ମନ ଦୁଃଖରେ ବାଧ୍ୟ ହୋଇ ଫେରିଲେ ନେତା : ସରକାରୀ ଅଧିକାରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଠାରୁ ଅନତି ଦୂରରେ ଶ୍ୟାମଗୁଡିଆ ଠାରେ ଏକଶହ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ନୂତନ ଡାକ୍ତରଖାନା(ମାତୃ ଓ ଶିଶୁ ୟୁନିଟ୍‌)ଗୃହକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । କିନ୍ତୁ ଏହାକୁ ପୁନର୍ବାର ବିଦ୍ଧିବଦ୍ଧ ଭାବେ ଆଉଥରେ ଉଦ୍‌ଘାଟନ କରିବା ପାଇଁ ରାଜନେତା ଓ ସରକାରୀ ପ୍ରଶାସନିକ ଅଧିକାରୀମାନେ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଥିଲେ । ସେଥିପାଇଁ ଆଜି ପୂର୍ବାହ୍ନ ୧୧ଟା ପୂର୍ବରୁ ସେଠାରେ ଉପସ୍ଥିତ ହୋଇ ଯାଇଥିଲେ । ହେଲେ ତୃତୀୟ ମହଲାରୁ ଫୋନରେ ନିର୍ଦେଶ ଆସିଲା ତୁରନ୍ତ ଫେରିଯାଅ ନଚେତ କାର୍ଯ୍ୟାନୁଷ୍ଠାନ ହେବ । ଏହି ଫୋନ ନିର୍ଦେଶ ପାଇବା ପରେ ନେତା ଏବଂ ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇ ମନଦୁଃଖରେ ସେଠାରୁ ଫେରିଆସିବାକୁ ବାଧ୍ୟ ହୋଇଥିଲେ । କାରଣ ପ୍ରାକ ପ୍ରସ୍ତୁତି କରି ଏହାକୁ ଉଦ୍‌ଘାଟନ କରିବା ପାଇଁ ନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ସେଠାରେ ପହଞ୍ଚିଥିଲେ । ପୂର୍ବାହ୍ଣ ୧୧ଟା ୩୦ରେ ଉଦ୍‌ଘାଟନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ଏଥିନିମନ୍ତେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଉପସ୍ଥିତଥିଲେ । ଆଉ ମାତ୍ର ୧୦ ମିନିଟ୍ ପରେ ଉଦ୍‌ଘାଟନ ପର୍ବ ଆରମ୍ଭ ହୋଇଥାନ୍ତା । କିନ୍ତୁ ତୃତୀୟ ମହଲାରୁ ନିର୍ଦେଶ ଆସିଲା ଉଦ୍‌ଘାଟନ କାର୍ଯ୍ୟ ବନ୍ଦ କର । କାରଣ ପୂର୍ବରୁ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ତାହାକୁ ପୁନର୍ବାର ଉଦ୍‌ଘାଟନ କରିବା ଅର୍ଥ ମୁଖ୍ୟମନ୍ତ୍ରୀଙ୍କୁ ଅବମାନନା । ତେଣୁ ତୁରନ୍ତ ଘଟଣା ସ୍ଥଳରୁ ଫେରିଯାଅ । ଏହି ବାର୍ତ୍ତା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିକଟକୁ ଆସିବା ପରେ ସେ ଉପସ୍ଥିତ ରାଜନେତା, ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେଇଥିଲେ । ଫଳରେ ମନଦୁଃଖରେ ସମସ୍ତେ ଘଟଣା ସ୍ଥଳରୁ ଫେରି ଯାଇଥିଲେ । ଏହି ଘଟଣାକୁ ନେଇ ଜିଲ୍ଲାରେ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ଡାକ୍ତରଖାନାକୁ ଉଦ୍‌ଘାଟନ କରିଥିଲେ । ଏଥିସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଥିଲେ । କିନ୍ତୁ ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକୁ ପୁନର୍ବାର ଉଦ୍‌ଘାଟନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ବିଶେଷ ସୁତ୍ରରୁ ସୂଚନା ମିଳି ଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ଆସିଲା ତୁରନ୍ତ ଉଦ୍‌ଘାଟନ କାର୍ଯ୍ୟ ବନ୍ଦ କର । ଏହି ନିର୍ଦେଶ ପାଇବା ପରେ ଉଦ୍‌ଘାଟନସ୍ଥଳରେ ଥିବା ରାଜନେତା ଓ ସରକାରୀ ଅଧିକାରୀମାନେ ଫେରି ଯାଇଥିଲେ । ଯେଉଁମାନେ ଉଦ୍‌ଘାଟନୀ ସ୍ଥଳକୁ ଯିବାର ଥିଲା ସେମାନଙ୍କୁ ଫୋନ ଯୋଗେ ସେଠାକୁ ନ ଆସିବା ପାଇଁ କୁହାଯାଇଥିଲା । ଏହି ଘଟଣା ଜିଲ୍ଲାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ