କାଶୀନଗର ପଞ୍ଚାୟତ ସମିତିର ଶେଷ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଗାମୀ ଫେବୃଆରୀ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ଅବଧି ପାଇଁ କାଶୀନଗର ପଞ୍ଚାୟତ ସମିତର ଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ ଚିତ୍ରି ସିମାଦ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଲକ୍ଷ୍ମୀ ପ୍ରସାଦ ସାହୁ ଓ ସହକାରୀ ଯନ୍ତ୍ରୀ ବିଶ୍ୱନାଥ ମହାରଣା ମଞ୍ଚାସୀନ ହୋଇଥିଲେ । ତେବେ କେତେକ ସରପଞ୍ଚ ଓ ସମିତି ସଭ୍ୟ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଆଲୋଚନା ଅବସରରେ ମତ ପ୍ରକାଶ ପାଇଥିଲା ଯେ, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅଟକି ରହିଥିବା ବିକାଶ ମୂଳକ କାର୍ଯ୍ୟ ଗୁଡିକ ସକାଶେ କାର୍ଯ୍ୟାଦେଶ ମିଳିବାର ଜରୁରି ଆବଶ୍ୟକତା ରହିଛି । ବର୍ତ୍ତମାନର ସରପଞ୍ଚ ଓ ସମିତି ସଭ୍ୟମାନେ ନୂଆ ଦଳ ଦାୟିତ୍ୱ ନେବା ପର୍ଯ୍ୟନ୍ତ କ୍ଷମତାରେ ରହିବା ସପକ୍ଷରେ ବି ମତ ପ୍ରକାଶ ପାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାର୍ତ୍ତଡା ପଞ୍ଚାୟତର କୋଭିଡ୍ ଟୀକାକରଣ ସମ୍ପୂର୍ଣ୍ଣ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । କହିଥିଲେ ଯେ, ଉଲ୍ଲିଖିତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ସରପଞ୍ଚ ଓ ବହୁ ବ୍ୟକ୍ତି କୋଭିଡ୍ ଟୀକା ନେଇ ସାରିଛନ୍ତି କିନ୍ତୁ ଟୀକାକରଣ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଲୋକଙ୍କୁ ବୁଝାଇବା ସକାଶେ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ଆବଶ୍ୟକ ହେଲେ ବିଧାୟକ, ସାଂସଦ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ଭାଗନେବାକୁ ଅନୁରୋଧ କରାଯିବ । ତେବେ ମାଙ୍ରେଟ୍ କମ୍ପଲେକ୍ସ ରୁମ୍ ଆବଣ୍ଟନ କ୍ଷେତ୍ରରେ ରାଣୀପେଣ୍ଠ ସରପଞ୍ଚାଙ୍କ ଦ୍ୱାରା ହୋଇଥିବା ଅନିୟମିତତା ଓ ବିଧିବ୍ୟବସ୍ଥା ଉଲଂଘନକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।