ବିଡିଓଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ଦେଲା ସରପଞ୍ଚ ସଂଘ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ାରୁ ବଦଳି ହୋଇଥିବା ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ଗରାପୁର ସ୍ଥିତ ଦି ପ୍ୟାଲେସ ପରିସରରେ କେନ୍ଦ୍ରାପଡ଼ା ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ତଥା କଂସାର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବିଡିଓ ଶ୍ରୀ ଦାସଙ୍କୁ ପୁଷ୍ପଗୁଛ, ଅଙ୍ଗବସ୍ତ୍ର ଓ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଏକ ଫଟୋଚିତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଯୋଗଦେଇଥିବା ସରପଞ୍ଚମାନେ ବିଡିଓଙ୍କ ସମ୍ପର୍କରେ କହିବା ବେଳେ ସେମାନଙ୍କ ଆଖିରୁ ଲୁହ ଗଡି ପଡିଥିଲା । ସରପଞ୍ଚ ଶ୍ରୀ ଜେନା କହିଲେ ବିଡିଓ ଶ୍ରୀ ଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ସରପଞ୍ଚମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖି ବିକାଶମୂଳକ କାର୍ଯ୍ୟ କରୁଥିଲେ । ବାତ୍ୟା ‘ୟସ’ ସମୟରେ ସେ ରାତି ଅନିଦ୍ରା ହୋଇ ଲୋକମାନଙ୍କ ସେବା କରିଥିଲେ । ତାଙ୍କ ଠାରୁ ଆମେ ଜନ ସେବାର ଆଦର୍ଶ ଶିଖିଛୁ । ସମାଜର ନିଷ୍ପେଷିତ ଜନତାଙ୍କ ସେବା କରିବାରେ ତାଙ୍କ ଦୃଷ୍ଟିଭଙ୍ଗୀ ଥିଲା ଅନନ୍ୟ । କେନ୍ଦ୍ରାପଡ଼ା ବ୍ଲକ ପରିସରରେ ଯେଉଁ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ନିର୍ମାଣ ହେଲା ତାହା ସମଗ୍ର ରାଜ୍ୟରେ ବିରଳ । ତାଙ୍କ ସମୟରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ଅଙ୍ଗନୱାଡି ସୌନ୍ଦର୍ଯ୍ୟକରଣ ପ୍ରଭୃତି କାର୍ଯ୍ୟ ଆରମ୍ଭ ହୋଇଥିଲା । ସେ ବିକାଶମୂଳକ କାର୍ଯ୍ୟର ଯେଉଁ ଛାପା ଛାଡି ଯାଇଛନ୍ତି ତାହା କେନ୍ଦ୍ରାପଡ଼ା ବ୍ଲକ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । କେନ୍ଦ୍ରାପଡା ବ୍ଲକକୁ ସାରା ଜିଲ୍ଲାରେ ଏକ ନମ୍ବର ବ୍ଲକ ଭାବେ ଗଢି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ବଦଳି ଦ୍ୱାରା କେନ୍ଦ୍ରାପଡା ବ୍ଲକରେ ପ୍ରଗତିର ଗତିରୋଧ ହେଲା ବୋଲି ସରପଞ୍ଚମାନେ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କେଶପୁର ସରପଞ୍ଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ ଯୋଗଦେଇ କହିଲେ ବିଡିଓ ଶ୍ରୀ ଦାସଙ୍କ ଅମଳରେ ଆମ ପଞ୍ଚାୟତରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । କେବଳ ଆମ ପଞ୍ଚାୟତ ନୁହେଁ କେନ୍ଦ୍ରାପଡ଼ା ବ୍ଲକରେ ଥିବା ୨୭ଟି ଯାକ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭରତପୁର ସରପଞ୍ଚଜୀନତ ପ୍ରିୟଦର୍ଶିନୀ ରାଉତ, କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ଚକ୍ରୋଡ଼ା ସରପଞ୍ଚ ବସନ୍ତ କୁମାର ରାଉତ, ଆୟବା ସରପଞ୍ଚ ଗଗନ ବିହାରୀ ସାହୁ, କୋର ସରପଞ୍ଚ ତଅପୋଇ ମଲିକ, ପୁରୁଷୋତ୍ତମପୁର ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ, କୁତରଙ୍ଗ ସରପଞ୍ଚ ସୀତାସୁନ୍ଦରୀ ମଲିକ, ନିକିରାଇ ସରପଞ୍ଚ ସନତ କୁମାର ଜେନା, ଗୁଲନଗର ସରପଞ୍ଚ ପୀତବାସ ବେହେରା, କଳପଡ଼ା ସରପଞ୍ଚ ନିତ୍ୟାନନ୍ଦ ସେଠୀ, ପଳସିଂହା ସରପଞ୍ଚ କାଦମ୍ବିନୀ ମହାପାତ୍ର, ସାନମାଣିତିଆ ସରପଞ୍ଚ କମଳା ଗିରି, ଗାଙ୍ଗପଡ଼ା ସରପଞ୍ଚ ଲକ୍ଷ୍ମୀପ୍ରିୟା ରାଉତ, ଜମଧର ସରପଞ୍ଚ ସିଷମା ଦାସ, ଓସ୍ତପୁର ସମିତି ସଭ୍ୟ ପ୍ରସନ୍ନ ରାଉତ, କଳପଡ଼ା ସମିତି ସଭ୍ୟା ମାନିନୀ ମଳିକ, ଘାଘରା ସରପଞ୍ଚରବି ମଳିକ, ଢୋଲ ସରପଞ୍ଚଝୁନା ମଳିକ ପ୍ରମୁଖ ବହୁ ସରପଞ୍ଚଙ୍କ ସମେତ ଯୁବନେତା ନରୋତ୍ତମ ମଲିକ, ଅଜିତ କୁମାର ମହାପାତ୍ର, ଦିଲୀପ ରାଉତ, କଳାକାର ମଳିକ ପ୍ରମୁଖ ଯୋଗଦେଇ ବିଡିଓ ଶ୍ରୀ ଦାସଙ୍କୁ ଅଶ୍ରୁଳ ନୟନରେ ବିଦାୟ ଜଣାଇଥିଲେ ।


