ହତ୍ୟା ଅଭିଯୋଗ ପରେ ଛାନ୍ଭିନ୍ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ମୁନିଷିପେଣ୍ଠ ଗ୍ରାମରେ ଏକ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୁଲିସ ଓ ମାଜିଷ୍ଟ୍ରେଟ୍ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି । ଗତ 12 ତାରିଖରେ ମୃତ ମହିଳାଙ୍କ ଶବକୁ ପୋତି ଦିଆଯାଇଥିବା ବେଳେ ମହିଳାଙ୍କ ପରିବାର ଅଭିଯୋଗ ପରେ ଆଜି ଶବକୁ ପୋତା ଯାଇଥିବା ସ୍ଥାନରୁ ଖୋଳି ବାହାର କରାଯାଇଛି । ମୃତ ମହିଳା ଜଣକ ମୁନିଷିପେଣ୍ଠ ଗ୍ରାମ ଡେରାସାହିର ଟି.ମୋହନ ରାଓଙ୍କ ପତ୍ନୀ । ଗତ ୭ ବର୍ଷ ପୂର୍ବେ ବ୍ରହ୍ମପୁର ବଡବଜାର ଥାନା ଲକ୍ଷ୍ମୀନୃସିଂହ ସାହି ନିବାସି ୟୁ. ଶଶିରେଖାଙ୍କ କନ୍ୟା ସହ ମୁନିଷିପେଣ୍ଠ ଡେରାସାହିର ଟି.ତୁମ୍ବନାଥ ରାଓଙ୍କ ପୁତ୍ର ଟି.ମୋହନ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ଦୁହିଁଙ୍କ ଏକ ୬ ବର୍ଷର ପୁତ୍ର ଏବଂ ୧୧ ମାସର ଶିଶୁ କନ୍ୟା ରହିଛି । ପାରିବାରିକ କଳହରୁ ଗତ ୧୦ ତରିଖରେ ଟି. ଲକ୍ଷ୍ମୀ ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କ ପରିବାର ପକ୍ଷରୁ ପ୍ରଥା ଅନୁଯାୟୀ ମୃତ ଲକ୍ଷ୍ମୀଙ୍କ ଶବକୁ ମୁନିଷିପେଣ୍ଠ ଶ୍ମଶାନ ନିକଟ ଏକ ତୁଠରେ ପୋତି ଦିଆଯାଇଥିଲା । ହେଲେ ମୃତ ଲକ୍ଷ୍ମୀଙ୍କ ପରିବାର ଅର୍ଥାତ୍ ମାଆ ଶିଶିରେଖା ଝିଅକୁ ହତ୍ୟା କରି କାହାକୁ ନ ଜଣାଇ ସ୍ୱାମୀ ଘର ଲୋକେ ପୋତି ଦେଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ଥାନା ସବ୍ଇନ୍ସପେକ୍ଟର ସିଲୁ ଧଳ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜସ୍ମିନ୍ କୁମାର ପ୍ରଧାନ ଏବଂ ସାଇଣ୍ଟିଫିକ୍ ଟିମ୍ ୍ପ୍ରମୁଖ ମୁନିଷିପେଣ୍ଠ ଗ୍ରାମ ଶ୍ମଶାନେରେ ପୋତି ଦିଆଯାଇଥିବା ସ୍ଥାନକୁ ଖୋଳି ମୃତ ଲକ୍ଷ୍ମୀଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ମୋହନକୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ ଲକ୍ଷ୍ମୀଙ୍କ ଶବକୁ ବ୍ରହ୍ମପୁର ଏଫ୍ଏମ୍ଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।