ଜିଲ୍ଲା ସ୍ତରୀୟ ହାସା-ଭାଷା ବିଜୟ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଗୋହିରାପଦୀ ଆଦିବାସୀ ସାହି ଠାରେ ଜିଲ୍ଲା ସ୍ତରୀୟ ହାସା-ଭାଷା ବିଜୟ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଆଦିବାସୀ ସେଙ୍ଗେଲ ଅଭିଯାନର ଜିଲ୍ଲା ସଭାପତି ଭୀମ ମୁର୍ମୁ ସଭାପତିତ୍ୱ କରିଥିଲେ । ଏଥିରେ ଆଦିବାସୀ ସେଙ୍ଗେଲ ଅଭିଯାନର ଜିଲା ସଂପାଦିକା ନମିତା ସୋରେନ୍, ସହସଂପାଦକ ଗୁଲ୍ସନ୍ ମୁର୍ମୁ, ଛାତ୍ର ମୋର୍ଚ୍ଚା ସଭାପତି ବୁଦ୍ଧିଆ ହାଁସଦା, ରମେଶ ବାସ୍କେ, ସୁବୋଧ ବାସ୍କେ, ଦୁର୍ଗା ମାରାଣ୍ଡି, ସିଧୁ ମୁର୍ମୁ, ସିଦ୍ଧାନ୍ତ ବେସ୍ରା ଯୋଗ ଦେଇଥିଲେ । ଡିସେମ୍ବର ୨୨ ଭାରତ ଓ ବିଶ୍ୱର ଆଦିବାସୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଐତିହାସିକ ଦିବସ ବୋଲି ଅତିଥି ମାନେ କହିଥିଲେ । ଡିସେମ୍ବର ୨୨କୁ ରାଷ୍ଟ୍ରୀୟ ଛୁଟି ଓ ଉତ୍ସବ ଦିବସ ରୂପେ ପାଳନ କରିବା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ୨୦୨୧ ଜନଗଣନାରେ ପ୍ରକୃତି ପୂଜକ ଆଦିବାସୀ ମାନଙ୍କୁ ‘ସାନାଧର୍ମର୍ କୋର୍ଡ’ ପ୍ରଦାନ କରିବା, ଅଲଚିକ୍ ଭାଷାକୁ ରାଜ୍ୟର ୨ୟ ରାଜଭାଷା ଭାବେ ମାନ୍ୟତା ଦେବା ସହିତ ହୋ, ମୁଣ୍ଡା, କୁଡୁୁଖ, ଖଡିଆ ଆଦି ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରିବା, ସିଦୋ ମୁର୍ମୁ ଏବଂ ବିର୍ସା ମୁଣ୍ଡା ବଂଶର ସମ୍ମାନ-ସୁରକ୍ଷା ସମୃଦ୍ଧି ପାଇଁ ୨ଟି ଟ୍ରଷ୍ଟ ଗଠନ କରିବା, ପ୍ରତ୍ୟେକ ଟ୍ରଷ୍ଟରେ ସରକାରଙ୍କ ପକ୍ଷରୁ ଶହେ କୋଟି ଟଙ୍କା ଫିକ୍ସ ଡିପୋଜିଟ୍ କରିବା, ବିସ୍ତାପନ-ପଳାୟନ ଏବଂ ମାନବତସ୍କରୀକୁ ବନ୍ଦ କରିବା, ସହୀଦ ସିଦୋ ମୁର୍ମୁ ବଂଶର ରାମେଶ୍ୱର ଏବଂ ରୂପା ତିର୍କୀର ସନ୍ଦେହ ଯୁକ୍ତ ହତ୍ୟାର ସିବିଆଇ ତଦନ୍ତ ଦାବୀ କରିବା ସହିତ ସତୀ ପ୍ରଥା ଭଳି ଡାହାଣୀ ପ୍ରଥାକୁ ଆଦିବାସୀ ସମାଜରେ ସମାପ୍ତ କରିବା ପାଇଁ ପୋଲିସ ପ୍ରଶାସନର ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ ।