ମୌଳିକ ସୁବିଧାରୁ ବଂଚିତ : ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ସିନ୍ଧିପୁର ଗ୍ରାମ ପଂଚାୟତର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଗ୍ରାମବାସିନ୍ଦା ମାନେ ପିଇବା ପାଣି ଓ ବିଦ୍ୟୁତ ସଂଯୋଗରୁ ବଂଚିତ ହୋଇଥିବା ନେଇ ସୋମବାର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସିନ୍ଧିପୁର ଗ୍ରାମ ପଂଚାୟତର ରଘୁନାଥପୁର, କମଳାଖାଇ, ସରାବାଡି, ମଇଁଷିପଦା, ଅସୁରବନ୍ଧ, ବି. ଅଁଳାଝୋଳି ଆଦି ବହୁ ଗ୍ରାମରେ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ବହୁ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଗ୍ରାମକୁ ପିଇବା ପାଣି ଓ ବିଦ୍ୟୁତ ସଂଯୋଗ କରାଯାଇପାରିନାହିଁ । ଏନେଇ ସେମାନେ ବାରମ୍ବାର ସ୍ଥାନୀୟ ବ୍ଲକ ପ୍ରଶାସନ, ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଆଗାମୀ ଦିନରେ ଉପରୋକ୍ତ ସମସ୍ୟାର ସମାଧାନ ନ ହେଲେ ସେମାନେ ବାଧ୍ୟ ହୋଇ ଆଗାମୀ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଏହି ସ୍ମାରକ ପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କିସାନ ମଜଦୁର ସଭାର ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ, ସୋରଡା ବ୍ଲକ ସଭାପତି କାଳି ଚରଣ ନାୟକ, ଉପସଭାପତି ବିଦ୍ୟାଧର ନାୟକ, ବ୍ଲକ କମିଟି ବିଶୁ ମଣ୍ଡଳ, ଦାନିଏଲ ମଣ୍ଡଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ