ଜାତୀୟ ଏକତା ଦିବସରେ ବିଜେପିର ଗଣଦୌଡ଼
ବାଲେଶ୍ୱର, (ସରୋଜ ପଣ୍ଡା) : ଦେଶର ପ୍ରଥମ ସୌରାଷ୍ଟ୍ର ମନ୍ତ୍ରୀ ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବାଲେଶ୍ୱର ଜିଲା ବିଜେପି ପକ୍ଷରୁ ‘ରନ ଫର ୟୁନିଟି’ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରୁ ଏହି ଦୌଡ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ଗଣଦୌଡ଼କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଭାରତ ଏକତ୍ରୀକରଣରେ ଲୌହମାନବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସମଗ୍ର ଦେଶକୁ ଏକତାର ସୁତ୍ରରେ ବାନ୍ଧିବା ପାଇଁ ସର୍ଦ୍ଦାରଙ୍କ ପ୍ରେରଣାଦାୟୀ ପଦକ୍ଷେପ ଦେଶବାସୀଙ୍କୁ ଉଦବୋଧ କରୁଥିବ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ନଗର ସଭାପତି ଚିତ୍ତରଂଜନ ପଣ୍ଡା, ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ବିଜେପି ଉପ-ସଭାପତି କମଳା ବିନ୍ଧାଣୀ, ମହିଳାମୋର୍ଚ୍ଚା ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ଗଣଦୌଡ଼ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବହୁ ବିଜେପି କର୍ମୀ ଏଥିରେ ଉପସ୍ଥିତ ରହି ଏକତା ଦିବସ ଗଣଦୌଡ଼ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


