ଭୁବନେଶ୍ୱର – ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କଲେ  ସିନ୍ଧିଆ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଓଡିଶାର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି  । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ  ସହର । ଏହା ହିନ୍ଦୁ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପାଇଁ ଧାର୍ମିକ ହବ୍ ଅଟେ । ଅଧିକନ୍ତୁ, ଏକ ଧାର୍ମିକ ହବ୍ ବ୍ୟତୀତ ଏହି ସହର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ଆଇଟି ଏବଂ ଶିକ୍ଷା ହବ୍ ମଧ୍ୟରେ ଭୁବନେଶ୍ୱର ଅନ୍ୟତମ । ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ ଟି ସହର ସହିତ ଯୋଡି ହୋଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିମାନ ଚଳାଚଳରେ ବିନିଯୋଗ ସର୍ବଦା ଅନେକ ଲାଭ ପ୍ରଦାନ  କରିଥାଏ । ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ । ଆଗକୁ ବିମାନ ଚଳାଚଳ କ୍ଷେତ୍ର ଅପାର ନିଯୁକ୍ତି ସୁଯୋଗ ଆଣିବ – ରୋଜଗାରର ଏକ ପ୍ରବେଶ ଦ୍ୱାର ହେବ ।  ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି । ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୁହାଯାଇଛି ଯେ ୨୦୭୦ ସୁଦ୍ଧା ଭାରତ ନେଟ ଜିରୋ ନିର୍ଗମନର ଉଚ୍ଚାଭିଳାଷୀ ମାଇଲ ଖୁଣ୍ଟ  ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ ଆମର ସମସ୍ତ ବିମାନବନ୍ଦରକୁ ସବୁଜ ବିମାନବନ୍ଦର କରିବା ପାଇଁ ନିରନ୍ତର ଶକ୍ତି ସମ୍ବଳ କାର୍ଯ୍ୟକାରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । “ମୁଁ ଗର୍ବିତ ଯେ ଭୁବନେଶ୍ୱର ବିମାନବନ୍ଦରର ବିଜୁଳି ଚାହିଦାର ୮୦%  ସୌର ଶକ୍ତି ଦ୍ୱାରା ପୂରଣ ହେଉଛି ଏବଂ ଏହା ଦେଶ ପାଇଁ ଏକ ଉଦାହରଣ ପାଲଟିଛି । ଅଧିକନ୍ତୁ, ଝାରସୁଗୁଡା ପରି ଉଡାନ ବିମାନବନ୍ଦରଗୁଡିକ ମଧ୍ୟ ଅନେକ ସଫଳତା ହାସଲ  କରୁଛନ୍ତି  ।  ଏହି ବିମାନବନ୍ଦର ଏକ ମାସରେ ୧ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ ରେକର୍ଡ କରିଛି । ଏହି ମାର୍ଗରେ ନୂତନ ବିମାନ ଯୋଗେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ପାଇବେ, ଯାହା ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତାୟତକୁ ସହଜ କରିବ । ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଏହି ନୂତନ ବିମାନ ସହିତ ପର୍ଯ୍ୟଟକ / ଯାତ୍ରୀମାନେ ବିମାନ ସଂଯୋଗ ପାଇଁ ଏକାଧିକ ବିକଳ୍ପ ପାଇବେ ଯାହା ପର୍ଯ୍ୟଟନ ସମ୍ଭାବନାକୁ ବଢାଇବ ଏବଂ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ