ଓଡ଼ିଶା ସାମ୍ବାଦିକ ୟୁନିଅନ୍ର ନୂତନ କର୍ମକର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟର ସର୍ବବୃହତ୍ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍ର ୨୦୨୧-୨୩ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସାନି ଓୟୁଜେର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅଶୋକ କୁମାର ନନ୍ଦ ପୁଣି ଥରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜେଶ ପଟ୍ଟନାୟକ ଏବଂ କିଶାନ୍ କୁମାର ରାଉତ ଉପସଭାପତି, ସମରଜିତ୍ ମହାନ୍ତି ଓ ପ୍ରସନ୍ନ କୁମାର ପାଇକରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲାବେଳେ ଅମୂଲ୍ୟ ରନ ସ୍ୱାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସଙ୍ଗଠନର ସମ୍ପାଦକ ଭାବେ ଆଗାମୀ ଦୁଇବର୍ଷ ପାଇଁ ଅଶୋକ କୁମାର ଦାସ (ସୁନ୍ଦରଗଡ଼), ବିଜୟ କୁମାର ସାହୁ (ବରଗଡ଼), ବାରିଜ ପଟ୍ଟନାୟକ (ନବରଙ୍ଗପୁର), ଦୀପକ ଶତପଥୀ (କେନ୍ଦୁଝର) ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିିଟିକୁ ବିଭିନ୍ନ ଜିଲ୍ଲାରୁ ୩୦ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ମନୋନୟନ ପରେ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ ଓ ପ୍ରମୋଦ କୁମାର ସାମନ୍ତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ମନୋନୟନ ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ଶ୍ରୀ ସାମନ୍ତରାୟ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି । ସାମ୍ବାଦିକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ଗତିଶୀଳ କରାଯିବା ସହ ସାମ୍ବାଦିକ ବୀମା ରାଶିକୁ ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଓ ସାମ୍ବାଦିକମାନଙ୍କ ଲାଗି ୨୦ହଜାର ଟଙ୍କାର ପେନ୍ସନ୍ ଯୋଜନା ଲାଗୁ କରିବା ଲାଗି ୟୁନିଅନ୍ ପକ୍ଷରୁ ପ୍ରୟାସକୁ ଜୋର୍ଦାର୍ କରାଯିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।


