ରୋଗୀକୁ ନଦେଖି ଡାକ୍ତର ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଟୋରେ ହିଁ ଜଣେ ପ୍ରସୂତି ସନ୍ତାନ ପ୍ରସବ କରିଛନ୍ତି । ପ୍ରସୂତି ଅଟୋରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତର କିମ୍ବା ନର୍ସ ଆସିଲେ ନାହିଁ । ଏପରକି ରୋଗୀ ନଦେଖି ଡାକ୍ତର ତାଙ୍କୁ ଫୁଲବାଣୀ ସ୍ଥାନାନ୍ତର କରିଦେଲେ ବୋଲି ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ୭ଟାରେ ନିଲୁଙ୍ଗିଆ ଗ୍ରାମର ନଙ୍ଗା ପ୍ରଧାନଙ୍କ ଝିଅ ମଇନା ପ୍ରଧାନ ପ୍ରସବ ନିମନ୍ତେ ଆଶାଦିଦିଙ୍କ ସହାୟତାରେ ପହଞ୍ଚିଥିଲେ । ତେବେ କାର୍ଯ୍ୟରତ ଡାକ୍ତର ବାହାରୁ ହିଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଦେଇ ଏବଂ ରାଇକିଆରୁ ଆମ୍ବୁଲାନ୍ସ ଡାକୁଛି ବୋଲି କହିଥିଲେ । ଦୀର୍ଘ ୧ ଘଣ୍ଟା ବାହାରେ ଅଟୋରେ ବସି ଛଟପଟ ହେଉଥିବା ବେଳେ ରାଇକିଆରୁ ଆମ୍ବୁଲାନ୍ସ ଆସିବା ବେଳକୁ ମହିଳାଙ୍କ ପ୍ରସବ ହୋଇ ସାରିଥିଲା । ଏ ନେଇ ଡାକ୍ତର ଅଶୋକ କୁମାର ପ୍ରଧାନଙ୍କୁ ପଚାରିବାରୁ ଏମିତି କ’ଣ ପ୍ରସବ ହେଉନାହିଁ କି ବୋଲି କହିଥିଲେ । ତାଙ୍କ କାଗଜପତ୍ର ଠିକ୍ ନ ଥିବା ଯୋଗୁଁ ପ୍ରସୂତିଙ୍କୁ ସ୍ଥାନାନ୍ତର କରାଯାଉଥିଲା ବୋଲି ପ୍ରକାଶ କରିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲ ରୁ ଦାବୀ ହେଉଛି ।


