ଦୀର୍ଘ ଦେଢ ବର୍ଷ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):କରୋନା ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଦୀର୍ଘ ଦେଢ ବର୍ଷ ହେବ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ପର୍ଯ୍ୟାୟକ୍ରମେ ନବମ ଓ ଦଶମ ଶ୍ରେଣୀ ଖୋଲି ଥିବା ବେଳେ ସୋମବାର ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଥିଲା । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକର ୩୯ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର କ୍ଳାସ ଆରମ୍ଭ ହୋଇଛି । ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଉକ୍ତ ବିଦ୍ୟାଳୟ ଗୁଡିକରେ ଅଷ୍ଟମ ଶ୍ରେଣୀରେ ୮୬୨ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଦିନରେ ବିଭିନ୍ନ ବିଦ୍ୟାଳୟକୁ ୫୫୦ ଜଣ ପିଲା ଯୋଗ ଦେଇଥିବା ଜଣାଯାଇଛି । ପିଲାମାନେ ବିଦ୍ୟାଳୟକୁ ପ୍ରବେଶ କରିବା ବେଳେ ବିଦ୍ୟାଳୟର ସମ୍ମୁଖ ଫାଟକରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପୁଷ୍ପ ପକାଇ ସ୍ୱାଗତ କରିଥିଲେ । ପରେ ପିଲାମାନଙ୍କର ଥର୍ମାଲ ସ୍କାନିଂ କରାଯାଇଥିଲା । ସମସ୍ତ ପିଲା ମାସ୍କ ବ୍ୟବହାର ସହିତ ବିଦ୍ୟାଳୟରେ ସାନିଟାଇଜର ସମେତ ସମସ୍ତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାଠ ପଢା ଯାଇଥିଲା । ଦୀର୍ଘ ଦିନ ପରେ ବିଦ୍ୟାଳୟ ଖୋଲିଥିବାରୁ ପିଲାମାନଙ୍କ ମନରେ ବହୁ ଉତ୍ସୁକତା ଦେଖାଦେଇଥିଲା । ପରବର୍ତି ସମୟରେ ଅନୁପସ୍ଥିତ ଥିବା ପିଲାମାନେ ବିଦ୍ୟାଳୟକୁ ଆସି ପାଠପଢାରେ ଯେଗା ଦେବେ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।


