ଷ୍ଟାଡିୟମ୍ରେ ଅଜଣା ହ୍ୟାଲିକ୍ୟାପ୍ଟର ଅବତରଣ ଅପଚେଷ୍ଟାକୁ ନେଇ ଆତଙ୍କ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ ଠାରେ ଏକ ଅଜଣା ହ୍ୟାଲିକ୍ୟାପ୍ଟର ଅଚାନକ ଲ୍ୟାଣ୍ଡିଂ ଉଦ୍ୟମକୁ ନେଇ ଜନସାଧାରଣଙ୍କ ଠାରେ ଆତଙ୍କ ପ୍ରକାଶ ପାଇଛି । ଏହି ଘଟଣା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଗତକାଲି ଅପରାହ୍ନ ପ୍ରାୟ ୪ଘଣ୍ଟା ୩୦ମିନିଟ ସମୟରେ ଏକ ଅଜଣା ହ୍ୟାଲିକ୍ୟାପ୍ଟର ହଠାତ୍ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଉପରେ ଘୁରି ବୁଲିବା ସହ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା । ହେଲେ ଷ୍ଟାଡିୟମରେ ଖେଳ କୁଦ ଓ ବ୍ୟାୟାମରେ ଭିଡ ରହିଥିବା ଦେଖି ହ୍ୟାଲିକେପ୍ଟରଟି ଫେରି ଯାଇଥିଲା । ପୁଣି କିଛି ସମୟ ପରେ ହ୍ୟାଲିକେପ୍ଟରଟି ଫେରି ଆସି ଷ୍ଟାଡିୟମ ଠାରୁ ମାତ୍ର ୫ଫୁଟ ଉଚ୍ଚରେ ଚକରମାରି ଅବତରଣ ପାଇଁ ପୁଣି ଉଦ୍ୟମ କରିଥିଲା । ତଥାପି କିଛି ପିଲା ପଡିଆ ଭିତରେ ରହିଥିବା ଦେଖି ପୁଣି ହ୍ୟାଲିକେପ୍ଟରଟି ଫେରିଯାଇଥିଲା । ଏହି ହ୍ୟାଲିକେପ୍ଟରଟି ଭାରତୀୟ ବାୟୁ ସେନାର ଏମ୍ଆଇ-୧୭ ବୋଲି ଜଣାପଡୁଛି । ତେବେ ଏହା ଲ୍ୟାଣ୍ଡିଂ ନ କରିପାରି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲିଯାଇଥିବାର ଜଣାପଡିଛି । ହେଲେ ଏହି ଖବର ପୋଲିସ କିମ୍ବା ପ୍ରଶାସନ ନିକଟରେ ନ ଥିବାର ଜଣାପଡିଛି । ଘଟଣାକୁ ନେଇ ପୋଲିସ ପ୍ରଶାସନ ତଦନ୍ତ ଚଳାଇଥିବାର ମଧ୍ୟ ସୁଚନା ମିଳିଛି ।


