ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଛନ୍ତି । ସଭାପତି ଶ୍ରୀ ସାମଲ ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ବୁଧବାର ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫-ଟି ପକ୍ଷରୁ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଫୋକସ୍ ସ୍କୁଲ ଭାବେ ଚୟନ କରାଯାଇଛି । ସେହି ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନା ଗୃହ ଗତ ୫-୬ମାସ ପୂର୍ବରୁ ଅତ୍ୟନ୍ତ ଉଚ୍ଚ ମାନର ନିର୍ମାଣ କରାଯାଇଛି । କିନ୍ତୁ ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ପୂନର୍ବାର ସେହି ବିଦ୍ୟାଳୟରେ ନିର୍ମାଣ ହୋଇଥିବା ସ୍ନାନାଗାର ଓ ପାଇଖାନାକୁ ଭାଙ୍ଗି ଦେଇ ପୁନଃ ନିର୍ମାଣ କରିବା କିମ୍ବା ସମ୍ପୂର୍ଣ୍ଣ ହୋଇଥିବା ସ୍ନାନାଗାର ଓ ପାଇଖାନା ଗୃହ ଉପରେ ରଙ୍ଗ ବୋଳିଦେଇ ଆଉଥରେ ବିଲ୍ କରିନେବାକୁ ପ୍ରଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ତେଣୁ ସେହି ବିଦ୍ୟାଳୟରେ ନିର୍ମାଣ ସରିଥିବା ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାନଯିବା କିମ୍ବା ସେହି କାର୍ଯ୍ୟକୁ ଦେଖାଇ ପୂନର୍ବାର ବିଲ୍ କରାନଯିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେହି ବିଦ୍ୟାଳୟର ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପରେ ଅଯଥା ୫-ଟି ମୋ ସରକାର ଅର୍ଥକୁ ଅପବ୍ୟୟ ନକରାଯାଇ ସେହି ଅର୍ଥରେ ବିଦ୍ୟାଳୟର ଅନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି । ନଚେତ୍ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଅବିିନାଶ ଲେଙ୍କା, ସନାତନ ବରାଳ, ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ସଭାପତି ଓଁକାର ମହାନ୍ତି, ହିରଣ୍ୟ କୁମାର ରାଉତ, ସର୍ବେଶ୍ୱର ପ୍ରଧାନ, ସଂଗ୍ରାମ ବଳ, ପ୍ରଦିପ ବିଶ୍ୱାଳ, ଗୋବିନ୍ଦ ସେଠୀ, ଶ୍ରୀକାନ୍ତ ଲେଙ୍କା, ମଳୟ ଦାସ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।


