ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଚାଷି ମାନଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପକ୍ଷରୁ ମଙ୍ଗଳବାର ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦ ସଭାପତି ଶ୍ରୀହର୍ଷ ରଥ ଓ ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବହୁ ଚାଷୀ ଓ ଚାଷୀନେତା ମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତିଙ୍କୁ ଏକ ୯ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚାଷୀ ଏବଂ ଭାଗଚାଷି ବିକ୍ରୟ କରିବାକୁ ଚାହୁଁଥିବା ସମସ୍ତ ଧାନର କ୍ରୟ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ, ଟାର୍ଗେଟ୍ ଆସିନଥିବା ଆଳରେ ଯେପରି ଜଣେ ମଧ୍ୟ ପଞ୍ଜିକୃତ ଚାଷି, ତା’ର ଅଧିକାରରୁ ବଂଚିତ ନ ହୁଏ ସେଥିପ୍ରତି ତୀକ୍ଷଣ ଗୁରୁତ୍ୱ ଦେବା, ଚଳନ୍ତି ପରିସ୍ଥିତିରେ, ଫସଲ ବିକ୍ରୀ ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡକୁ କୋହଳ କରାଯାଉ, ପାଣି ଲଗାଧାନ କ୍ରୟ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଉ, ଧାନ କ୍ରୟ ସ୍ଥଳ (ମଣ୍ଡି) ତା’ର କାର୍ଯ୍ୟକର୍ତ୍ତାଙ୍କ ନାମ, ଯୋଗାଯୋଗ ନିମନ୍ତେ ଫୋନ୍ ନମ୍ବର ଏବଂ ଆପତ୍ତି ଅଭିଯୋଗ ନିମନ୍ତେ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସବିଶେଷ ବିବରଣୀ ବିଜ୍ଞାପନ ଓ ପ୍ରଚାର ପତ୍ର ମାଧ୍ୟମରେ ଚାଷୀଙ୍କୁ ଜଣାଇଦିଆଯାଉ, କୃଷିବୀମାଧାରୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଆପତ୍ତି ଅଭିଯୋଗ ନିମନ୍ତେ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ପ୍ରକୋଷ୍ଠ ପରିଚାଳନା ପାଇଁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଉ, ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରୂପେ ଚଳିତବର୍ଷର ସମସ୍ତ କୃଷିଋଣ ଛାଡ କରାଯାଉ ଏବଂ ଆଗାମୀ ବର୍ଷ ନିମନ୍ତେ ବିନା ପ୍ରିମିୟମ୍ ରେ ବୀମାଭୂକ୍ତ କରାଯାଉ । ବିଦ୍ୟୁତ୍ ଦେୟ ଛାଡ କରିବା, ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉ, ଏସଂପର୍କରେ ଆପତ୍ତି ଅଭିଯୋଗ ନିମନ୍ତେ ୟହସିଲ ସ୍ତରରେ ସ୍ୱତନ୍ତ୍ର ପ୍ରକୋଷ୍ଠ ସ୍ଥାପିତ ହେଉ ଏବଂ କ୍ଷତିପୂରଣ ଭାବେ ଦିଆଯାଉଥିବା ଅନୁକମ୍ପା ରାଶିକୁ କାଳୋଚିତ ନିର୍ଦ୍ଧାରଣ କରାଯିବା ସମେତ ବିଭିନ୍ନ ଦାବି ସଂପର୍କରେ ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି । ଏହାସହିତ ଚାଷୀଙ୍କ ହିତ ନିମନ୍ତେ ସମସ୍ତ ଦାବୀ ଗୁଡିକ ଉପରେ ଯୋଗାଣ ବିଭାଗ ପକ୍ଷରୁ ଗୁରୁତ୍ୱ ଦେବା ନିମନ୍ତେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସୁଦର୍ଶନ ସ୍ୱାଇଁ, ସିମାଞ୍ଚଳ ସାହୁ, ପି. ବାଲା ରେଡ୍ଡି, ପ୍ରଶାନ୍ତ ପଣ୍ଡା, ଦୁର୍ଯ୍ୟୋଧନ ପରିଡା, ହରିହର ପାତ୍ରଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ