କ୍ଷୁଦ୍ର ଉଦ୍ୟୋଗୀ ପ୍ରଶିକ୍ଷଣ ଶିବିର ଉଦଯାପିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ‘ରାଇଡ’ ପକ୍ଷରୁ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ନାବାର୍ଡ ଓ ରାଇଡ ସ୍ୱେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନିଳକଣ୍ଠପୁର ଗ୍ରାମରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୩୦ଜଣ ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନଙ୍କୁ କୁକୁଡା, ଛେଳି ପାଳନ ଓ ମାଛ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଡେରାବିଶ ବ୍ଲକ ପଶୁସମ୍ପଦ ଅଧିକାରୀ ଜେ. ଏସ. ମହାନ୍ତି ଓ ସହକାରୀ ମତ୍ସ୍ୟ ଅଧିକାରୀ ଯଯାତି କେଶରୀ ବେହେରା ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଗ୍ରହଣ ପରେ ପ୍ରଶିକ୍ଷାର୍ଥୀମାନେ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ରାଇଡର ସମ୍ପାଦକ କିଶୋର କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହିତ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇଡର ପ୍ରକଳ୍ପ ପରିଚାଳକ ମଧୁସୁଦନ ସାହୁ, ଅଗ୍ରଣୀ ଚାଷୀ ମୁକେଶ କୁମାର ଧଳଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରାଇଡ ଅନୁଷ୍ଠାନ ପକ୍ଷରୁ ଚାଷୀମାନଙ୍କୁ କୁକୁଡା ଛୁଆ, ଛେଳି ଛୁଆ, ମାଛ ଜାଆଁଳ ପ୍ରଭୃତି ଯୋଗାଇ ଦିଆଯାଇଥିଲା ।


