ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦୀରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦୀରା ଗାନ୍ଧୀଙ୍କ ତିରୋଧାନ ଦିବସ “ବଳିଦାନ ଦିବସ” ଓ ଲୈାହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଦିବସ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ସଭାପତିତ୍ୱ କରି ସ୍ୱର୍ଗୀୟା ଗାନ୍ଧୀଙ୍କ ଓଡିଶା ଆଗମନ ଓ ପ୍ରତ୍ୟାବର୍ତ୍ତନର ପରଦିନ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ପ୍ରାଣ ବିଷର୍ଜନ ଓଡିଶାବାସୀଙ୍କ ପ୍ରାଣକୁ କିଭଳି ଭାବେ ବ୍ୟଥିତ କରିଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଭାରତବର୍ଷର ଜନସାଧାରଣଙ୍କ ଉନ୍ନତିକଳ୍ପେ ସ୍ୱର୍ଗୀୟା ଗାନ୍ଧୀ “ଗରିବି ହଟାଓ” ର ନାରା ଓ ପଟେଲଙ୍କ ଭାରତ ସ୍ୱାଧୀନତା ସଂଗ୍ରାମର ଅଂଶ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ପ୍ରଶାନ୍ତ କୁମାର ଦାସ, ସୁଜୟ କୁମାର ଦାସ, କମଳାକାନ୍ତ ବେହେରା, ସମ୍ବିତ ଶ୍ରୀଚନ୍ଦନ, ଆଶିଷ ମେକାପ, ମୀର ମୁର୍ଶିଦ୍ଦ, କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ନିରଞ୍ଜନ ପରିଡା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଗୋପାଳକୃଷ୍ଣ ଜେନା, ଲକ୍ଷ୍ମୀଧର ପଲାଇ, ଦିନବନ୍ଧୁ ଲେଙ୍କା, କିଶୋର ଚନ୍ଦ୍ର ଜେନା, ପିତାମ୍ବର ଜେନା, ଅନନ୍ତ କୁମାର ସ୍ୱାଇଁ, ପ୍ରତାପ ବିଶ୍ୱାଳ, ଗୈାରାଙ୍ଗ ମଳିକ ପ୍ରମୁଖ ଅଂଶଗ୍ରହଣ କରି ଉଭୟଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


