ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଓଷ୍ଟାର ଆଲୋଚନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ସରକାରୀ ହାଇସ୍କୁଲ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ, ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିବିଧ ସମସ୍ୟା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂହଙ୍କ ସହିତ ଜିଲ୍ଲା ଓଷ୍ଟାର ନୂତନ କାର୍ଯ୍ୟକାରିଣୀ ସଦସ୍ୟ,ସଦସ୍ୟାମାନଙ୍କର ଏକ ସୈାହାର୍ଦ୍ଦ ପୂର୍ଣ୍ଣ ଆଲୋଚନା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂହ ଉପସ୍ଥିତ ନୂତନ ଓଷ୍ଟା ନେତୃତ୍ୱମାନଙ୍କୁ ସ୍ୱାଗତ କରିବା ପରେ ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ ଶିକ୍ଷକ,ଶିକ୍ଷିକା ଓ କର୍ମଚାରୀମାନଙ୍କ ବହୁବିଧ ସମସ୍ୟା ଉପସ୍ଥାପନ କରିଥିଲେ । ସମସ୍ୟା ଗୁଡିକ ମଧ୍ୟରେ ସରକାରୀ, ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, ଖାଲି ପଡିଥିବା ଶିକ୍ଷକ ପଦ ପୁରଣ କରାଯିବା, ଶିକ୍ଷକମାନଙ୍କୁ ଏମ.ଏ.ସି.ପି. ଏବଂ ଆର.ଏ.ସି.ପି.ପ୍ରଦାନ କରାଯିବା, ଇନକ୍ରୀମେଣ୍ଟ ପ୍ରଦାନ କରାଯିବା, ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙଙ୍କୁ ୬୦ପ୍ରତିଶତରୁ ୭୫ ପ୍ରତିଶତ ଏବଂ ୭୫ପ୍ରତିଶତରୁ ଶତକଡା ଶହେ ପ୍ରତିଶତ ଦରମା ପ୍ରଦାନ କରାଯିବା, ହିନ୍ଦୀ, ପି.ଇ.ଟି. ଓ କ୍ଲାସିକାଲ ଶିକ୍ଷକମାନଙ୍କୁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ କରାଯିବା, ଅତିଥି ଶିକ୍ଷକମାନଙ୍କୁ ପୂର୍ବ ବର୍ଷର ବକେୟା ପ୍ରଦାନ କରାଯିବା ପ୍ରଭୃତି ୧୫ଟି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂହ ଯଥାସମ୍ଭବ ଏହି ସମସ୍ୟା ଗୁଡିକର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନାରେ ଓଷ୍ଟାର ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରଣବ କୁମାର ଜେନା, ବରିଷ୍ଠ ଜିଲ୍ଲା ନେତୃତ୍ୱ ଭଗବାନ ସାହୁ, ଅଶୋକ କୁମାର ମହାପାତ୍ର, ଅଶୋକ କୁମାର ପରିଡା, ମହେଶ୍ୱର ରାଉତ, ଅଲେଖ ଚନ୍ଦ୍ର ମହାନ୍ତି, ସରୋଜିନୀ ସ୍ୱାଇଁ, ରୀନା ରାଉତଙ୍କ ସମେତ ୯ଟି ବ୍ଲକ ସମ୍ପାଦକ ଏବଂ ଜିଲ୍ଲା ଓଷ୍ଠାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିତ୍ତ ଅଧିକାରୀ ସୁରମା ମହାପାତ୍ର ଓ ଶୁଭଲକ୍ଷ୍ମୀ ନାୟକ, ବିଜ୍ଞାନ ପରିଦର୍ଶକ ନିଶିକାନ୍ତ ବାରିକ ଓ ରଞ୍ଜନ କୁମାର ସ୍ୱାଇଁ, ମୁଖ୍ୟ କିରାଣୀ ପ୍ରଭାକର ବେହେରା, ବରିଷ୍ଠ କିରାଣୀ ରାଜକିଶୋର ଲେଙ୍କା ଓ ଦିଲ୍ଲିପ କୁମାର ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ