ପଞ୍ଚାୟତ ନର୍ବାଚନ ପାରି ହେବାକୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ଆୟୁଧ
ବାଲେଶ୍ୱର, (ସରୋଜ ପଣ୍ଡା):ସାଧାରଣ ନିର୍ବାଚନର ପୂର୍ବରୁ ୨୦୧୯ ମସିହାରେ ଚାଷୀଙ୍କ ସମର୍ଥନ ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବା ଭଳି ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସମେତ ଶାସକ ଦଳର ନେତା ମନ୍ତ୍ରୀ ଦଳଦଳ ହୋଇ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ଼ ବାଣ୍ଟିବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠାଇଛି ବାଲେଶ୍ୱର ଜିଲା କଂଗ୍ରେସ କମିଟି । ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ସଞ୍ଜୀବ ଗିରି, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌରତମ ସାହୁ ପ୍ରମୁଖ ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବାଣ୍ଟିବା ପ୍ରକୃତରେ କହା ସ୍ୱାର୍ଥରେ ବୋଲି କହିଥିଲେ । ତେବେ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବରୁ ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏହି ସ୍ମାର୍ଟକାର୍ଡ଼ ଜନସାଧାରଣଙ୍କୁ ଚିକିତ୍ସା ସେବା ପ୍ରଦାନରେ କେତେ ସହାୟକ ହେବ, ତାହାକୁ ନେଇ ବାଲେଶ୍ୱରବାସୀଙ୍କ ପକ୍ଷରୁ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସ୍ମାର୍ଟକାଡ଼ ବଣ୍ଟନ ସାଙ୍ଗକୁ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ମାଧ୍ୟମରେ ସରକାର ଜଣେଇ ଦେଲେ ଯେ ଏଣିକି ଚିକିତ୍ସା ପାଇଁ କୌଣସି ପରିବାରକୁ ଜମି, ସୁନାଗହଣା ବିକ୍ରି କରିବାକୁ ପଡ଼ିବ ନାହିଁ । ଏହାର ଅର୍ଥ ଯେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ବିଜେଡିର ୨୨ବର୍ଷ ଶାସନ କାଳରେ ରାଜ୍ୟବାସୀ ଚିକିତ୍ସା ପାଇଁ ଏହିଭଳି ଜମି ଓ ସୁନାଗହଣା ବିକ୍ରି କରି ସର୍ବସ୍ୱାନ୍ତ ହୋଇଛନ୍ତି । ସେହିଭଳି ମୁଖ୍ୟ ଡାକ୍ତରଖାନା ସମେତ ବାଲେଶ୍ୱର ଜିଲାର ବିଭିନ୍ନ ହସପିଟାଲରେ ଅଦ୍ୟାବଧି ୧୫୯ ଡାକ୍ତର ପଦ ଖାଲି ପଡ଼ିଛି, ଏଭଳି ସ୍ଥିତିରେ ଲୋକେ ସ୍ମାର୍ଟକାର୍ଡ଼ ଧରି ଲୋକେ କଟକ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାକୁ ଦୌଡ଼ିବେ କି । ବାଲେଶ୍ୱର ସଦର ଡାକ୍ତରଖାନାରେ ପ୍ରତି ମାସରେ ପ୍ରାୟ ଭେଷଜ ବିଭାଗରେ ୨ ଜଣ, ଶିଶୁ ବିଭାଗରେ ୪ ଜଣ, ପ୍ରସୂତି ବିଭାଗରେ ୫ ଜଣ , ଅସ୍ତ୍ରୋପଚାର ବେଳେ ୨ ଜଣ, ଯକ୍ଷ୍ମା ବିଭାଗରେ ୨ ଜଣ, ଗ୍ୟାସଟ୍ରୋଲୋଜି ୨ ଜଣ , ନେଫ୍ରୋଲୋଜିରେ ୨ ଜଣ , ନ୍ୟୁରୋଲୋଜିରେ ଜଣେ ରୋଗୀ ମୃତ୍ୟୁବରଣ କରୁଛନ୍ତି । ଏହାର ନିରାକରଣ ପାଇଁ ସରକାରୀ ଡାକ୍ତରଖାନା ଗୁଡିକରେ ଅଧିକ ବଶେଷଜ୍ଞ ଡାକ୍ତର ନଯୁକ୍ତି ଓ ଅତ୍ୟାଧୁନିକ ଉପକରଣ ଆବଶ୍ୟକ ଅଛି । ଏ ଦିଗରେ ସରକାର ଯତ୍ନବାନ ହେବେ କି ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି । ସେହିଭଳି ଜିଲାର ମାତ୍ର ୪୩ ଗୋଟି ସରକାରୀ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଆବଶ୍ୟକ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କଟକ-ଭୁବନେଶ୍ୱରର ବଡ଼ ବଡ଼ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀ ନେବାକୁ ସେରକାର ଖର୍ଚ୍ଚ ବହନ କରିବେ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅତଏବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନକୁ କେହି ବିରୋଧ କରୁ ନାହାନ୍ତି, ମାତ୍ର ଏହାର କାର୍ଯ୍ୟକାରୀରେ ଲୋକେ କେତେ ଉପକୃତ ହେବେ ତାହା ଆଜି ପ୍ରଶ୍ନବାଚୀ ହୋଇଛି ବୋଲି କଂଗ୍ରେସ ନେତାମାନେ ମତ ଦେଇଛନ୍ତି । ତେବେ ବାଲେଶ୍ୱରର ସଚେତନ, ସ୍ୱାଭିମାନୀ ଜନତାଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର କେବେ ମିଳିବ ବୋଲି ସେମାନେ ସାମ୍ବାଦିକ ସମ୍ମିଳନୀରେ ପଚାରିଛନ୍ତି ।


