ଚର୍ଚ୍ଚାରେ ସଢ଼ା ପଞ୍ଚାୟତ

ହାଟଡିହି, (ବିକାଶ ବିଶ୍ୱାଳ ) : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବାକୁ ଆଉ ଅଳ୍ପ ଦିନ ଥିବାବେଳେ ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଏବେଠାରୁ ରାଜନୀତି ପାଣିପାଗ ସରଗରମ ହେଲାଣି । ଗତ କିଛିମାସ ହେଲା ଏହି ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ ପଞ୍ଚାୟତଟି ସବୁବେଳେ ଚର୍ଚ୍ଚାରେ ରହିଛି । ଗତ ତିନିଦିନ ତଳେ ପଞ୍ଚାୟତରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ବେଳେ ଦୁଇଗୋଷ୍ଠୀ ହାତାହାତି ହେବା ଓ ଏଥିରେ ଦୁଇରୁ ଉର୍ଦ୍ଧ ଲୋକ ଆହତ ହେବା ସହ ଥାନାରେ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ ହେବା ଘଟଣା ପଞ୍ଚାୟତରେ ରାଜନୈତିକ ଉଷ୍ନତା ବୃଦ୍ଧି କରିଛି । ପଞ୍ଚାୟତରେ ଆବାସ ଯୋଜନାରେ ଦୁନ୍ନୀତି, ମନରେଗା କାମରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉଛି । କିନ୍ତୁ ସରପଞ୍ଚ ଏହିସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଏହି ପଞ୍ଚାୟତରେ ସଢ଼ା, ନାହା, ମିଠିଗାଁ, ମଉଦା, ପଦାରୁଖା, ବରଗଡିଆ, ଯନ୍ତାଳପଦି, ରଘୁନାଥପୁର ପ୍ରଭୃତି ୮ଟି ଗାଁ ଥିବାବେଳେ ୧୪ଟି ୱାର୍ଡକୁ ନେଇ ଏହା ଗଠିତ । ଏହି ପଞ୍ଚାୟତରେ ସରପଞ୍ଚ ଭାବେ ଜୟନ୍ତୀ ସାମଲ ନିଜର ପାଞ୍ଚବର୍ଷ ପୁରଣ କରିବାକୁ ବସିଛନ୍ତି । ତାଙ୍କ ସମୟରେ ପଞ୍ଚାୟତରେ ଅନେକ ଉନ୍ନୟନ କାର୍ଯ୍ୟ ସମ୍ଭବ ହୋଇ ପାରିଛି । ବ୍ଲକର ପ୍ରଥମ ପଞ୍ଚାୟତ ଭାବେ ଗୋଟିଏ ଶିଶୁ ପାର୍କ ନିର୍ମାଣ କରି ସାରା ଜିଲ୍ଲାରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏପରିକି ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଏହି ଗ୍ରାମୀଣ ଶିଶୁ ପାର୍କକୁ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ । ଖାଲି ସେତେିକି ନୁହଁ ଆହୁରି ତିନି ତିନଟି ଗ୍ରାମୀଣ ଶିଶୁପାର୍କ ନିର୍ମାଣ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ପଞ୍ଚାୟତର ରାସ୍ତା, ଆବାସ ଯୋଜନା ଓ ସାମୁହିକ ବିକାଶ କାର୍ଯ୍ୟ ସରପଞ୍ଚଙ୍କ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଛି । ସରପଞ୍ଚଙ୍କ କହିବାନୁଯାଇ ପଞ୍ଚାୟତରେ ୯୨୨ଜଣ ହିତାଧିକାରୀଙ୍କ ପକ୍କାଘର ଯୋଗାଇ ଦିଆଯାଇ ଥିବାବେଳେ ୧୪୫ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ସମ୍ପୁର୍ଣ୍ଣ ହୋଇଛି । ପଞ୍ଚାୟତରେ ୧୭୫୦ଜଣ ରାସନକାର୍ଡ ହିତାରଧିକାରୀଙ୍କୁ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ପଞ୍ଚାୟତର ୭୦୫ଜଣଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ଗ୍ରାମର ସ୍ମଶାନର ସୌନ୍ଦର୍ଯ୍ୟ କରଣ କରାଯାଇଛି । ସେହିପରି ପଞ୍ଚାୟତର ୧୦ଟି ପୁରାତନ ଐତିହ୍ୟ ପୋଖରୀକୁ ପୁନଃରୁଦ୍ଧାର କରାଯାଇଛି । ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୫୦ରୁ ଉର୍ଦ୍ଧ ସୋଲାର ଲାଇଟ ଲଗାଯାଇ ଆଲୋକିକରଣ କରାଯାଇଛି । ପଞ୍ଚାୟତର ସଢ଼ା ବୈଦ୍ୟନାଥ ମନ୍ଦିର ଓ ମଉଦାର ଲଙ୍କେଶ୍ୱର ମନ୍ଦିର ର ଉନ୍ନତିକରଣ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୋଷ୍ଟଅଫିସ ଓ ବେସରକାରୀ ବ୍ୟାଙ୍କ ଖୋଲାଯାଇ ସ୍ଥାନୀୟ ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଲୋକମାନଙ୍କ ସୁବିଧାପାଇଁ ପଞ୍ଚାୟତର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଯୋଗାଣସାମଗ୍ରୀ ବଣ୍ଟନ କରାଯାଉଛି । ପ୍ରତ୍ୟେକ ଗାଁକୁ ଗମନାଗମନର ସୁବିଧା ପାଇଁ ପକ୍କା, ପିଚୁ ଓ ମୋରମ ରାସ୍ତା ନିର୍ମାଣ କରାଯାଇଛି । ବିଭିନ୍ନ ଗ୍ରାମରେ ଜଳନିସ୍କାସନ ପାଇଁ ପଞ୍ଚାୟତ ଓ ବ୍ଲକ ପକ୍ଷରୁ ଡ୍ରେନେଜ ବ୍ୟବସ୍ଥା କରାଯାଇଛି । ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ସ୍ୱଚ୍ଛତା ଅଭିଯାନରେ ଶୌଚାଳୟ ନିର୍ମାଣ କରାଯାଇଛି । ଏତେସବୁ ପରେବି କିଛି ଲୋକ ଅସହିଷ୍ଣୁ ହୋଇ ପଞ୍ଚାୟତ ନାମରେ ମିଥ୍ୟା ଅପପ୍ରଚାର ଚଳାଇ ଆସିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଲୋକ ମାନଙ୍କୁ ଭୁଆଁ ବୁଲାଇବା ପାଇଁ କିଛି ଲୋକ ରିତିମତ ଷଡଯନ୍ତ୍ର କରି ପଞ୍ଚାୟତକୁ ବଦନାମ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବୋଲି ସରପଞ୍ଚ ଜୟନ୍ତୀ ସାମଲ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ