ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ,କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ,ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥି ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏବଂ ଜବାହର ନବଦୋୟ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା କୃତି ଶିଶୁ ପ୍ରତିଭାମାନେ ପାଠପଢା ସହ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ସୁରଭି ଦ୍ୱାରା ପ୍ରସ୍ଫୁଟିତ କରିପାରିବେ ଓ ପିଲାମାନେ ଭଲ ମଣିଷ ହେବାର ଲକ୍ଷ୍ୟ ଏବଂ ପ୍ରଚେଷ୍ଠା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଇଛା ସେମାନଙ୍କୁ ସାହସୀ କରିବ ଓ ଆଗକୁ ବଢିବାକୁ ଉତ୍ସାହିତ କରିବ ବୋଲି ଆହ୍ୱାନ ଦେବା ସହ ବହୁ ପ୍ରତିଭା କୁନିକୁନି ପିଲାଙ୍କ ଭିତରେ ଲୁଚିରହିଛି ବୋଲି ପ୍ରକାଶ କରିଥିଲେ । ଏତଦଭିନ୍ନ ଆଗାମୀ ଦିନରେ ଜଳକ୍ଳିଷ୍ଟକୁ ଆଖି ଆଗରେ ରଖି ପିଇବା ପାଣିର ଅପବ୍ୟବହାର ନକରିବାକୁ ଏବଂ ଟିଭି ଓ ମୋବାଇଲ ଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉନ୍ନତିମୟ ହେଉ ବୋଲି ଶୁଭକାମନା କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ନଭେମ୍ବର ୧୪ତାରିଖ ଶିଶୁଦିବସରେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । “ସୁରଭି”ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବକ୍ତୃତା,ଚିତ୍ରାଙ୍କନ,ସଂଗୀତ,ନୃତ୍ୟ ପ୍ରଭୃତି ପ୍ରତିଭା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ୧୮୮୩ ବିଦ୍ୟାଳୟ ମଧ୍ୟରୁ ୪୨୫ଟି ବିଦ୍ୟାଳୟକୁ ଗାରିମା ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସି.ଆର.ସି.ସି. ବଳଦେବ ପ୍ରସାଦ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସି.ଆର.ସି.ସି. ଅନନ୍ତ କୁମାର ପରିଡା ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅତ୍ୟନ୍ତ ବିଶୃଙ୍ଖଳା ମଧ୍ୟରେ ସୁରଭି କାର୍ଯ୍ୟକ୍ରମ ଶେଷ ହୋଇଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ