କାର ଧକ୍କାରେ ସ୍ବାମୀ ମୃତ , ସ୍ତ୍ରୀ ଗୁରୁତର : ଶବକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କଲେ ଗ୍ରାମବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତା ଇନ୍ଦିରାବାସ ଠାରେ ଗତକାଲି ହୋଇଥିବା କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ । ମୃତ ଜଣକ ହେଲେ ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ଶିବଶଙ୍କର ପ୍ରଧାନ (୨୯) ଏବଂ ଗୁରୁତର ମହିଳା ହେଲେ ଶିବଙ୍କ ସ୍ତ୍ରୀ ଶିଳ୍ପା ପ୍ରଧାନ ବୋଲି ଜଣାପଡିଛି । ଯାହାକୁ ନେଇ ବୁଧବାର ଅପରାହ୍ନ ସମୟରେ ଗ୍ରାମବାସୀ ମୃତ ଶବକୁ ଦିଗପହଣ୍ଡି ଗଣିଆନାଳ ଛକ ନିକଟସ୍ଥ ଖେମୁଣ୍ଡିକାଳୁଆ ଛକରେ ରଖି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାର ଦୁଇ ପାର୍ଶ୍ଵରେ ଟାୟାର ଜାଳି ଅବରୋଧ କରିଥିଲେ । ଖବରନୁଯାୟୀ , ମଙ୍ଗଳବାର ଅପରାହ୍ନ ସାଢେ଼ ୪ ଟାରେ ଶିବଙ୍କ ସ୍ତ୍ରୀ ଦେହ ଅସୁସ୍ଥ ଥିବା ଯୋଗୁଁ ନିଜ ବାଇକ (ଓଆର ୦୭ ଏକ୍ସ ୪୦୧୯) ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲ ଯାଉଥିବା ବେଳେ ବିପରୀତ ଦିଗରୁ ଡେଙ୍ଗାଉସ୍ତା ଅଭିମୁଖେ ଏକ କାର ( ଓଡି୦୭ ଏଜି୪୦୬୧) ଦ୍ରୁତ ଗତିରେ ଆସି ଏକ ବସକୁ ଓଭରଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟ ଗାଡ଼ି ରାସ୍ତା ପାର୍ଶ୍ବ ବିଲ ଭିତରକୁ ପଶି ଯାଇଥିଲା । ତେବେ ଆଖପାଖ ଗ୍ରାମର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଗୁରୁତର ଅବସ୍ଥାରେ ବିଲରୁ ସ୍ବାମୀ ଓ ସ୍ତ୍ରୀ ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିଲେ । କିନ୍ତୁ ରାତି ୯ ଟାରେ ଚିକିତ୍ସାଧିନ ଅବସ୍ଥାରେ ଶିବଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବେ ମଧ୍ୟ ଗୁରୁତର ହୋଇ ମରଣ ସହ ସଂଗ୍ରାମ କରୁଛନ୍ତି । ତେବେ ବୁଧବାର ଶବ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଶବକୁ ରାଜରାସ୍ତାରେ ରଖି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ରାସ୍ତାରୋକ ହଟିନଥିବା ବେଳେ ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ତହସିଲଦାର ସିପକ କୁମାର ପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବା ଜଣାପଡିଛି । ତେବେ ପରିବାର ସଦସ୍ୟଙ୍କ ଦାବି ରହିଛି ଯେ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ଯେତେବେଳେ ପର୍ଯ୍ୟନ୍ତ ଆସିନାହିଁ କିମ୍ବା ଆର୍ଥିକ ସହାୟତା ଯୋଗାଇ ନ ଦେବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି । ତେବେ ଦୀର୍ଘ ୪ ଘଣ୍ଟା ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଫସି ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀ ଙ୍କ ବହୁ ପ୍ରଚେଷ୍ଟା ପରେ ୭ ଘଣ୍ଟା ସମୟରେ ଆର୍ଥିକ ସହାୟତା ଦେବାପାଇଁ ସ୍ଥିର ହେଲା ପରେ ରାସ୍ତା ଅବରୋଧ ହଟାଇ ଥିବା ଜଣାପଡିଛି ।


