ଗରିବଙ୍କ ପାଇଁ ପୁଣି ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗରିବଙ୍କ ପାଇଁ ପୁଣି ସହାୟତାର ହାତ ବଢାଇଲେ ଓଡିଶାର ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସନ କାର୍ଡ ଧାରୀ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କାର କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି । ବୁଧବାର ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସପ୍ତାହ ମଧ୍ୟରେ ରାଜ୍ୟର ସମସ୍ତ ହିତାଧିକାରୀ ମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ସହାୟତା ରାଶି ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ଜୀବନ ମାନଦଣ୍ଡ କିପରି ପରିବର୍ତ୍ତନ ହେବ ସେନେଇ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସରକାର ଏହି ସହାୟତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ଭିସିରେ ଗଞ୍ଜାମ ଜିଲ୍ଲାର ହିତାଧିକାରୀ ମାନେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ଏନଏସିର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରଥମେ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ଜିଲ୍ଲାର ସମସ୍ତ ହିତାଧିକାରୀ ମାନଙ୍କୁ ୭ ଦିନ ମଧ୍ୟରେ ପ୍ରଦାନ କରିବା ନିମନ୍ତେ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମୁଖ୍ୟ ଭାରପ୍ରାପ୍ତ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ମହିଳା ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ୭ ଲକ୍ଷ ୭୩ ହଜାର ୩୬୨ ଜଣ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।


