ସ୍ମାର୍ଟ କାର୍ଡ ବଂଟନ କରିବାକୁ ନେଇ ଉତେଜନା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଂଚାୟତରେ ଶନିବାର ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ ପଂଚାୟତରେ ସ୍ମାର୍ଟ କାର୍ଡ ବିତରଣ ପାଇଁ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁମିତ୍ରା ଦାସ ଓ ଜିଆରଏସ ଲଗ୍ନଜିତ ସାହୁଙ୍କ ସମେତ ସ୍କୁଲ ଶିକ୍ଷକ, ଅଙ୍ଗନୱାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ଜିଆରଏସ ଲଗ୍ନଜିତ କାର୍ଡ ବିତରଣ ପାଇଁ ବାଂଶ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ହୋଇଥିବା ବିତରଣ କେନ୍ଦ୍ରକୁ ଯାଇଥିଲେ । ଯାହାକୁ ଉକ୍ତ ପଂଚାୟତର ମହିଳାମାନେ ବିରୋଧ କରିବା ସହ ଫାଟକ ସମ୍ମୁଖରେ ତାଲା ପକାଇ ବସି ରହିଥିଲେ । ସୂଚନାଯୋଗ୍ୟ ଯେ ସଂପୃକ୍ତ ଜିଆରଏସ ଅତୀତରେ ଏହି ପଂଚାୟତ ଦାୟିତ୍ୱରେ ରହିଥିବା ବେଳେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରିଥିଲେ । ଯାହାର ତଦନ୍ତ ଦାବି କରି ଏହି ପଂଚାୟତର ଦଳିତ ଜବକାର୍ଡଧାରୀ ମହିଳାମାନେ ବାରମ୍ବାର ବ୍ଳକ କାର୍ଯ୍ୟାଳୟ ଅଭିଯୋଗ କରିବା ସହିତ ଘେରାଉ କରିଥିଲେ । ଏଥିରେ କୌଣସି ସୁଫଳ ମିଳି ନଥିବାରୁ ଜବକାର୍ଡଧାରୀମାନେ ଗତ ଜୁଲାଇ ମାସରେ ଦୀର୍ଘ ୨୩ ଦିନ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଏହି ଧାରଣାକୁ ବହୁଜନ ଯୁବ ଓ ଛାତ୍ର ସାମୁଖ୍ୟର ରାଜ୍ୟ ସଂଯୋଜକ ସମର୍ଥନ ଜଣାଇ ଧାରଣାକାରୀଙ୍କ ସହ ବସି ରହିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିୟମିତତା ହୋଇଥିବା କାର୍ଯ୍ୟର ତଦନ୍ତ କରାଯିବ ଓ ଜିଆରଏସକୁ ଅନ୍ୟତ୍ର ବଦଳି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏପରିକି ଦୁର୍ନିତିଗ୍ରସ୍ତ ଜିଆରଏସ ପୁନର୍ବାର ଉକ୍ତ ପଂଚାୟତରେ କାର୍ଯ୍ୟ କରୁଥିବାରୁ ସ୍ୱାସ୍ଥ୍ୟ କାର୍ଡ ନେବା ପାଇଁ ଆସିଥିବା ମହିଳା ପ୍ରିୟଙ୍କା ଭୋଇ, ସୁନାମଣି ଭୋଇ, ଅଂଜନା ଭୋଇ, ସନ୍ତୋଷୀ ଭୋଇ ପ୍ରମୁଖ ବିତରଣ କେନ୍ଦ୍ର ଫାଟକରେ ତାଲା ପକାଇ ବସି ରହିଥିଲେ । ଘଟଣାସ୍ଥଳରେ ଉତେଜନା ଦେଖା ଦେବାରୁ ନାଉଗାଁ ପୋଲିସ ଏସଆଇ ବିଭୁତି କୁମାର ବିଶ୍ୱାଳ ପହଂଚି ସଂପୃକ୍ତ ଜିଆରଏସକୁ ସେଠାରୁ ଆଣିବା ପରେ ଉତେଜନା ଶାନ୍ତ ପଡିଥିଲା । ଏବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଉକ୍ତ ଜିଆରଏସକୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ପାଇଁ ଅସ୍ଥାୟୀ ଭାବେ ସେଠାକୁ ୩ ଦିନ ପଠାଯାଇଥିଲା । ସେଠାରେ ବିରୋଧ ହେବାରୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ପାଇଁ ଡେରିକି ପଂଚାୟତକୁ ପଠାଯାଇଛି ବୋଲି କହିଥିଲେ ।


