ଶିକ୍ଷକ ବଦଳି ନ କରିବା ପାଇଁ ଶିକ୍ଷା କମିଟି ତରଫରୁ ବିଦ୍ୟାଳୟରେ ତାଲା ପକାଇ ସମ୍ମୁଖରେ ଗଣଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ମୁଗେଇସ୍ଥିତ କାଳିଦାସ ୟୁପି ସ୍କୁଲର ସହକାରୀ ଶିକ୍ଷକ କାଶୀନାଥ ବେହେରାଙ୍କ ଅନ୍ୟତ୍ର ବଦଳି ବାତିଲ କରିବା ପାଇଁ ବିଦ୍ୟାଳୟର ଶିକ୍ଷା କମିଟିର ସଦସ୍ୟମାନେ ବୁଧବାର ବିଦ୍ୟାଳୟରେ ତାଲା ପକାଇ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ତାଲା ପକାଯିବା ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବାହାରେ ବସାଯାଇ ପାଠ ପଢା ଯାଇଥିଲା । ଶିକ୍ଷକ ବଦଳି ଏସଂକ୍ରାନ୍ତରେ ଶିକ୍ଷା କମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନେ ଏକ ଲିଖିତ ଅଭିଯୋଗ ପତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ୧୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁିଛନ୍ତି । ଉକ୍ତ ବିଦ୍ୟାଳୟରେ ୮ଜଣ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ସ୍ଥାନାନ୍ତର କରାଯାଇଥିବା ଶିକ୍ଷକ ବେହେରା ଜଣେ ଦକ୍ଷ,ଛାତ୍ର ବତ୍ସଳ ଶିକ୍ଷକ ହୋଇଥିବା ବେଳେ ବିଦ୍ୟାଳୟର ଉନ୍ନତି ଦିଗରେ ତାଙ୍କର ଅବଦାନ ରହିଛି । ତେଣୁ ଉକ୍ତ ଶିକ୍ଷକଙ୍କୁ ସ୍ଥାନାନ୍ତର କରାଗଲେ ଶିକ୍ଷା କମିଟି ଓ ଅବିଭାବକ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଧାରଣାରେ ଶିକ୍ଷା କମିଟିର ଅଧ୍ୟକ୍ଷ ଯମୁନା ବାରିକ, ଅମରେଶ୍ୱର ପଲାଇ, ସୁଚିତ୍ରା ଦାସ, ଝୁନି ଦାସ, କାର୍ତିକ ମଲିକ, କାଳନ୍ଦି ଚରଣ ରାଉଳ, ସରସ୍ୱତୀ ଦାସ, ମାଳତୀ ମହାନ୍ତି ଆଦି ଧାରଣାରେ ବସି ରହିଛନ୍ତି । ସେହିପରି ପଂଚାୟତର ଷ୍ଟାଣ୍ଡିଂ କମିଟି ତରଫରୁ ସରପଂଚ ତନୁଲତା ବାରିକ ମଧ୍ୟ ସମାନୁପାତିକ ଏକ ଅଭିଯୋଗ ପତ୍ର ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗପତ୍ର ପାଇବା ପରେ ପ୍ରଧାନ ଶିକ୍ଷୟତ୍ରୀ ବିନତୀ ବେହେରା ଉକ୍ତ ବିଷୟରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି । ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ପଚାରିବାରେ-ଉକ୍ତ ଶିକ୍ଷକଙ୍କୁ ବଦଳି କରାଯାଇନାହିଁ । ଶିକ୍ଷକ ଆବଶ୍ୟକତା ଠାରୁ ଅଧିକ ଥିବାରୁ ତାଙ୍କୁ ଡେପୁଟେସନରେ ପଠାଯାଇଥିବା ପ୍ରକାଶ କରିଛନ୍ତି ।


