ଜିଲ୍ଲା ସ୍ତରୀୟ ସୁନାମୀ ମକ୍ ଡ୍ରିଲ୍ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତ ମହାସାଗର ସ୍ତରୀୟ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନାମୀ ମକ୍ ଡ୍ରିଲ୍ ନିମନ୍ତେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଉପସ୍ଥିତ ସମସ୍ତ ଅଧିକାରୀ କର୍ମଚାରୀଙ୍କୁ ସ୍ବାଗତ କରିବା ସହ କାଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାର ଚାରିଗୋଟି ବ୍ଲକ୍ ଯଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଓସଡମାର ନିର୍ଦ୍ଦେଶାବଳୀ ଅନୁଯାୟୀ, ଆଇ. ଓ. ଟି. ଆର୍. ନିୟମ ପ୍ରକାରେ ସୁନାମୀ ଉପରେ ନଭେମ୍ବର ୫ ତାରିଖ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଚାରିଗୋଟି ବ୍ଲକ୍ ର ୧୨ଟି ଗ୍ରାମ ଓ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଟିଏ ଓ୍ବାର୍ଡରେ ଜନ ସଚେତନତା ନିମନ୍ତେ ସୁନାମୀ ମକ୍ ଡ୍ରିଲ୍ କରାଯିବ । ଏହା ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ ବିଷୟରେ ସେଠାକାର ଅଧିବାସୀ ମାନଙ୍କୁ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯିବ । ସୁନାମୀ ପ୍ରସ୍ତୁତି ସମ୍ପର୍କରେ ପ୍ରାଚୀରରେ ଚିତ୍ର ମାଧ୍ୟମରେ, ପୋଷ୍ଟର, ଲୋକନୃତ୍ୟ, ପାଲା, ଦାଶକାଠିଆ ମାଧ୍ୟମରେ ମଧ୍ୟ ଜନସଚେତନତା କରାଯିବ । ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ମଧ୍ୟ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଆଇ.ଏନ୍.ସି.ଓ.ଆଇ.ଏସ୍. (Indian National Cedntre for Ocean Information Service) ଚଳିତମାସ ୫ ତାରିଖ ପୂର୍ବାହ୍ନ ଘ.୯.୩୦ମି. ସମୟରେ ଡମି ସୁନାମୀ ବୁଲେଟିନ୍ ପ୍ରେରଣ କରିବ । ଏସ୍.ଇ.ଓ.ସି. (State Emergency Operation Centre) ସାଇରନ୍ ବଜାଇ ସମସ୍ତଙ୍କୁ ସତର୍କ ବାର୍ତ୍ତା ଦେବ । ତତ୍ପରେ ଏହି ବାର୍ତ୍ତାକୁ ଫୋନ୍, ଇ-ମେଲ୍, ଫ୍ୟାକ୍ସ ଜରିଆରେ ସମସ୍ତ ବ୍ଲକ୍ ଗୁଡିକୁ ପ୍ରେରଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଓଡ୍ରାଫ୍ ଟିମ୍, ଅଗ୍ନିଶମ ସେବା ବାହିନୀ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବେ । ଏହି କାର୍ଯ୍ୟକ୍ରମକୁ ଓସ୍ ଡମାର ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ପରିଚାଳନା କରିଥିଲେ ।ବୈଠକରେ ଡେପୁଟି କଲେକ୍ଟର (ଜରୁରୀ କାଳୀନ) ସୁକାନ୍ତ ଚନ୍ଦ୍ର ମିଶ୍ର, ସଂସ୍ଥାପନା ଅଧିକାରୀ ନୃସିଂହ ମହାପାତ୍ର, ରାଜେଶ ମହାପାତ୍ର, ରାଜେଶ ମହାରଣା, କାମଧେନୁ ସେବା ସମିତି, ବିଶ୍ମୟ, କ୍ୟାପ୍ ଓ ଶ୍ରଦ୍ଧା ଆଦି ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ, ଆଇ.ସି.ଜି.ଏସ୍. ଗୋପାଳପୁର ଭଗବାନ ସାହୁ, ଡେପୁଟି କମାଣ୍ଡାଣ୍ଟ ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍ ସୁଦୀପ୍ କୁମାର ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ରୀୟ ଅଧିକାରୀ ଗଣ ଯୋଗ ଦେଇଥିଲେ ।


