ଛତ୍ରପୁରରେ ଡକାୟତି ଉଦ୍ୟମ ପଣ୍ଡ : ପୋଲିସ୍ ର ତଦନ୍ତ ଜାରି
ଛତ୍ରପୁର, (ଦେବଦତ୍ତ ମହାରଣା) :ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ମେଇନ ରୋଡ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରେ ଥିବା ଶ୍ରୀ କ୍ରିଷ୍ଣା ମହଲରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ମହଲରେ ଗତକାଲି ବିଳମ୍ବିତ ରାତ୍ରରେ ୫ ଜଣ ଦୁର୍ବୁତ୍ତ ବିଭିନ୍ନ ସାମଗ୍ରୀ ଡକାୟତି କରିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ହଠାତ୍ କୌଣସି ସୂଚନା ପାଇ ମାଲିକ ଓ ସେମାନଙ୍କ ସମ୍ପର୍କୀୟ ମାନେ ମହଲ ଗେଟ ଖୋଲିବା ମାତ୍ରକେ ଡକାୟତି ମାନେ ଚମ୍ପଟ ମାରିଥିଲେ । ସେମାନଙ୍କୁ ଧରିବା ନିମନ୍ତେ ମାଲିକ ଓ ସେମାନଙ୍କ ସମ୍ପର୍କୀୟ ମାନେ ଚେଷ୍ଟା କରିବାରୁ ସେମାନଙ୍କ ଉପରକୁ ପଟାସ ଫିଙ୍ଗିବା ସହ ଉପର ମହଲାର ସିଡି ଘର କବାଟ ଦେଇ ଚମ୍ପଟ ମାରିଥିଲେ । ମହଲର କୌଣସି ସାମଗ୍ରୀ ଓ ଟଙ୍କା ନେବାରେ ଚେଷ୍ଟା କରିଥିଲେ ସୁ୍ଦ୍ଧା ଦୁର୍ବୁତ୍ତ ମାନେ ଡକାୟତି କରିବାରେ ସଫଳ ହୋଇପାରିନଥିଲେ । ଏହାର ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ପୋଲିସ୍ ଷ୍ଟାଫ୍ ଘଟଣା ସ୍ଥଳରେ ପହଂଚି ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଯାଂଚ କରିବା ସହିତ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଡକାୟତି ମାନେ ତିନି ମହଲାର ସିଡି କବାଟ ଭାଙ୍ଗି ମହଲ ଭିତରକୁ ପ୍ରବେଶ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ପରେ ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ପୋଲିସ୍ ଡକାୟତି ଘଟଣାର ସୁରାକ୍ ଖୋଜିବା ପାଇଁ ଚେଷ୍ଟା କରିଥିଲା । ଛତ୍ରପୁର ମେଇନ ରୋଡରେ ଏଭଳି ଡକାୟତି ଉଦ୍ୟମ ଘଟଣା ଘଟିଥିବାରୁ ରାତ୍ର ସମୟରେ ପୋଲିସ୍ କଡା ପେଟ୍ରୋଲିଂ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।


