କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍‌ଭାବନା ରାଲିକୁ ଆଜି ପୂର୍ବାହ୍ନରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓଡ଼ିଶା ପ୍ରଭାରୀ ଡଃ ଏ. ଚେଲାକୁମାରଜୀ ଆନୁଷ୍ଠାନିକ ଭାବବେ ଉଦ୍‌ଘାଟନ କରିବା ସହ ସେବାଦଳ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, କଂଗ୍ରେସ ସେବାଦଳର ଏକ ଗରିମାମୟ ଇତିହାସ ରହିଛି । ପଣ୍ଡିତ ଜବାହାରଲାଲ ନେହେରୁ ସେବାଦଳ ସଂଗଠନର ପ୍ରଥମ ସଭାପତି ଥିଲେ । ଭାରତବର୍ଷର ଯୁବକମାନଙ୍କୁ ରାଷ୍ଟ୍ରୀୟ ଏକତା ମନ୍ତ୍ରରେ ଦୀକ୍ଷିତ କରାଇ ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପଣ କରିବା ପାଇଁ ଏହି ସଂଗଠନ ଗଠନ କରାଯାଇଥିଲା । ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ୍ଟରେ କଂଗ୍ରେସ ସେବାଦଳର ଏକ ମୁଖ୍ୟ ଭୂମିକା ରହିଛି । ଗାନ୍ଧୀ ଓ ନେହେରୁଜୀଙ୍କ ଆଦର୍ଶକୁ ସାଧାରଣ ଜନତା ବିଶେଷଭାବରେ ଯୁବକମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ସେବା ଦଳର ଆହ୍ୱାନ ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, କଂସ ବନ୍ଦୀଶାଳାରେ କୃଷ୍ଣଙ୍କ ଜନ୍ମ ଭଳି ବ୍ରିଟିଶ ସରକାରଙ୍କ ନାଗପୁର ବନ୍ଦୀଶାଳାରେ ସେବାଦଳର ଜନ୍ମ । ଏଣୁ ଭାରତରତ୍ନ ଇନ୍ଦିରା ଗାନ୍ଧୀ ସବୁବେଳେ କହୁଥିଲେ କଂଗ୍ରେସ ସେବାଦଳ, କଂଗ୍ରେସ ସଂଗଠନର ମେରୁଦଣ୍ଡ । ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଉଦ୍‌ବୋଧନ ଦେଇ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଶ୍ରୀ ଜି, ରୁଦ୍ରରାଜୁ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦରେ ସେବାଦଳ ସଂଗଠନ ପ୍ରତଷ୍ଠା ହୋଇଥିଲା, ରାଷ୍ଟ୍ରୀୟ ଏକତା, ରାଷ୍ଟ୍ରୀୟ ସଦ୍‌ଭାବନା ସହ ଯୁବକ ଓ ଛାତ୍ରମାନଙ୍କୁ ସେବା ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ନିଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ ସମ୍ପାଦକ ଶ୍ରୀ ଶରତ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମାଜରେ ଛାତ୍ର ଯବୁକମାନେ ହେଲେ ନୂତନତାର ବାର୍ତ୍ତାବହ । ସେମାନେ ଯେତେ ଶୃଙ୍ଖଳିତ ଓ ନିତିନିଷ୍ଠ ହେବେ, ସମାଜ ସେତେ ଆଗେଇବ ବୋଲି କହିଥିଲେ । ଏହି ବର୍ଣ୍ଣାଢ୍ୟ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ସେବାଦଳର କେନ୍ଦ୍ରୀୟ ପଦାଧିକାରୀ ଚୈନସିଂ ସାୱଲେ, ଅଜିତ କୁମାର ଓ ନାରାୟଣ କୁମାର ସେବାଦଳର କର୍ମୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳକୁ ଜିତାଇବାକୁ ଆହ୍ୱାନ ଦେଇଥିଲେ । ଆଜିର ରାଲି କଂଗ୍ରେସ ଭବନରୁ ବାହାରି, ୟୁନିଟ୍‌-୩ ଗୁରୁଦ୍ୱାର, ରାମମନ୍ଦିର, ସ୍କାଉଟ ଗାଇଡ଼ କାର୍ଯ୍ୟାଳୟ ଦେଇ ବୁଦ୍ଧମନ୍ଦିର, ରାଜଧାନୀ ମସ୍‌ଜିଦ୍ ଓ ୟୁନିୟନ ଚର୍ଚ୍ଚ ଦେଇ କଂଗ୍ରେସ ଭବନଠାରେ ପହଂଚି ଥିଲା । ଆଜିର ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ସେବାଦଳ ବ୍ୟାଣ୍ଡ, ଲଉଡ଼ି ଖେଳ, ମହିଳା ପାଇକ ଦଳ ଓ ପୁରୁଷ ପାଇକଦଳ ଏବଂ ଡ଼ଙ୍ଗରିଆ କନ୍ଧ ନୃତ୍ୟ ଓ ଶକ୍ତି ପ୍ରଦର୍ଶନ କରିଥିଲେ । ସେବାଦଳ କର୍ମୀମାନେ କାନ୍ଧରେ ବାଉଁଶ ଲାଠି ଧରିଥିଲେ । ସାରା ଓଡ଼ିଶାରୁ ୩ ହଜାରରୁ ଉର୍ଦ୍ଧ୍ୱ ସେବାଦଳ କର୍ମୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା, ମନୋରଞ୍ଜନ ଦାସ, ଅନନ୍ତ ପ୍ରସାଦ ସେଠୀ, ଚିନ୍ମୟ ପ୍ରସାଦ ବେହୁରା, ପୃଥ୍ୱୀବଲ୍ଲବ ପଟ୍ଟନାୟକ, ଶିବାନନ୍ଦ ରାୟ, ଚିନ୍ମୟ ଦାସ, ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ, ସସ୍ମିତା ବେହେରା, ଶ୍ରୀମତୀ ମଞ୍ଜୁ ମହାନ୍ତି, ବିଶ୍ୱଜିତ ଦାସ, ରଜନୀ ମହାନ୍ତି, ସକୁନା କହଁର, ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହମ୍ମଦ ଶହଦୁଲ୍ଲା, ସୁଶାନ୍ତ ମହାରଣା, କୁଳମଣି ସାହୁ, ରମେଶ ବରାଳ, ଅଶୋକ ସିଂହ, ମୁରଲୀ ମନୋହର ଯାଦବ, ବରୁଣ ରାଜ, ସୁଶାନ୍ତ କୁମାର ପଣ୍ଡା, ଶିଶିର ମହାପାତ୍ର, ସନ୍ତୋଷ ଲେଙ୍କା, ଜ୍ୟୋତିଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ