ପିଲାଦିନୁ ସ୍କୁଲ ଛାତ୍ରାବସ୍ଥାରୁ ସ୍ୱଭାବକବି ବୋଲି ଶୁଣିଆସୁଛୁ; କିନ୍ତୁ ଏହି ‘ସ୍ୱଭାବ କବି’ଙ୍କ ପାଇଁ ଅଭାବର ମରୁଭୂମିରେ କିପରି ‘ଭାବ’ ଫୁଟିଉଠିଛି ଦେଖନ୍ତୁ – ‘ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର / ଜଂଜାଳଜଳଦଜାଳେ ଆବିଳ ଉଦର ।’ ୧୮୬୨ରେ ପଶ୍ଚିମ ଓଡିଶାର ବରପାଲିରେ ଜନ୍ମିତ ଗଙ୍ଗାଧର ମେହେର । ମାତ୍ର ୬୨ ବର୍ଷରେ ସେ ତାଙ୍କ ଖେଳାଲୀଳା ସାରି ବାହୁଡିଗଲେ । ଛାଡିଦେଇଗଲେ ଅମୂଲ୍ୟ ସଂପଦ ।
ଆମେ ରବୀନ୍ଦ୍ରନାଠ ଠାକୁରଙ୍କୁ ବିଶ୍ୱକବି ବୋଲି ଜାଣୁ । ରବି ଠାକୁର ଗଂଗାନଦୀର ନୀଳଜଳତରଙ୍ଗକୁ ବାରମ୍ବାର ଉପଭୋଗ କରିଛନ୍ତି । ଗଂଗାଜଳ ରବିଠାକୁରଙ୍କୁ ପବିତ୍ର କରିଛି, କିନ୍ତୁ ଓଡିଶାର ‘ଟାଗୁର’ ଗଂଗାଧର ମେହେର ନିଜରାଜ୍ୟର ମାଟିପାଣିପବନରେ ବିଭୋର ହୋଇ ଯେଉଁ କାବ୍ୟକବିତା ରଚନା କରିଗଲେ, ତାହା ରବି ଟାଗୁରଙ୍କ କାବ୍ୟଠାରୁ ପ୍ରସାଦଗୁଣ ଦୃଷ୍ଟିରୁ କୌଣସିଗୁଣରେ କମ୍ ନୁହେଁ । ଆମେ ସବୁ ହତଭାଗ୍ୟ ଓଡିଆ, ଗଂଗାଧର ମେହେରଙ୍କୁ ବିଶ୍ୱସାହିତ୍ୟରେ ପରିଚିତ କରାଇବାକୁ ସକ୍ଷମ ହୋଇପାରିଲେ ନାହିଁ; କେବଳ ଯାହା ପାଠ୍ୟପୁସ୍ତକରେ କି ମହାବିଦ୍ୟାଳୟରେ ତାଙ୍କ ନାମ ଯୋଡାଗଲା ।

ପରାଧୀନ ଭାରତବର୍ଷରେ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ଭୟଙ୍କର ରାଜୁତିର ଦମନଲୀଳାରେ କେବଳ ସାଧାରଣଲୋକେ ନୁହଁନ୍ତି, ସାମନ୍ତବାଦୀ ରଜା ଜମିଦାରମାନେ ସୁଦ୍ଧା ତ୍ରାହି ତ୍ରାହି ଡାକୁଥିଲେ – ଠିକ୍ ସେତିକିବେଳେ ଯୋଗଜନ୍ମା ଗଂଗାଧର ଭୂମିଷ୍ଠ ହେଲେ । ଏଇ ଓଡିଶାର ଜନଗଣ ଯୁଗଯୁଗ ଧରି କେତେ ଯେ ଗୋଲାମୀ ଖଟିଛନ୍ତି, ତାର କଳନା ନାହିଁ । ସମସ୍ତପ୍ରକାର ଦୁଃଖ, ଯାତନା, ଅପମାନ, ଶୋଷଣ, କଷଣ, ଅତ୍ୟାଚାର ଭିତରେ ଗଂଗାଧର ମେହେର ଜୀବନର ଅପୂର୍ବ ଅର୍ଥ ସୃଷ୍ଟି କରିବା ଆଶ୍ଚର୍ଯ୍ୟଜନକ ମନେହୁଏ । ତାଙ୍କର ଜୀବନକ୍ଷେତ୍ର, ସାହିତ୍ୟକ୍ଷେତ୍ର, ଧର୍ମକ୍ଷେତ୍ର, ଯୁଦ୍ଧକ୍ଷେତ୍ର ସବୁ ଏକାକାର ହୋଇଯାଇଛି । ସେ ସୃଷ୍ଟି କରିଛନ୍ତି ଅପୂର୍ବ ଛନ୍ଦରେ, ଅମୃତମୟ କରି ଦେଇଛନ୍ତି ଭାରତୀୟ ଭାଷାସାହିତ୍ୟକୁ ।
ସ୍ୱଭାବକବିଙ୍କର ଘରଦ୍ୱାର, ଜମିବାଡି, ଧନସମ୍ପତି, ପିଲାଛୁଆ, ଭାଇଭଉଣୀ, ବାପମା, ସାଙ୍ଗସାଥୀ, ଶିକ୍ଷାଦୀକ୍ଷା, ଆଚାରବ୍ୟବହାର, ପାପପୁଣ୍ୟ, ଦୁଃଖସୁଖ, ଭଲମନ୍ଦ ସଂପର୍କରେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଛି । କବିଙ୍କ କାବ୍ୟକବିତାକୁ ନେଇ ଅନେକ ତର୍ଜ୍ଜମା ହୋଇଛି । ମୁଁ କେବଳ ସେଇ ତର୍ଜ୍ଜମାର ବାହାରେ କିଛି ତର୍ଜ୍ଜମା ନିର୍ଦ୍ଦେଶ କରୁଛି ମାତ୍ର ।
ତୁଳସୀ ଦୁଇପତ୍ରରୁ ବାସିଲାଭଳି ବାଲ୍ୟକାଳ, ଯୌବନକାଳରୁ ଶେଷକାଳ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ ଦିନ, ମାସ ବର୍ଷକୁ ନିବିଷ୍ଟଭାବେ ନିରୀକ୍ଷଣ କରି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସୂର୍ଯ୍ୟଚନ୍ଦ୍ର, ଦିନରାତି, ଅନ୍ଧାର-ଆଲୁଅ, ଧାନକ୍ଷେତ୍ର, ଶସ୍ୟଶ୍ୟାମଳା ‘ଳପୁଷ୍ପକ୍ଷେତ୍ର, ମହାନଦୀର ନୀଳ ଜଳରାଶିଠାରୁ ଆରମ୍ଭ କରି ମଣିଷ ଜୀବନର ସକଳ ଭଲମନ୍ଦ ଗୁଣରୁ ଅମୃତ ଆହାର କରି ସ୍ୱ-ଭାବରେ କବିକଣ୍ଠରୁ କବିଙ୍କ କଲମମୂନରୁ ଝରିଯାଇଛି କେବଳ ମହାନଦୀ ନୁହେଁ, ଗଙ୍ଗା, ଗୋଦାବରୀ ସମେତ କାହିଁ କେତେ ପବିତ୍ର ନଦୀ । ଧନ୍ୟ, ଧନ୍ୟ ହେ ଆମେ ଓଡିଶାବାସୀ – ଗଂଗାଧର ମେହେର ଓଡିଶା ମାଟିରେ ଜନ୍ମ ନେଇଥିବା ଯୋଗୁ ।
ଅନ୍ୟଅର୍ଥରେ କହିବାକୁ ଗଲେ କବି ଥିଲେ ସ୍ୱାଭିମାନୀ । ସ୍ୱାଭିମାନ ତାଙ୍କ ପ୍ରତି ରକ୍ତକଣାରେ ଭରପୂର ଥିଲା । ଶାଳୀନତା ତାଙ୍କର ଶ୍ରେଷ୍ଠଗୁଣ । ସ୍ୱାଭିମାନ ଓ ଶାଳୀନତାର ସମ୍ମିଶ୍ରଣରେ କବିଙ୍କ ପ୍ରତିଭା ହିଁ ଅନ୍ଧକାରର ବକ୍ଷବିଦାରି ନୂତନ ସକାଳ, ସୂର୍ଯ୍ୟୋଦୟର ସୁଡଙ୍ଗ ଆଡକୁ ମୁହାଁଇ ନେଇଛି । ତପସ୍ୱିନୀ କାବ୍ୟରେ କବିଙ୍କ ଅମୃତମୟ ନିର୍ମଳଧାରା ପ୍ରତ୍ୟେକ ଶଦ୍ଦରେ ବ୍ରହ୍ମଜ୍ଞାନ, ସ୍ୱର୍ଗସୁଖକୁ ମର୍ତ୍ୟରେ ଆରି ବିତରଣ କରିବା ଖୁବ୍ କ୍ୱଚିତ୍ ଭାରତୀୟ କବିଙ୍କ ପାଖରେ ମିଳେ ।
ଜଣେ ଅମୀନ, ମୋହରିର ଯେ ମହାମହା କବିଙ୍କ ଗହଳରେ ସ୍ଥାନ ପାଇବେ, ଚିନ୍ତା କଲାବେଳକୁ ଆଜି ବି ଆମକୁ ଆଶ୍ଚର୍ଯ୍ୟ ଲାଗେ । କବିସମ୍ରାଟ ଉପେନ୍ଦ୍ର ଭଂଜ, କବିସୂର୍ଯ୍ୟ ବଳଦେବ ରଥ, କବିବର ରାଧାନାଥ ରାୟ, ବ୍ୟାସକବି ‘କୀରମୋହନ, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ ପ୍ରମୁଖ ମ୍ମରେ ସ୍ୱଭାବକବି ଗଂଗାଧର ମେହେର ଆଜି ପ୍ରାତଃ ସ୍ମରଣୀୟ । କବିଙ୍କର ମ୍ମ ମହାକବି କାଳିଦାସ, ବିଶ୍ୱକବି ରବୀନ୍ଦ୍ରନାଥଙ୍କ କାବ୍ୟକବିତା ଅତ୍ୟନ୍ତ ପ୍ରିୟ ଥିଲା ।
କବିଙ୍କ ଭାବ, ଭାଷା, ଛନ୍ଦ, ଶଦ୍ଦ ଗୁନ୍ଥନର ଲାଳିତ୍ୟକୁ ହୃଦୟଙ୍ଗମ କରି ଅନେକ ପଣ୍ଡିତ, ଶିକ୍ଷାବିତ୍ ଇଂରାଜି, ହିନ୍ଦୀ, ସଂସ୍କୃତରେ ଅନୁବାଦ କରିଛନ୍ତି – ହେଲେ ତାହା ବ୍ୟାପକଭାବେ ପ୍ରଚାର ପ୍ରସାର ଲାଭ କରିପାରିନି । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ମହାକବି କାଳିଦାସଙ୍କ ‘ରଘୁବଂଶ’ ଭଳି ସ୍ୱଭାବକବି ଗଂଗାଧରଙ୍କ ‘ତପସ୍ୱିନୀ’ କାବ୍ୟର ବର୍ଣ୍ଣନା ଅତି ଚମତ୍କାର । ଏହି କାବ୍ୟ ଭିତରକୁ ଯିଏ ପଶିଯାଇଛି – ସେ ପରମତୃପ୍ତି ପାଇଛି ।
ଗଂଗାଧରଙ୍କ ଜୀବନଦର୍ଶନ, ଦାର୍ଶନିକ ଦୃଷ୍ଟିଭଂଗୀ, କାଳଜୟୀ ସାହିତ୍ୟକୃତିକୁ ଯଥାଯଥ ଭାବେ ବିଶ୍ୱସମ୍ମୁଖରେ ପରିବେଷଣ କରିବା ଏକ ମହାନ କାର୍ଯ୍ୟ ।

ଏଥିପାଇଁ ମହାନଆତ୍ମା, ମହାଜ୍ଞାନୀ, ମହତବ୍ୟକ୍ତି, ମାନବବାଦୀ ମହାମନୀଷୀମାନେ ମନ୍ମାନ ଦେଲେ ଗଂଗାଧର ମେହେର କେବଳ ଓଡିଶାର ସ୍ୱଭାବକବି ଭାବେ ପରିଚିତ ହେବେନି ସାରାବିଶ୍ୱରେ ମହାନ ପ୍ରେରଣାର ଉତ୍ସ ହୋଇ ପାରିବେ – ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ହେ ଦରଦୀ କବି, ହେ ଭବିଷ୍ୟଦ୍ରଷ୍ଟା ଗଂଗାଧର, ତୁମେ କହିଯାଇଛ –
“ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?”
ପୁଣି କେବଳ ଓଡିଶା ନୁହେଁ, ସମଗ୍ର ବିଶ୍ୱକୁ ହୁସିଆର ଦେଲ
“ଉଚ୍ଚ ହେବା ପାଇଁ କର ଯେତେବ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା ।”
ଆଜି କିନ୍ତୁ ଆମର ନେତା ଓ ବକ୍ତାଙ୍କ ପିଲାମାନେ ଓଡିଆଭାଷାକୁ ଶୁଦ୍ଧ ଭାବରେ କହିପାରୁନାହାଁନ୍ତି । ଖାଲି ଇଂରାଜୀ ଚୋବାଉଛନ୍ତି – ତାହା କାଲ ଆଗରେ ଘଂଟ ବାଡେଇବା ସଦୃଶ । ଆମେ ନିଜକୁ କେତେ ନୀଚ କରିଦେଲେଣି ।
ହେ ସ୍ୱଭାବକବି ଗଂଗାଧର ମେହେର, ଓଡିଆ ଜାତିର ଗର୍ବ ଗୌରବ, ଭାରତୀୟ ଭାଷାସାହିତ୍ୟର ଅନ୍ୟତମ ଅଗ୍ରଦୂତ ହେ ସୂକ୍ଷ୍ମଦର୍ଶୀ, ଏ ଅଧମ ଓଡିଆମାନଙ୍କୁ କ୍ଷମାଦିଅ । ଆମେ ତୁମକୁ ବିଶ୍ୱଦରବାରରେ ପହଂଚାଇ ପାରିନୁ ଏପର୍ଯ୍ୟନ୍ତ । ଜୟନ୍ତୀରେ ତୁମ ‘ଟୋରେ ‘ୁଲମାଳ ଦେଇ ମାଇକ୍ରୋେ‘ାନ୍‌ରେ କଣ୍ଠ‘ଟାଇ ଆମେ ଭୀଷଣ ଭାଷଣ ଦେଇପାରୁ, ହେଲେ ପରେ ପରେ ଆମେ ଭୁଲିଯାଉ ଆମ ପିତାମହ ଭାରତଗୌରବଙ୍କୁ । ଆଜି ସମୟ ଆସିଛି – ଏଇ ଭାରତବିଖ୍ୟାତ କବିଙ୍କୁ ସମଗ୍ର ବିଶ୍ୱମାନସରେ ଉଜ୍ଜ୍ୱଳ ତାରକାରୂପେ ସ୍ଥାନିତ କରିବା – ଏଥିରେ ଓଡିଆଜାତିର, ଓଡିଆଭାଷାର, ଭାରତୀୟ କାବ୍ୟକବିତାର ଚିହ୍ନ ଯୁଗଯୁଗ ଧରି ରହିଥିବ – ଏହାହିଁ ହେବ ସ୍ୱଭାବକବି ଗଂଗାଧର ମେହେରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ