ଚାହିଦାରେ ଥର୍ମୋକୋଲ ଡଙ୍ଗା, ଗୋଟାକୁ ୩୦ରୁ ୫୦ଟଙ୍କା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଉତ୍କଳ ନୌ-ବାଣିଜ୍ୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଦଳୀ ପାଟୁଆ, ଥର୍ମୋକୋଲ ଡଙ୍ଗା ଜଳାଶୟରେ ଭସାଇବାର ପ୍ରଥା ରହିଛି । ଏଣୁ କରଞ୍ଜିଆ ସହରରେ ଥର୍ମୋକୋଲ ଡଙ୍ଗା ବିକ୍ରି ମଧ୍ୟ ଜମିଛି । ଆଉ ଗୋଟିଏ ଦିନ ପରେ ପୂର୍ଣ୍ଣିମା । ସେଥିପାଇଁ କରଞ୍ଜିଆ ସହର ଚଳଚଞ୍ଚଳ ହୋଇଉଠିଛି । କେବଳ କାର୍ତ୍ତିକ ପୂର୍ଣ୍ଣିମା ନୁହେଁ କରଞ୍ଜିଆ, ଠାକୁରମୁଣ୍ଡା, ଯଶିପୁର, ରରୁଆଁ, ଶୁକୃଳି ସମେତ ଅନ୍ୟାନ୍ୟ ସ୍ଥାନରେ ଥର୍ମୋକୋଲ ଡଙ୍ଗା, ଧାନପେଣ୍ଡା, ଫୁଲ ବିକ୍ରି ହେଉଛି । ବ୍ୟବସାୟୀମାନେ ଥର୍ମୋକୋଲ ଡଙ୍ଗା ଗୋଟାକୁ କୋଡିଏ ଟଙ୍କାରୁ ଶହେ ଟଙ୍କା, କଦଳୀପାଟୁଆ ଡଙ୍ଗା ଗୋଟା ତିରିଶ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ସେହିପରି ଓଷା ପାଇଁ ଫୁଲ ଓ ଧାନପେଣ୍ଡାର ଚାହିଦା ପରିଲକ୍ଷିତ ହୋଇଛି । ଗେଣ୍ଡୁ ଫୁଲର ଦାମ ମଧ୍ୟ ବୃଦ୍ଧି ପାଇଛି । ଧାନପେଣ୍ଡା ଗୋଟା ପ୍ରତି ୫୦ଟଙ୍କାରୁ ୧୦୦ଟଙ୍କାରେ ବିକ୍ରୟ ହେଉଛି । ଆମ ସଂସ୍କୃତି, ପ୍ରଥାକୁ ଜୀବିତ ରଖିବା ନିମନ୍ତେ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ଲୋକେ କିଣାକିଣି କରୁଛନ୍ତି ।