ଶକ୍ତି ସଚିବ ଛତ୍ରପୁର ବ୍ଲକର ପଂଚାୟତ ପ୍ରତିନିଧୀମାନଙ୍କୁ ଭେଟି ବିଭିନ୍ନ ମତାମତ ନେଲେ
ଛତ୍ରପୁର: ରାଜ୍ୟରେ ୫ଟି ଓ ମୋ ସରକାର ଯୋଜନାକୁ ସଫଳ ରୂପାୟନ କରିବାକୁ ଯାଇ ସମସ୍ତ ଜିଲ୍ଲାଗସ୍ତରେ ନୀୟମିତ ଯାଉଛନ୍ତି ବରିଷ୍ଠ ପଦାଧିକାରୀ । ଏହିକ୍ରମରେ ଦୁଇଦିନିଆ ଗଂଜାମ ଜିଲ୍ଲାଗସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ଆଜି ଦ୍ୱିତୀୟ ସେ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିବାସହ ଛତ୍ରପୁର ବ୍ଲକ ର ସମସ୍ତ ପଂଚାୟତ ପ୍ରତିନିଧିଙ୍କ ସହ ସାକ୍ଷାତ କରି ବିଭିନ୍ନ ମତାମତ ସଂଗ୍ରହ କରିଛନ୍ତି । ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଶକ୍ତି ସଚିବ ତଥା ଗଂଜାମ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଶ୍ରୀ ସେଠୀ ୫ଟି କାର୍ଯ୍ୟସୂଚୀ ଅନୁଯାୟୀ ଛତ୍ରପୁର ବ୍ଲକ ର ସମସ୍ତ ପଂଚାୟତ ପ୍ରତିନିଧୀଙ୍କୁ ଭେଟି ସେମାନଙ୍କ ଗୋଟି ଗୋଟି କରି ମତାମତ ସଂଗ୍ରହ କରିଛନ୍ତି । ପଂଚାୟତ ଗୁଡିକରେ କଣ ସବୁ ଅସୁବିଧାରହିଛି ତାହା ସେ ପଚାରି ବୁଝିଥିଲେ । ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ କହିଥିଲେ ଯେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଶେଷଜ୍ଞ ଡାକ୍ତର ଅଭାବ ରହିଛି ଏବଂ ସୁନ୍ଦରପୁର ପ୍ରାଥମିକ ଚିକିତ୍ସାଳର ନିଜସ୍ୱ କୋଠାଘର ନାହିଁ । ଯାହାଫଳରେ ଏବେ ଏକ କ୍ୱାର୍ଟରରେ ଚାଲିଛି ଏବଂ ଜୟମଙ୍ଗଳ କେନାଲର ବାମ ହୁଡା କରାଯାଉବୋଲି ସେ ସଚିବକୁ ଅନୁରୋଧ କରିଥିଲେ । ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ କହିଥିଲେ ଯେ କରାତଳି ଜଳାଶ୍ରୟ (ତାମ୍ପରା) କୁ ଆନ୍ଧ୍ରା ମାଛ ବେପାରୀ ମାନେ ମାଛ ଚାଷ କରି ସେଠାରେ ରାସାୟନିକ ସାର ଛାଡିଦେଉଛନ୍ତି । ଯାହାଫଳରେ ପ୍ରଦ୍ୟୁଷଣ ଦୂଷିତ ହୋଇଯାଇଛି । ଲୋକମାନେ ଏହା ଦ୍ୱାରା ବିଭିନ୍ନ ଚର୍ମରୋଗର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ କରାଯାଉ ବୋଲି ସେ ଅନୁରୋଧ କରିଥିଲେ । କଣମଣା ସରପଂଚ ଏସ୍.ଚକ୍ରପାଣି ରେଡ୍ଡୀ କହିଥିଲେ ଯେ ଏମନରେଗା କାର୍ଯ୍ୟର ବହୁ ପ୍ରକଳ୍ପ ଗୁଡିକ ଅଟକି ରହିଛି । କାରଣ ମୋରମ ଦରକାର ପଡୁଛି ମୋରମ ଦିଆଯାଉନି । ଏହାକୁ ତହସିଲଦାର ମାନେ ଅନୁମତି ଦେଉନାହାଁନ୍ତିା ଏହାର ସୁବ୍ୟବସ୍ଥା କରିଲେ ଆମେ ମାନେ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶେଷ କରିପାରିବୁ । ଏହାସହ ଗୋପାଳପୁର ପୋର୍ଟ, ଆଇଆରଇ, ଟିଟାନୀୟମ ମଧ୍ୟରେ ଏକ ତାମ୍ପରା ରହିଛି । ଏହି ତାମ୍ପରା ଜାଗାରେ ନେଭି ସେଣ୍ଟର କରାଯାଇଛି । ଯାହାଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ । ଏହାର ନିଷ୍କାସନ ବ୍ୟବସ୍ଥା କଲେ ୫ଖଣ୍ଡ ଗ୍ରାମ ଲୋକ ଉପକୃତ ହେବେ ବୋଲି ସେ ସଚିବକୁ ଅନୁରୋଧ କରିଥିଲେ । ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା କହିଥିଲେ ଯେ କୁମାରବେଗ୍ ପଲ୍ଲୀ ଗ୍ରାମ ନିମନ୍ତେ ପଂଚାୟତ ପକ୍ଷରୁ ଆଜକୁ ୬ମାସ ହେଲା ୮ଲକ୍ଷ୨୫ହଜାର ଟଙ୍କା ଆରଡବ୍ଲ୍ୟୁଏସଏସ ନିକଟରେ ଜମା କାରଯାଇଛି । ମାତ୍ର ଏପର୍ଯ୍ୟନ୍ତ ପାନୀୟ ଜଳ ବ୍ୟବସ୍ଥା ହୋଇନାହିଁ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ସଚିବ ଙ୍କୁ କହିଥିଲେ । କାଳିପଲ୍ଲୀ ପଂଚାୟତ ସରପଂଚ ଶ୍ରୀରାମ ଚନ୍ଦ୍ର ବେହୋର କହିଥିଲେ ଯେ କାଳିପଲ୍ଲୀ ପଂଚାୟତରେ ପିଇବା ପାଣିର ସମସ୍ୟା ରହିଛି । ଲୋକମାନେ ପାଣି ବୋତଲ କିଣି ପିଇବା ପାଣି ପିଉଛନ୍ତି । ଏହାର ନିରାକରଣ କରାଯାଉ ବୋଲି ସେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବଉଳଗାଁ ସରପଂଚ ସରୋଜିନୀ ମହାରଣା କହିଥିଲେ ଯେ ବଉଳଗାଁରେ ପିଲାମାନଙ୍କ ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ରହିଛି ଏହାକୁ ବୃଦ୍ଧି କରି ଏଠାରେ ମହାବିଦ୍ୟାଳୟ ଖୋଲାଯାଉ । ଯାହାଫଳରେ ଗରୀବ ପିଲାମାନେ ଅଯଥା ଖର୍ଚ୍ଚାନ୍ତରୁ ବଂଚିତ ରହିବେ । ମହାନାଦପୁର ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହୀ କହିଥିଲେ ଯେ ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ବହୁ ଦିନ ହେଲା ଖାଲି ରହିଛି ଏବଂ ଶିକ୍ଷକର ଅଭାବ ରହିଛି ଏାହର ସୁବ୍ୟବସ୍ଥା କରାଯାଉ । ସୁନ୍ଦରପୁର ପଂଚାୟତର ସମିତି ସଭ୍ୟା ସୁକାନ୍ତି ବେହେରା କହିଥିଲେ ଯେ ସୁନ୍ଦରପୁର ପ୍ରାଥମିକ ଚିକିତ୍ସାଳୟ ରହିଛି ମାତ୍ର ଡାକ୍ତର ଅଭାବ ରହିଛି ଏହା ପୁରଣ କରାଯାଉ । ଭିକାରୀପଲ୍ଲୀ ପଂଚାୟତ ସରପଂଚ ଧବଳେଶ୍ୱର ପ୍ରଧାନ କହିଥିଲେ ଯେ ଭିକାରୀପଲ୍ଲୀ ପଂଚାୟତ କେତକ ଗାଁରେ ପାନୀୟଜଳ ସମସ୍ୟା ରହିଛି ଏହାର ସୁବ୍ୟବସ୍ଥା କରାଯାଉ । ଲକ୍ଷ୍ମୀପୁର ସରପଂଚ ଏମ୍.ନାରସୁମୁଲ ରେଡ୍ଡୀ କହିଥିଲେ ଯେ ସୋଲାର ପ୍ରୋଜେକ୍ଟ ମାଧ୍ୟମରେ ଆଜକୁ ବର୍ଷେ ହେଲା ଗୋଟିଏ ପ୍ରକଳ୍ପକୁ ୩ଲକ୍ଷ ୭୩ହଜାର ଟଙ୍କା ପଂଚାୟତ ପକ୍ଷରୁ ଜମା କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଦୁଇଟି ସୋଲାର ପାନୀୟ ଜଳ ପ୍ରକଳ୍ପ ଏପର୍ଯ୍ୟନ୍ତ ହୋଇନାହିଁ । ଯାହାଫଳରେ ଲୋକମାନେ ହଇରାଣ ହେଉଛନ୍ତି । ସେହିରପରି ଚିକଲଖଣ୍ଡି ପଂଚାୟତର ସାହେବଜେନା ପଲ୍ଲୀ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାଯାଉ ବୋଲି ସରପଂଚଙ୍କ ପ୍ରତିନିଧୀ ଡି.ରାମସ୍ୱାମୀ ରେଡ୍ଡୀ ସଚିବ ଶ୍ରୀ ସେଠିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆର୍ଯ୍ୟପଲ୍ଲୀ ପଂଚାୟର ସରପଂଚଙ୍କ ପ୍ରତିନିଧୀ ଏମ୍.ଗୁମାଲୀ ସଚିବଙ୍କୁ ଭେଟି କହିଥିଲେ ଯେ ଆର୍ଯ୍ୟପଲ୍ଲୀ ଠାରେ ମାଛଧରା ଜେଟି ତୁରନ୍ତ କରାଯାଉ, ଆରଡି ରୋଡ ନିର୍ମାଣ ପାଇଁ ରହିଛି ଏହାକୁ ଖୁବ୍ ଶୀଘ୍ର କରାଯାଉ ଏବଂ ପଂଚାୟତ ବହୁ ହିତାଧିାକରୀ ରାସନକାର୍ଡ ଓ ବିଜୁ ପକ୍କାଘରରୁ ବଂଚିତ ରହିଛନ୍ତି ଏହାକୁ ପୁରଣ କରାଯାଉ ବୋଲି ସେ ଅନୁରୋଧ କରିଥିଲେ । ଏହି ସମୀକ୍ଷା ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଏ.ସିତାମ୍ମା, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ବଡମାଧପୁର ସରପଂଚ ଶରତ ଖୁଂଟିଆଙ୍କ ସମେତ ବହୁ ଜନପ୍ରତିନିଧୀ ମାନେ ସେମାନଙ୍କର ପଂଚାୟତର ବିଭିନ୍ନ ସମସ୍ୟା ଏବଂ ବରାହ ଉପଦ୍ରବ ଦ୍ୱାରା ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି ଏହାର ନିରାକରଣ ନିମନ୍ତେ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।