ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) : କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ପରେ ଏବେ ମୁହଁ ଖୋଲିଛନ୍ତି ବାମପନ୍ଥୀ ଦଳମାନେ । ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଥିବା ବେଳେ ବାଲେଶ୍ୱରରେ ବି ଶନିବାର ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ବାଲେଶ୍ୱରର ବାମପନ୍ଥୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଫାଣ୍ଡିଛକଠାରେ ପହଂଚିବା ସହ ସେଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିବା ସହ ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଥିଲେ । ସଭାରେ ସିପିଆଇ(ଏମ୍‌)ର ଜିଲ୍ଲା ସଂପାଦକ ଶିଶିର ହୁଇ, ପ୍ରେମରଞ୍ଜନ ପାତ୍ର, ରାଜକିଶୋର ଲେଙ୍କା, ବିଜୟ ପାତ୍ର, ନାରୀନେତ୍ରୀ ହରିପ୍ରିୟା ଜେନା, ସିପିଆଇର ନେତା ଶ୍ୟାମସୁନ୍ଦର ଜେନା, ଯତୀନ୍ ପାତ୍ର, ଏସ୍‌ୟୁସିଆଇର ନେତା ରବୀନ୍ଦ୍ର ବେହେରା, ଉମାକାନ୍ତ ଦାସ, ବଂଶୀଧର ବେହେରା ଓ ପ୍ରଶାନ୍ତ ଦାସଙ୍କ ସମେତ ପୂର୍ବତନ ସରପଞ୍ଚ ଷ୍ଟାଲିନ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାକୁ କଡ଼ା ସମାଲୋଚନା କରିଥିଲେ । ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବା, ଏହି ଘଟଣାରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟିମ ଦ୍ୱାରା ତଦନ୍ତ ସହ ଅପରାଧୀମାନଙ୍କୁ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ । ଏଥି ସହିତ ଉତ୍ତରପ୍ରଦେଶର କୃଷକ ଆନ୍ଦୋଳନ ବେଳେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ କୃଷକମାନଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ପଦବୀରୁ ବହିଷ୍କାର ପୂର୍ବକ କେନ୍ଦ୍ର ସରକାର ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ ବୋଲି ବକ୍ତାମାନେ ମତ ଦେଇଥିଲେ । ଏନେଇ ଉଭୟ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବାମପନ୍ଥୀ ନେତାମାନେ ଚେତାବନୀ ଦେଇଥିଲେ । ସିପିଆଇ, ସିପିଏମ, ସିପିଆଇ (ଏମଏଲ)ଲିବେରେସନ ପାର୍ଟି ଓ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ବହୁ ନେତା ଓ କର୍ମୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ