ବରିଷ୍ଠ ନାଗରିକ ମଞ୍ଚର ଦ୍ୱାଦଶ ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ବରିଷ୍ଠ ନାଗରିରକ ମଞ୍ଚର ୧୨ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଅଧିବେଶନ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଏଥିରେ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହିତ ବରିଷ୍ଠ ନାଗରିକଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ସହ ସମାଜ ପାଇଁ ବରିଷ୍ଠ ବ୍ୟକ୍ତିଙ୍କ ଅନୁଭୁତି ଓ ଅଭିଜ୍ଞତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଓ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଆମ ସାମାଜିକ ବିଧି ବ୍ୟବସ୍ଥାର ପ୍ରତୀକ ହୋଇଥିବା ବେଳେ ଏହାକୁ ସମସ୍ତେ ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ପୁନର୍ବାସ ଥଇଥାନ କେନ୍ଦ୍ର ନିମନ୍ତେ ଏମ୍ସ ସେଟଲାଇଟ କେନ୍ଦ୍ର ପାଶ୍ୱର୍ରେ ଜମି ଚୟନ ଶେଷ ହୋଇଥିବା ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ । ଏହା ବ୍ୟତୀତ ଜିଲାର ବିଭିନ୍ନ ଅଞ୍ଚଳରୁ ନ୍ୟାୟ ପାଇଁ ଆସୁଥିବା ସାମାଜିକ ସୁରକ୍ଷା ବିପନ୍ନ ବରିଷ୍ଠ ନାଗରିକଙ୍କ ଆପତ୍ତି ଅଭିଯୋଗ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱ ନେବେ ବୋଲି ସେ କହିଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ବାର୍ଦ୍ଧକ୍ୟ ଭତ୍ତାଠାରୁ ଆରମ୍ଭ କରି ତୀର୍ଥଯାତ୍ରା ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନା ଥିଲେ ମଧ୍ୟ ପରିବାର ଓ ସାମାଜିକ ସ୍ତରରେ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ ଏକାନ୍ତ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶକ କରିଥିଲେ । ଭୋଗରାଇର ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ଡକ୍ଟର ରମାକାନ୍ତ ବେହେରା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ସମ୍ପାଦକ ଶରତ ଚନ୍ଦ୍ର ଦାଶ, ନାରାୟଣ ପ୍ରସାଦ ସାହୁ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଦେବବ୍ରତ ପାଣିଗ୍ରାହୀ, ଉମେଶ ଚନ୍ଦ୍ର ନାୟକ, କବି ଲୋଚନ ବେହେରା, କୁମୁଦ ରଂଜନ ଗିରି, ବିଜୟ କୁମାର ନନ୍ଦ, ପ୍ରଫୁଲ୍ଲ କୁମାର ସୁର, ସୁବୋଧ ଚନ୍ଦ୍ର ପାତ୍ର, ମହେନ୍ଦ୍ର ପ୍ରସାଦ ନାୟକ, ପୁରୁଷୋତ୍ତମ ସାହୁ, ଅନନ୍ତ ଦାସ ଓ ବିଧାନ ଚନ୍ଦ୍ର ରାୟ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନର ମୁଖପତ୍ର ‘ସାୟାନ୍ନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମଞ୍ଚର ସଦସ୍ୟ ଗୌରାଙ୍ଗଚନ୍ଦ୍ର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଅର୍ଚ୍ଚନା ନନ୍ଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲକ୍ଷ୍ମୀନାରାୟଣ ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିପ୍ଳବ କୁମାର ମହାନ୍ତି, ବିନୟ କୁମାର ମହାନ୍ତି, ଯଶୋଦା ନନ୍ଦନ ଆଶ, ଦେବେନ୍ଦ୍ର ନାଥ ଚୌଧୁରୀ, କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନାଗରିକ ଏଥିରେ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ