ଆସ ପାଠାଗାରଟିଏ ଖୋଜିବା

ବିପିନ ବିହାରୀ ମହାନ୍ତି
ପାଠାଗାରଟିଏ କେବଳ ବହିମାନଙ୍କର ସଂଗ୍ରହାଳୟ ନୁହେଁ, ପାଠକ ତଥା ଗବେଷକମାନଙ୍କ ପାଇଁ ଏହା ଅମୂଲ୍ୟ ସଂପଦର ଗନ୍ଥାଘର । ଏହା ଏକ ବୃହତ୍ ଜ୍ଞାନ ଆହରଣ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଆସନ୍ତୁ ବିଚାରିବା ପାଠାଗାରଟିଏ କିମିତି ନିଜ କଳେବରକୁ ସମୃଦ୍ଧି କରିଥାଏ । ପ୍ରଥମତଃ ଯେଉଁମାନେ ପାଠାଗାରଟିଏ ପାଇଁ ଉଦ୍ୟୋକ୍ତା ସେମାନେ ନିଜେ କିଛି ବହି ଦାନ ବା କ୍ରୟ ସୂତ୍ରରେ ଦେଇଥାନ୍ତି । ଦ୍ୱିତୀୟତଃ ସରକାରଙ୍କ ଅନୁଦାନ ଆକାରରେ କିଛି ବହି ଭିନ୍ନ ଭିନ୍ନ ମାଧ୍ୟମରେ ମିଳିଥାଏ ଯେମିତି ରାଜା ରାମମୋହନ ପାଠାଗାର ଫଣ୍ଡ ବା ଟ୍ରଷ୍ଟରୁ ପ୍ରତିବର୍ଷ ରେଜେଷ୍ଟ୍ରିଭୁକ୍ତ ପାଠାଗାରମାନଙ୍କୁ ଆବେଦନ କରିଥିଲେ ଯୋଗାଇ ଦେଇଥାଏ । ତୃତୀୟତଃ କୌଣସି ବଦାନ୍ୟ ବ୍ୟକ୍ତି କ୍ରୟ ବା ସଂଗ୍ରହ କରି ଅଥବା ନିଜ ପାଖରେ ଗଚ୍ଛିତ ପୁରୁଣା ବହିକୁ ପାଠାଗାରମାନଙ୍କୁ ଦାନ କରିଥାନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ଉତ୍ସ ଅଛି । ଏକଥା ସୂଚାଇ ଦେଉ ଯେ କୌଣସି ଜ୍ଞାନୀ, ଗୁଣୀ ଅଥବା ଶିକ୍ଷିତ ବ୍ୟକ୍ତି ବହିଟି ପଢ଼ିସାରିଲା ପରେ ଯେତେବେଳେ ଆଉ ଆବଶ୍ୟକତା ନଥାଏ, ସେ ତାକୁ କବାଡ଼ିଆକୁ ନ ବିକି ତାକୁ କୌଣସି କାର୍ଯ୍ୟକ୍ଷମ ପାଠାଗାରକୁ ଦାନ କରିଥାନ୍ତି, ସେଥିପାଇଁ ସେ ପାଠାଗାରଟି ଖୋଜିବୁଲେ ଯେଉଁଠି ତା ବହିଗୁଡ଼ିକ ତାଙ୍କର ମର୍ଯ୍ୟଦା ଦେବେ । ଏକଥା ତ ଆମେ ଜାଣୁ ଯେ ପ୍ରକୃତ ପାଠକଟିଏ ସେମିତି ତା ପାଇଁ ଭଲ ପାଠାଗାରଟିଏ ଖୋଜେ ଯେଉଁଠି ସେ ତାର ଇପ୍‌ସିତ ଜ୍ଞାନ ପାଇବା । ଅର୍ଥାତ୍ ଦାତା ଖୋଜେ ଯେମିତି ସେମିତି ଜ୍ଞାନର ଜିଜ୍ଞାସୁଟିଏ ପାଠାଗାର ଖୋଜେ ।
ଏବେ ଗାଁ ଗହଳି ବା ସହରରେ ଗଳି କନ୍ଦିରେ ପାଠାଗାରମାନ ଛତୁ ଫୁଟିଲେଣି । ଅବଶ୍ୟ ସରକାର ତାଙ୍କ ତରଫରୁ ବିଭିନ୍ନ ସଦର ମହକୁମାରେ ସରକାରୀ ପାଠାଗାର ମାନ ଖୋଲିଛନ୍ତି । ସେଗୁଡ଼ିକୁ ଛାଡ଼ିଦେଲେ ଅଧିକାଂଶ ପାଠାଗାର ଉଦ୍ଦେଶ୍ୟ ପ୍ରଣୋଦିତ ଯାହାକି ବ୍ୟକ୍ତିଗତ ପ୍ରଚେଷ୍ଟା ବା କେଉଁଠି ସଂଘୀୟ ଉଦ୍ୟମରେ ହୋଇଥାଏ ସେଠି ସରକାରୀ ଅର୍ଥ ବା ଜମି ହଡ଼ପ କରିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥାଏ । ଏସବୁ ସ୍ଥାନରେ ପାଠାଗାର ନାମଫଳକ ଥାଏ; କେଉଁଠି କେଇଖଣ୍ଡ ବହିଥାଏ; କେଉଁଠି ମୋଟେ ନଥାଏ, କେଉଁଠିବା ୨୪ ଘଂଟା ଚାବି ପଡ଼ିଥାଏ ସେ ଘର । ଆଉ ବା କେଉଁଠି ଭିନ୍ନ ଉଦ୍ଦେଶ୍ୟରେ ତାକୁ ଲଗାଯାଇଥାଏ ।
ଏଠାରେ ଏକ ଦୃଷ୍ଟାନ୍ତ ବା ଉଦାହରଣ ଆମ ପାଠାଗାରଗୁଡ଼ିକର ସ୍ଥିିତି ନେଇ ଉପସ୍ଥାପନ କରୁଅଛୁ । ଆମ ସହରର ଜଣେ ବ୍ୟକ୍ତି ତାଙ୍କ ନାମ ରାମହରି ପାଢ଼ୀ । ବୟସ ପାଖାପାଖି ପଂଚାଅଶୀ । ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ । ଭାରି ଆଧ୍ୟାତ୍ମିକବାଦୀ । ସେଗୁଡ଼ାଏ ଆଧ୍ୟାତ୍ମିକ ପତ୍ରିକା ମଗାନ୍ତି, ବହି କିଣି ପଢ଼ନ୍ତି । ଏମିତିରେ ତାଙ୍କ ପାଖେ ହଜାରେ ସରିକି ବହି ଓ ପତ୍ରିକା ଥିଲା । ସେ କବାଡ଼ିଆକୁ ଖଣ୍ଡିଏ ବିକି ନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ସେ ସେଗୁଡିକୁ କୌଣସି ଚଳତ୍ ପାଠାଗାରକୁ ଦେଇ ଦେବେ । ଏଣୁ ଖୋଜିଲେ ପାଠାଗାର । ପ୍ରଥମେ ଠିକଣା ନେଇ ସହରରେ ଏକ ନାଁକରା ବଡ଼ ପାଠାଗାରରେ ପହଂଚିଲେ । ପାଖାପାଖି ପାଂଚ ଏକର ପରିମିତି ସେ ସ୍ଥାନ । ୪/୫ ବଖରା କୋଠାଘର । ଦୁଇଟା କାଚଭଙ୍ଗା ଆଲମିରାରେ ୪୦/୫୦ ଖଣ୍ଡ ବହି । ଘର ଖୋଲା । ବାରଣ୍ଡାରେ ଗାଈ ଶୋଇଛନ୍ତି; କୁକୁର ମାଳମାଳ; ଜଣେ ଟିଉସନ ମାଷ୍ଟର ସେଠି ପିଲାଙ୍କୁପଢ଼ାଏ । ବେଳେ ବେଳେ ଯାତ୍ରା ପାର୍ଟି ପଡ଼େ । ସେଠି ଖାଲି ମଦ ବୋତଲ ଶହ ଶଡ ସଂଖ୍ୟାରେ ଗଡ଼ୁଛି । ରାଜନୀତିର ସଭା ସମିତି ବସେ ସେଠି । ରାତିରେ କେଉଁଠି ସେଟା ଏକ ଦୁଷ୍କର୍ମର ପେଣ୍ଠସ୍ଥଳୀ । ପାଢ଼ୀ ଏସବୁ ଦେଖି ଓ ଅନ୍ୟାନ୍ୟ ଯାହା ସଂଗ୍ରହ କଲ, ବୁଝିଗଲେ ଯେ ଏଇଟା ତାଙ୍କ ମନର ପାଠାଗାର ନୁହେଁ ଅଥଚ ଏଠି ସରକାରଙ୍କର କେତେ କୋଟି ଟଙ୍କା ଖର୍ଚ୍ଚ ନହୋଇଛି ! ସେଠୁ ଗଲେ ଆଉ ଗୋଟେ ପାଠାଗାର । ସେଇଟା ପୂର୍ବତନ ବିଧାୟକ ତାଙ୍କ ନାଁରେ କରିଛନ୍ତି । ସାଧାରଣ ଲୋକ ଏସବୁ ଜାଣନ୍ତି ନାହିଁ । ପାଢ଼ୀ ଗଲା ବେଳେ ନିଜେ ବିଧାୟକ ଅଛନ୍ତି । ସେ ପାଢ଼ୀଙ୍କୁ ପଚାରଲେ, ‘କୁଆଡ଼େ ଆସିଛନ୍ତି ?’ ପାଢ଼ୀ କହିଲେ, ଆପଣଙ୍କ ପାଖରେ କାମ ଅଛି ? ସେ କହିଲେ, ‘ମୁଁ ତ ଆଉ ବିଧାୟକ ନାହିଁ, ତୁମକୁ ଆଉ କି ସାହାଯ୍ୟ କରିବି ?’ ପାଢ଼ୀ କହିଲେ, ‘ସେସବୁ କଥା କିଛି ନାହିଁ ଆଜ୍ଞା, ମୋ ପାଖରେ ଥିବା କିଛି ପତ୍ରିକା ଓ ବହି ଆପଣଙ୍କ ପାଠାଗାରକୁ ଦାନ କରିବି ବୋଲି ଭାବିଛି ।’
ଏଥିକୁ ସେ ଉତର ଦେଲେ, ‘ଆପଣ ଭୁଲ ଠିକଣାରେ ପହଂଚିଛନ୍ତି । ଏଠି ସେମିତି କିଛି ପାଠଗାର ନାହିଁ । ଏଇଟା ମୋ ବାସଭବନ । ତୁମ ଏଠୁ ଶୀଘ୍ର ଯା’ ।’
ଅଥଚ ପାଢ଼ୀ ଠିକ୍ ଠିକଣାରେ ଯାଇଥିଲେ । ଏ ପାଠାଗାର ପାଇଁ କେଉଁଠି କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ ଶୁଣିଛନ୍ତି । ଆଉ ଗୋଟେ ଯାଗାକୁ ଗଲେ । ଦେଖିଲେ ବିରାଟ ନାମଫଳକ ଝୁଲୁଛି । ବୁଝିଲେ ମାତ୍ର ୫୦ ଖଣ୍ଡ ବହି ଅଛି । ତା ପାଖରେ ଆଉ ଏକ ଗ୍ରୀନ୍ କୋଠରୀ ଅଛି ।
ଏହାପରେ ଏ ସହର ଛାଡ଼ି ପାଖ ସହରକୁ ଗଲେ । ଅବଶ୍ୟ ସେଠି କିଛି ପାଠାଗାର ଦେଖିଲେ ଅଥଚ ସେ ସବୁ ଯାଗାରେ ବହି ଦେବାକୁ ମନ ଛୁଇଁଲେ ନାହିଁ । ଓଲଟି ସେମାନେ ବତାଇଦେଲେ ଯେ ତୁମେ ତୁମ ସହରରେ ଗୋଟେ ବଡ଼ ପାଠାଗାର ଛାଡ଼ି ଏଠିକି କାହିଁକି ଆସିଛ ? ସେମାନେ ବି ଠିକଣା ଦେଲେ । ଏଯାଏଁ ସେ ଗୋଟେ କାର୍ ଯୋଗେ ଦୁଇଟା ସହର ବୁଲିଗଲେଣି । ଆମ ସଂସ୍ଥାରେ ପହଂଚିଲା ବେଳକୁ ଅପରାହ୍ନ ୩ ଘଟିକା । ସେ ନିଜେ ଚୌକିଟିଏ ଭିଡ଼ି ନେଇ ଆଗେ ବସିଗଲେ । ତାପରେ ପାଠାଗାରର ଦୁଇମହଲା ଯାକ ଘେରାଏ ବୁଲ ଆସିଲେ ।
ଆମେ ପଚାରିଲୁ, ‘କ’ଣ ହେଲା ଆଜ୍ଞା ?’
ସେ କହିଲେ, ‘ପାଇଗଲି । ମୋ ଖୋଜିଲା ସ୍ଥାନଟି ପାଇଗଲି ।’
ଏତିକି କହୁ କହୁ ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଗଲା । ସେ ସବୁ କଥା ଖୋଲିକି କହିଲେ ଏବଂ କହିଲେ ଏବେ ମୋ ସଂଗେ ଆସନ୍ତୁ । ମୁଁ କିଛି ବହି ଓ ପତ୍ରିକା ଦେବି । ଆପଣଙ୍କ ପାଠାଗାର ପାଇଁ ଦେବି ।
ଆମେ ଅଟୋ ନେଇଗଲୁ । ଅଟୋ ଭରା ପତ୍ରିକା ଓ ବହି ଆଣିଲୁ । ଅବଶ୍ୟ ଏଥର ପତ୍ରିକା ବେଶୀ ଥିଲା । ବହୁତ ମୂଲ୍ୟବାନ ସେ ପତ୍ରିକା ଯିଏ କି ଆମ ପାଇଁ ସଂପଦ ପାଲଟିଗଲା ।
ଏମିତି ଦୁଇବର୍ଷ ଧରି ମଝିରେ ମଝିରେ ସେ ଆମକୁ ଡକାଇ ଯାହା ପତ୍ରିକା ଆଉ ଆସିଥାଏ ଏବଂ ତାକୁ ସେ ପଢ଼ି ସାରିଥା’ନ୍‌ି ଆମକୁ ଦେଇଦିଅନ୍ତି ।
ଦିନେ ଚାରିଟା ବେଳେ ତାଙ୍କ ବଡ଼ଝିଅ ଗୋଟେ ସ୍କୁଟି ଯୋଗେ ଆମ ଅନୁଷ୍ଠାନଠି ପହଂଚି ତାଙ୍କ ପରିଚୟ ଦେଲା । ଆମେ କହିଲୁ ପାଢ଼ୀ ବାବୁ କେମିତି ଅଛନ୍ତି ?
ସେ ଆଖିରେ ଲୁହ ଦେଇ କହିଲା, ‘ଆଜକୁ ନନା ଚାଲିଯିବାର ଆଠଦିନ ହେଲା ।’
ଆମେ ଅବାକ୍ ହୋଇଗଲୁ । ପଚାରିଲୁ, ‘ତୁମେ କ’ଣ ତାଙ୍କ ଶୁଦ୍ଧିକ୍ରିୟା ପ୍ରସାଦ ସେବନ ନିମନ୍ତ୍ରଣ ନେଇ ଆସିଛ ?’
‘ନାଇଁ ଆଜ୍ଞା, ୧୦ ଦିନ ତଳେ ସେ ଦୁଇବସ୍ତା ବହି ଏବଂ ଗୋଟେ ବସ୍ତା ପତ୍ରିକା ବନ୍ଧାବନ୍ଧି କରି କହିଲେ, ‘ଏହାକୁ ଆଜି ନେଇ ପାଠାଗାରରେ ଦେଇଦିଅ । ମୁଁ ମରିଗଲେ କାଳେ ତୁମେ କବାଡ଼ିଆକୁ ଦେଇଦେବ ।’ ଆମେ ଟିକିଏ ଗାଲେଇଗଲୁ । ହଁ, ଦେବା ତ । ନନା କହୁଛନ୍ତି ବୋଲି କଣ ଏଇନେ ଚାଲିଯାଉଛନ୍ତି ? ଅଥଚ ନନା ଦୁଇଦିନଠି ଚାଲିଗଲେ । ଆମେ ଭାବୁଛୁ, ସେ ବହିକୁ ହସ୍ତାନ୍ତର ନକଲେ ତାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ । ଆମେ ବଡ଼ ଅପରାଧୀ ଆଜ୍ଞା, ଆଜି ମୁଁ ପାଠାଗାର ଦେଖିବାକୁ ଆସିଥିଲି । କାଲିକୁ ବହି ନେଇ ଆସିବି । ତାପରଦିନ ସେ ଝିଅ ଗୋଟେ ଅଟୋ ଯୋଗେ ସେ ଅମୂଲ୍ୟ ସଂପଦଗୁଡ଼ିକ ଆମକୁ ହସ୍ତାନ୍ତର କଲା ।
ଆମେ ପାଢ଼ୀଙ୍କ କଥା ଭାବୁଛୁ । ଆପଣ ମଧ୍ୟ ହୃଦୟ ଦେଇ ଭାବନ୍ତୁ । ସେ ଜଣେ ଜ୍ଞାନୀ, ଅଜ୍ଞାନ ନୁହଁନ୍ତି । ଜଣେ ଠିକ୍ ଲୋକ ଯିଏ କି ଠିକ୍ ସମୟରେ ଯଥା ସ୍ଥାନରେ ବହିଗୁଡ଼ିକ ଭବିଷ୍ୟତ ପୀଢ଼ୀ ପାଇଁ ଥୋଇ ଚାଲିଗଲେ । ଧନ୍ୟ ତୁମେ ପାଢ଼ୀ !
ଦୁଇବର୍ଷ ତଳେ ଓଡ଼ିଶା ସଚିବାଳୟରୁ କୌଣସି ତନଖି ବିଭାଗରୁ ଜଣେ ବାବୁ ଆସି ପହଂଚିଲେ । ତାଙ୍କ ପାଖରେ ଆମ ସହରରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଏକ ଲମ୍ବା ତାଲିକା ଥିଲା । ମୋତେ କହିଲେ ଯେ ସେ ଏ ଅନୁଷ୍ଠାନଗୁଡ଼ିକ ଖୋଜି ପାଉନାହାନ୍ତି । ଯୋଉ ଠିକଣାରେ ସ୍ଥାନଗୁଡ଼ିକ ଦିଆଯାଇଛି, ସେଠି କାହାର ଚିହ୍ନବର୍ଣ୍ଣ ନାହିଁ । ଅଥଚ ଏମାନେ ପଞ୍ଜିକୃତ ଅନୁଷ୍ଠାନ । ଏମାନେ ଠିକ୍ ସମୟରେ ସରକାରୀ ବା ବିଧାୟକ କି ସାଂସଦ ପାଣ୍ଠିରୁ ଅନୁଦାନ ପାଇଥାନ୍ତି । ମୋତେ ଏମାନଙ୍କ ଠିକଣା ବତାଇ ଦେବେ କି ? ମୁଁ ପାଉନାହିଁ । କେବଳ ଆପଣଙ୍କ ଅନୁଷ୍ଠାନଟି ଠିକଣା ମିଳିଲା ।
କହିଲି, ‘କ୍ଷମା କରିବେ । ମୋତେ ଏମାନେ ଜଣା ନାହାନ୍ତି । ଆପଣ ଅନ୍ୟତ୍ର ଚେଷ୍ଟା କରନ୍ତୁ … । ଯାଆନ୍ତୁ ।’
ଜାଣିଲି ଗୋପନୀୟ ଚୁକ୍ତି ଦ୍ୱାରା ଏଠି ସବୁ ଚାଲିଛି । ଅନୁଷ୍ଠାନ ଥାଉ କି ନଥାଉ । ସରକାରୀ ଧନ ଯେମିତି ଧପେଇ ହଡ଼ପ କଲେ ହେଲା । ମାରିଦେଲେ ମହାପାତ୍ରେ, ଚାହିଁଥିଲେ ଜଳକା ।
ଆମ ପାଠାଗାରରେ ଏବେ ବହି ଓ ପତ୍ରପତ୍ରିକା ମିଶି ପ୍ରାୟ ୭୦ ହଜାର । ଏଯାବତ୍ ସରକାରୀ ସାହାଯ୍ୟ ପଇସାଟିଏ ନାହିଁ । ଭଡ଼ାଘରେ ଚାଲିଛି ଅନୁଷ୍ଠାନ । ଜାଗା ଖଣ୍ଡିଏ ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କ ପାଖକୁ ଦୌଡ଼ି ଦୌଡ଼ି ହାଲିଆ । ହୋଇପାରୁନି । ବିଧାୟକ ବା ସାଂସଦ ପାଣ୍ଠିରୁ ବି ନାହିଁ । ଅଥଚ ଅନୁଷ୍ଠାନ ନଥାଇ ମଞ୍ଜୁର ହେଉଛି ଲକ୍ଷ ଲକ୍ଷ ଟଙ୍କା… । ଛାଡ଼ନ୍ତୁ । ସେଥିରେ ବହୁ ରାଜନୀତି । ଆମେ ପାରୁନୁ ।
ଏସବୁ ସ୍େୱ ସରକାରଙ୍କୁ ଛାଡ଼ିଦେଲେ ଦାଶରଥି ପଟ୍ଟନାୟକ, ଉଦୟପୁର ପରି ବ୍ୟକ୍ତିଗତ ପ୍ରଚେଷ୍ଟାରେ କେତେକ ପାଠାଗାର ଓ ସଂଗ୍ରହାଳୟ ଅଛି । ଲୋକେ ସେଠି ଖୋଜିକି ଯାଆନ୍ତି । ପତ୍ରପତ୍ରିକା ଦାନ କରନ୍ତି । ଜ୍ଞାନ ପିପାସା ମେଣ୍ଟାନ୍ତି । ଗବେଷଣା ଲବ୍ଧ ସବୁକିଛି ପାଆନ୍ତି ।
ଆସନ୍ତୁ, ଏମିତି ପାଠାଗାରଟିଏ ଖୋଜିବା, ତୋଳିବା ନତୁବା ଗଢ଼ିବାରେ ସହାୟକ ହେବା । ଆମ ଭବିଷ୍ୟତ ପୀଢ଼ୀ ପାଇଁ କିଛି ସାଇତି ରଖିବା ଏବଂ ସେବାରେ ଲାଗିବା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ବିକାଶନଗର, ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ