ଉତ୍କଳ ଦୃଷ୍ଟିହୀନ ସଂଘର ୪୭ତମ ବାର୍ଷିକ ଉତ୍ସବ : ମହାତ୍ମା ଲୁଇ ବ୍ରେଲ୍ଙ୍କ ୨୧୩ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଉତ୍କଳ ଦୃଷ୍ଟିହୀନ ସଂଘର ୪୭ତମ ବାର୍ଷିକ ଉତ୍ସବ ଓ ମହାତ୍ମା ଲୁଇ ବ୍ରେଲ୍ଙ୍କର ୨୧୩ତମ ଜନ୍ମବାର୍ଷିକୀ ସଂଘର ସଭାପତି ଶ୍ରୀଯୁକ୍ତ ସନ୍ନ୍ୟାସୀ କୁମାର ବେହେରାଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ଫିଡ଼େରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍, ନୂଆଦିଲ୍ଲୀର ଶ୍ରୀମତୀ ସୁପର୍ଣ୍ଣ ନନ୍ଦ ମୁଖ୍ୟ ଅତିଥି, ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟବକ୍ତା, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ତଥା ଓ.ଏଲ୍.ଏସ୍.ର ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ସରସ୍ୱତୀ ସଙ୍ଗୀତ କଳା ପରିଷଦ, କଟକର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ଶତପଥୀ ଏବଂ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଦୃଷ୍ଟିହୀନମାନଙ୍କର ସର୍ବବିଧ ଉନ୍ନତି ପାଇଁ ସମାଜକୁ ଆହ୍ୱାନ ଦେଇଥିଲେ । ‘ଦୃଷ୍ଟିହୀନତା ଏକ ଅଭିଶାପ ନୁହେଁ, ଏହା ସେବା ପାଇଁ ଈଶ୍ୱରଙ୍କର ମହତ୍ ଦାନ ବୋଲି ସେମାନେ ଉଲ୍ଲେଖ କରିଥିଲେ । ସଂଘର ସାଧାରଣ ସମ୍ପାଦକ ତଥା ଏନ୍.ସି କଲେଜ ଯାଜପୁରର ଅବସରପ୍ରାପ୍ତ ପ୍ରଧ୍ୟାପକ ଶ୍ରୀଯୁକ୍ତ ଶରତ କୁମାର ଦାଶ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଦୃଷ୍ଟିହୀନ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ବିତରଣ କରିବା ସହ ସେମାନଙ୍କର ସ୍ୱାବଲମ୍ବନ ପାଇଁ ୩୨ ସଂଖ୍ୟକ ଓଜନ ମାପ ଯନ୍ତ୍ର ବଣ୍ଟନ କରାଯାଇଥିଲା । ପ୍ରଧ୍ୟାପକ ଭୀମସେନ ମହାରଣାଙ୍କ ନେତୃତ୍ୱରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସଂଘର ଉପସଭାପତି ମହମ୍ମଦ ଜାଫର ଇକବାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଘର କୋଷାଧ୍ୟକ୍ଷ ସେକ୍ ସମଦ କଳାପାହାଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।


