ଘରେ ଘରେ କୁଆଁର ପୁନେଇଁ ଉତ୍ସବର ମାହଲ
ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍କଳ ସଂସ୍କୃତିରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ଘରେ ଘରେ ପାଳିତ ହୋଇଛି କୁମାର ଉତ୍ସବ । କେବଳ ଅବିବାହିତ ପୁଅ ଓ ଝିଅଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା କୁଆଁର ପୂର୍ଣ୍ଣିମା ଏବେ ବି ଓଡ଼ିଆ ଘରର ଆଦର୍ଶକୁ ବଜାୟ ରଖିଛି । କୁମାର ପୂର୍ଣ୍ଣିମା ଅବସରରେ ବୁଧବାର ସଂଧ୍ୟାରେ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ଜିଲାର ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ । ସୂର୍ଯ୍ୟାସ୍ତ ପରେ ପରେ ପ୍ରତ୍ୟେକଙ୍କ ଘରେ ତୁଳସୀ ଚଉରା ମୂଳରେ ପୂର୍ଣ୍ଣମୀ ଚନ୍ଦ୍ରକୁ ପୂଜା କରାଯାଇଛି । ଅବିବାହିତ ପୁଅଝିଅଙ୍କ ମଙ୍ଗଳ କାମନା କରି ଘରର ମହିଳାମାନେ ପୂଜା କରିଛନ୍ତି ପୂର୍ଣ୍ଣିମାର ଚନ୍ଦ୍ରକୁ । ନୂଆଲୁଗା ପିନ୍ଧିଥିବା ପୁଅ-ଝିଅମାନଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ବନ୍ଦାପନା କରିଛନ୍ତି ମାଆମାନେ । ଅବିବାହିତ ଜୀବନର ଆବେଗ ଓ ଖୁସୀକୁ ଜହ୍ନକୁ ସମର୍ପଣ ସହ ଘର ସଂସାର କରିବାକୁ ଯାଉଥିବା କୁମାର କୁମାରୀଙ୍କ ପାଇଁ ଏହି ଉତ୍ସବର ମହତ୍ୱ ବେଶ୍ ଅଧିକ । ଚନ୍ଦ୍ର ଭଳି ଶାନ୍ତ-ଶିକ୍ତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ବରଟିଏ ପାଇବା ପାଇଁ କୁମାରୀ ଝିଅଟି କାମନା କରୁଥିବା ବେଳେ ଅନୁରୂପ ଭାବେ ସୁନ୍ଦରୀ ଓ ଗୁଣବନ୍ତ ଝିଅକୁ କନ୍ୟା ରୂପରେ ପାଇବାକୁ ପୁଅମାନେ ମନାସିଥାଆନ୍ତି ଏହି ପୂର୍ଣ୍ଣିମାରେ । କୁଆଁରୀ ମନତଳର ବେଦନା ଅବା ଖୁସିକୁ ଏହି ପୂର୍ଣ୍ଣମୀ ତିଥିରେ ପ୍ରରିପ୍ରକାଶ କରିବାର ଅବସର ପାଆନ୍ତି ସମସ୍ତ ପୁଅଝିଅ । ଏହି ପରମ୍ପରା ଯେ କେଉଁ କାଳରୁ ଚଳି ଆସୁଛି ତାହାର କିଛି ହିସାବ ନାହିଁ । ତେବେ ଆଧୁନିକ ଚାକଚକ୍ୟପୂର୍ଣ୍ଣ ସାମ୍ପ୍ରତିକ ସମାଜରେ ଏହି ଉତ୍ସବରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଗଭଳି କୁଆଁର ପୁନେଇଁ ଜହ୍ନ ଗୋ….ଗୀତରେ ଗାଁ’ ଦାଣ୍ଡ ଉଛୁଳି ପଡ଼ୁନାହିଁ କିମ୍ବା ଝିଅମାନେ ପୁଚି ଖେଳିବା ଆଉ ଦେଖିବାକୁ ମିଳୁନି । କେବଳ ନୁଆ ଲୁଗା ପିନ୍ଧାରେ ଏହି ଉତ୍ସବ ସୀମତ ହୋଇ ଯାଇଥିବା ଲକ୍ଷ୍ୟ କରାଯାଇଛି ।