ଆଦିବାସୀଙ୍କୁ ଲୁଟ କରିବା ଆରମ୍ଭ କରିଦଇଛି ଟାଟା ପାୱାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଉପାନ୍ତ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ଲୁଟ କରିବା ଆରମ୍ଭ କରିଦେଲାଣି ଟାଟାପାୱାର । ବର୍ଷ ବର୍ଷ ଧରି ଗାଁରେ ବିଦ୍ୟୁତ ନ ଥିଲେ ବି ଲୋକଙ୍କ ନାଁରେ ଗଡୁଛି ହଜାର ହଜାର ଟଙ୍କାର ବିଲ । ବିଭାଗୀୟ ବାବୁମାନେ ସବୁ ଜାଣି ନ ଜାଣିଲା ଭଳି ରହୁଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ଅନ୍ତର୍ଗତ ସାପାନବାଡ଼ି ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି । ସାପାନବାଡ଼ି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳ । ଏହି ଗ୍ରାମରେ ୩୩ଘର ବିଦ୍ୟୁତ ଉପଭୋକ୍ତା ରହିଥିବାବେଳେ ଜନସଂଖ୍ୟା ୩୦୦ରୁ ଊର୍ଦ୍ଧ୍ବ । ୨୦୨୦ ଏପ୍ରିଲ ମାସରୁ ଏହି ଗ୍ରାମର ଟ୍ରାନ୍ସଫର୍ମର ପୋଡ଼ିଯାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ନୂତନ ଟ୍ରାନ୍ସଫର୍ମର ବସାଯାଉ ନାହିଁ । ଫଳରେ ଦେଢ଼ ବର୍ଷ ହେବ ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି । କିନ୍ତୁ ଲୋକଙ୍କ ନାଁରେ ଆସୁଛି ବିଲ୍ । ଏବେ ଦେଢ଼ ବର୍ଷର ବିଲ୍ ପଇଠ କରିବାକୁ ବିଦ୍ୟୁତ ବିଭାଗ ବାଧ୍ୟ କରିବା ସହ ଟଙ୍କା ପଇଠ ନ କଲେ ଟ୍ରାନ୍ସଫର୍ମର ବସାଯିବ ନାହିଁ ବୋଲି ଗ୍ରାମର ତ୍ରିଲୋଚନ ପାଟମାଝୀ, କଲେରା ପାଟମାଝୀ ଅଭିଯୋଗ କରିଛନ୍ତି । ଏପରିକି ବିଦ୍ୟୁତ ବିଭାଗ ଗ୍ରାମବାସୀଙ୍କୁ ଟ୍ରାନ୍ସଫର୍ମର କିଣିବାକୁ ବାଧ୍ୟ କରୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ନିରୀହ ଗରିବ ଆଦିବାସୀ ଲୋକ ରହୁଥିବା ବେଳେ ବିଦ୍ୟୁତ ନ ଜାଳି ୬୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ବିଲ ଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟୁତ ବିଲ ସଂଶୋଧନ କରିବା ସହ ଯଥାଶୀଘ୍ର ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏ ନେଇ ଗ୍ରାମବାସୀ ଜୀବିକା ସୁରକ୍ଷା ମଞ୍ଚ ସହାୟତାରେ ଏକ ରାଲିରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ବିଦ୍ୟୁତ କାର୍ଯ୍ୟାଳୟ ରେ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ୱାର୍ଡମେମ୍ବର ମେଣ୍ଡା ପାଟମାଝୀ, ପଙ୍କଜିନୀ ପାଟମାଝୀ, କମଳା ପ୍ରଧାନ, ନୀଳନ୍ତି ମୁଠାମାଝୀ, ସସି ମୁଠାମାଝୀ, ମାଦିଶା ପ୍ରଧାନ ପ୍ରମୁଖ ଏକାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।ଏ ସମ୍ପର୍କରେ ବିଭାଗୀୟ ଏସଡ଼ିଓ ହରିହର ଦତ୍ତଙ୍କୁ ପଚାରିବାରୁ ସେ ଟ୍ରାନ୍ସଫର୍ମର ନାହିଁ, ଆସିଲେ ବସିବ ଏବଂ ବିଲ୍ ମଧ୍ୟ ସଂଶୋଧନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ