ରାଜସ୍ୱ ନିରୀକ୍ଷକଙ୍କ କଲମଛାଡ ଆନ୍ଦୋଳନ ତୃତୀୟ ଦିନରେ

ହାଟଡିହି, (ବିକାଶ ବିଶ୍ୱାଳ ) : ରାଜସ୍ୱ ନିରୀକ୍ଷକଙ୍କୁ ବାରମ୍ବାର ଆକ୍ରମଣର ପ୍ରତିବାଦ ଓ ନିଜସ୍ୱ ସୁରକ୍ଷା ଦାବିରେ ରାଜସ୍ୱ ନିରୀକ୍ଷକଙ୍କ କଲମଛାଡ ଆନ୍ଦୋଳନ ଆଜି ତୃତିୟ ଦିବାସରେ ପହଞ୍ଚିଛି । ଫଳରେ ହାଟଡିହି ତହସିଲର ସମସ୍ତ ଆର.ଆଇ ସର୍କଲର କାର୍ଯ୍ୟାଳୟ ଗୁଡିକରେ ତାଲା ଝୁଲୁଛି । ଲୋକମାନେ କାର୍ଯ୍ୟାଳୟକୁ ଯାଇ ନିରାଶରେ ଫେରୁଛନ୍ତି । ଏପରିକି ରାଜସ୍ୱ ଆଦାୟ ଠପ ହୋଇଯାଇଥିବାବେଳେ ଅନେକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୧ତାରିଖ ଦିନ ଘସିପୁରା ତହସିଲର ଖଡିବିଲ ମୌଜାରେ ଚାଲିଥିବା ବେଆଇନ ବାଲିଘାଟ ଉପରେ ଚଢ଼ାଉ କରିବାକୁ ଯାଇଥିବା କିଛି ରାଜସ୍ୱ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏନେଇ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସେପରି କୌଣସି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନନେଇ କୋହଳ ଦଫା ଲଗାଇ ଜଣକୁ ଗିରଫ କରିଥିଲା । ତେଣୁ ଗିରଫ ଅଭିଯୁକ୍ତ ଜଣକ ଅଳ୍ପ ସମୟ ମଧ୍ୟରେ ଜାମିନିରେ ପଳାଇ ଆସିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାବେଳେ ତାର ୮ଦିନ ଭିତରେ ଆନନ୍ଦପୁର ତହସିଲର ରାଜସ୍ୱ ନିରୀକ୍ଷକଙ୍କୁ ଅଫିସ ଭିତରେ ପସି ମରଣାନ୍ତକ ଆକ୍ରମଣ କରାଗଲା । ରାଜସ୍ୱ ନିରୀକ୍ଷକ, ଅମିନ ଓ କର୍ମଚାରୀ ମାନେ କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହୋଇଛି । ଏଣୁ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହିତ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜସ୍ୱ ସୁପରଭାଇଜର ପିତାମ୍ବର ଜେନା, ସୁଶାନ୍ତ କୁମାର ସାମଲ, ସନ୍ତୋଷ କୁମାର ନାୟକ, ମାନସ ରଞ୍ଜନ ପରିଡା, କୃଷ୍ଣ ଚନ୍ଦ୍ର ଦାସ, ସୌମ୍ୟା ବଳ, ପଞ୍ଜାପରମିତା ସା, ଜ୍ଞାନେନ୍ଦ୍ର କୁମାର ନାୟକ, ସୁଧାଶୁଂ ଶେଖର ପାତ୍ର, ବିଭୁତି ଭୁଷଣ ମହାପାତ୍ର, ଭକ୍ତିଲତା ଖମାରୀ ପ୍ରମୁଖ ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ମାନେ କଲମଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୨୬ତାରିଖ ମଧ୍ୟରେ ସେମାନଙ୍କ ଦାବିପୁରଣ ନହେଲେ ୨୭ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ