ଗଜପତିରେ ଅବକାରୀ ଚଢାଉ ରନ୍ଧା ଦେଶୀମଦ ସହ ୩ହଜାର ୮୦୦ ଲିଟର ପୋଚ ନଷ୍ଟ ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଅବକାରୀ ଆଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୦ ଲିଟର ରନ୍ଧା ଦେଶୀ ମଦ ସହ ୩ହଜାର ୮୦୦ଲିଟର ପୋଚ ନଷ୍ଟ କରାଯାଇ ଥିବାର ସୁଚନା ମିଳିଛି । ଏନେଇ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଥିବା ବେଳେ ପାରଳାଖେମୁଣ୍ଡି ଜାଗିଲି ସାହିର ଏ ଚିନ୍ନା ରାଓକୁ ଗିରଫ କରାଯାଇଛି । ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର, ଗୁମ୍ମା ବ୍ଲକର ନେରେଡିଗୁଡା, ଆର୍.ଉଦୟଗିରି ବ୍ଲକର ସୁଣ୍ଡରବା, ଶବରପଲ୍ଲୀ, ଲୁବୁରସିଂ ଆଦି ଗ୍ରାମାଞ୍ଚଳରେ ଏହି ଚଢାଉ କରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଘଟଣାରେ ଚୋରା ଚାଲାଣ ବ୍ୟବହୃତ ଏକ କଳା ରଂଗର ସ୍କୁଟିକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି । ଏହି ଚଢାଉରେ ଅବକାରୀ ଅଧିକାରୀ ବିନ୍ଧରାଜ ଜାନୀ,କିଶୋର ଚନ୍ଦ୍ର ରଥ,ଚିତ୍ତରଞ୍ଜନ ଜେନ୍ନା,ମୋଜି ଶବର ପ୍ରମୁଖଙ୍କ ସହ ଅବକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ ।