ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଶାକର୍ମୀଙ୍କର ଏକ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲା ସଭାପତି ଶକୁନ୍ତଳା ଗୋଚ୍ଛାୟତ ସଭାପତିତ୍ୱ କରିଥିଲେ । ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଯୋଗଦେଇ ଶୁଶୁ ଓ ପ୍ରସୂତିଙ୍କ ଜୀବନ ରକ୍ଷାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଶା କର୍ମୀଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । କରୋନା ଭଳି ମହାମାରୀ ସମୟରେ ଏହି ଆଶା କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ନିଜ ନିଜ ଅଞ୍ଚଳର ଗର୍ଭବତୀ, ପ୍ରସୂତି ଓଶିଶୁଙ୍କର ସେବାଯତ୍ନ ନେବା ସହ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ପରିଚାଳନାରେ ମଧ୍ୟ ସହଯୋଗ କରିଆସିଥିଲେ । ଏହା ସତ୍ତ୍ୱେ ଆଶାକର୍ମୀଙ୍କୁ ସର୍ବନିମ୍ନ ମଜୁରି ହାରରେ ଦରମା ପ୍ରଦାନ କିମ୍ବା ସରକାରୀ କର୍ମଚାରୀର ମାନ୍ୟତା ଦେବାରେ ସରକାର କୌଣସି ବ୍ୟବସ୍ଥା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା ଆରୋପ କରିଥିଲେ । ଏନେଇ ଆଶାକର୍ମୀମାନେ ଆସନ୍ତା ଡିସେମ୍ବର ୩ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଥିଲେ । ଆଶାକର୍ମୀ ସଂଘର ରାଜ୍ୟ ଉପ-ସଭାପତି କୁମମଣି ଦେଇ, ଜିଲା ସମ୍ପାଦିକା କଳ୍ପଲତା ଦାସ, ସ୍ୱର୍ଣ୍ଣଲତା ଦାସ, ଅନ୍ନପୂର୍ଣ୍ଣା ରାଉତ, ଜାନକୀ ରାଉଳ, ଅପର୍ଣ୍ଣା ପ୍ରଧାନ, ବନିତା ରାଜ, ତିଳୋତ୍ତମା ବେହେରା, ହରପ୍ରିୟା ପାଢ଼ୀ, ଶାନ୍ତିଲତା ଦାସ ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ଆଶାକର୍ମୀଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଆଶାକର୍ମୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ